କଂଗ୍ରେସକୁ କଦାପି ବିଶ୍ବାସ ନାହିଁ: କଚ୍ଚାତିଭୁ ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିବା ନେଇ ମୋଦୀଙ୍କ ସମାଲୋଚନା

ନୂଆଦିଲ୍ଲୀ: କଚ୍ଚାତିଭୁ ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର ମାମଲାରେ ନୂଆ ଖୁଲାସା ପରେ ନିର୍ବାଚନୀ ଋତୁରେ ବିଜେପି କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଜୋରଦାର୍ ହେବାରେ ଲାଗିଛି। ୧୯୭୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଯାହା ଦ୍ବାରା କଚ୍ଚାତିଭୁ ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରାଯିବ। ଏହି ଚୁକ୍ତିରେ ଭାରତ ଦ୍ୱୀପର ମାଲିକାନା ନେଇ ପଡୋଶୀ ଦେଶର ଦାବିକୁ ଗ୍ରହଣ କରିଥିଲା ​। ନୂତନ ତଥ୍ୟ ପ୍ରକାଶ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଦାୟୀ କରିଛନ୍ତି। କଂଗ୍ରେସ କିପରି କଚ୍ଚାତିଭୁକୁ ଛାଡିଦେଲା ସେନେଇ ନୂଆ ଖୁଲାସା ହୋଇଛି। ପ୍ରତ୍ୟେକ ଭାରତୀୟ ଏହି କାରଣରୁ ଅସନ୍ତୁଷ୍ଟ ହୋଇଛନ୍ତି।

କଚ୍ଚାତିଭୁ ଦ୍ୱୀପକୁ ଶ୍ରୀଲଙ୍କା ହସ୍ତାନ୍ତର କରିବାକୁ ଚୁକ୍ତି ସମ୍ପର୍କରେ ନୂତନ ତଥ୍ୟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳକୁ  କଡ଼ା ସମାଲୋଚନା କରିଛନ୍ତି। ଏହା ପୁଣି ଥରେ ପ୍ରମାଣିତ ହୋଇଛି ଯେ,କଂଗ୍ରେସ ଉପରେ କେବେ ବି ବିଶ୍ୱାସ କରି ହେବ ନାହିଁ । ଗତ ୭୫ ବର୍ଷ ଧରି କଂଗ୍ରେସର କେବଳ ଦେଶର ଏକତା, ଅଖଣ୍ଡତା ଏବଂ ସ୍ୱାର୍ଥକୁ ଦୁର୍ବଳ କରି ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ତାମିଲନାଡୁ ବିଜେପି ମୁଖ୍ୟ କେ.ଅନ୍ନାମଲାଇ ଶ୍ରୀଲଙ୍କାକୁ କଚ୍ଚାତିଭୁ ଦ୍ୱୀପ ହସ୍ତାନ୍ତର ଚୁକ୍ତିନାମା ସମ୍ବନ୍ଧରେ ଜାଣିବା ପାଇଁ ସୂଚନା ଅଧିକାର ଅଧିନିୟମ ଅନୁଯାୟୀ ଆବେଦନ କରିଥିଲେ। ଏହି ସମ୍ବନ୍ଧରେ ପ୍ରାପ୍ତ ଉତ୍ତରରେ ଅନେକ ନୂତନ ତଥ୍ୟ ସାମ୍ନାକୁ ଆସିଛି। କଚ୍ଚାତିଭୁ ଦ୍ୱୀପ ପାଲ୍କ ଷ୍ଟ୍ରାଇଟ୍ ରେ ଅବସ୍ଥିତ, ଯାହାର କ୍ଷେତ୍ରଫଳ ୧.୯ ବର୍ଗ କିଲୋମିଟର। ୧୯୭୪ ମସିହାରେ ହୋଇଥିବା ଏକ ଚୁକ୍ତିନାମା ଅନୁଯାୟୀ, ଭାରତ କଚ୍ଚାତିଭୁ ଦ୍ୱୀପରେ ଶ୍ରୀଲଙ୍କାର ଦାବିକୁ ଗ୍ରହଣ କରି ଏହାକୁ ହସ୍ତାନ୍ତର କରିଥିଲା। କଚ୍ଚାତିଭୁ ଦ୍ୱୀପ ସମ୍ପର୍କରେ ଏହି ରିପୋର୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ କିଛି ସପ୍ତାହ ମଧ୍ୟରେ ଅନୁଷ୍ଠିତ ହେବ।

କଚ୍ଚାତିଭୁ ଦ୍ୱୀପ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳର ମୁଖପାତ୍ର ଏ. ନାରାୟଣନ କହିଛନ୍ତି ଦେଶର ଏକତା ପ୍ରସଙ୍ଗରେ ବିଜେପିର କହିବାର ଅଧିକାର ନାହିଁ। ଇନ୍ଦିରା ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ସାହସୀ ନ ଥିଲେ। ତାମିଲନାଡୁର ଚାଷୀଙ୍କ ପାଇଁ କଂଗ୍ରେସ ବହୁତ କିଛି କରିଛି। କଚ୍ଚାତିଭୁ ଦ୍ୱୀପ ଚୁକ୍ତିନାମା ପରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଅନ୍ୟ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ୨୩ ମାର୍ଚ୍ଚ ୧୯୭୬ ରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିରେ ଗଲ୍ଫ ଅଫ୍ ମନ୍ନାର୍ ଏବଂ ବଙ୍ଗୋପସାଗର ବିଷୟରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର