ଗଲଓ୍ବାନ ସଂଘର୍ଷ ପରେ ଭାରତ ମହାସାଗରରେ ଚୀନ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଇଥିଲୁ : ନୌସେନା ମୁଖ୍ୟ

ନୂଆଦିଲ୍ଲୀ : ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଗତବର୍ଷଠାରୁ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଦେଖାଯିବା ପରେ ସତର୍କ ହୋଇଉଠିଛି ଭାରତୀୟ ନୌସେନା । ଭାରତ ମହାସାଗରରେ ବୁଲୁଥିବା ଚୀନ ଯୁଦ୍ଧ ଜାହାଜଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି ବୋଲି କହିଛନ୍ତି ନବନିଯୁକ୍ତ ନୌସେନା ମୁଖ୍ୟ ଆଡମିରାଲ ଆର.ହରି କୁମାର ।

ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଗତ ବର୍ଷ ଲଦାଖରେ ସଂଘର୍ଷ ହେବା ପରେ ନୌସେନା ସତର୍କ ହୋଇଉଠିଥିଲା । ସ୍ଥିତି ଯଦି ଆହୁରି ଖରାପ ଆଡ଼କୁ ଗତି କରେ ଅର୍ଥାତ ଯୁଦ୍ଧ ଆଡ଼କୁ ଗତି କରେ ସେଥିପାଇଁ ନୌସେନା ପ୍ରସ୍ତୁତ ରହିଥିଲା । ଏହା ସହିତ  ଭାରତ ମହାସାଗରରେ ଚୀନର ସବୁ ଗତିବିଧି ଉପରେ ନଜର ରଖାଯାଇଥିଲା । ଏବେ ବି ଭାରତ ମହାସାଗରରେ ମୁତୟନ ଥିବା ଚୀନ ଜାହାଜଗୁଡ଼ିକ ଉପରେ ନଜର ରଖିଛି ଭାରତୀୟ ନୌସେନା ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଚୀନର ନୌସେନା ୨୦୦୮ରୁ ଭାରତ ମହାସାଗରରେ ଉପସ୍ଥିତ ରହିଛି । ଚୀନର ୩ରୁ ୮ଟି ଯୁଦ୍ଧ ଜାହାଜ ନିୟମିତଭାବେ ଭାରତ ମହାସାଗରରେ ରହୁଛନ୍ତି । ଏଣୁ ଏ ଅଞ୍ଚଳରେ ଭାରତୀୟ ନୌସେନା ବି ନିଜର ଜାହାଜ ସଂଖ୍ୟା ବଢାଇଦେଇଛି । ଚୀନ ପକ୍ଷରୁ ଯେକୌଣସି ଆହ୍ବାନର ମୁକାବିଲା କରିବାକୁ ଭାରତୀୟ ନୌସେନା ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର