ନୂଆଦିଲ୍ଲୀ: ବାକ୍‌ସ୍ବାଧୀନତା କ’ଣ ତାହା ଆମର ଅନ୍ୟମାନଙ୍କ ପାଖରୁ ଶିଖିବାର ଆବଶ୍ୟକତା ନାହିଁ ବୋଲି ଆଜି ଭାରତ ଓ କାନାଡା କୂଟନୈତିକ ତିକ୍ତତା ପ୍ରସଙ୍ଗରେ କହିବା ବ‌େଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।

Advertisment

ଏ ପ୍ରସଙ୍ଗରେ ନିଜର ବିବୃତି ଦୋହରାଇ ସେ କହିଛନ୍ତି ଯେ, ଆତଙ୍କବାଦ, ଉଗ୍ରବାଦ ଓ ହିଂସା ପ୍ରତି କାନାଡାର କୋହଳ ମନୋଭାବ ସମସ୍ୟା ସୃଷ୍ଟି କରୁଛି।

ସେ କହିଛନ୍ତି, ଦେଖନ୍ତୁ, ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ବାକ୍‌ସ୍ବାଧୀନତା କ’ଣ ସେ ବିଷୟରେ ଆମେ ଅନ୍ୟମାନଙ୍କଠାରୁ ଶିଖିବାର ଆବଶ୍ୟକତା ନାହିଁ। ଆମର ମନେ ହୁଏନା ଯେ, ବାକ୍‌ସ୍ବାଧୀନତା ହିଂସା ଉଦ୍ରେକ ପର୍ଯ୍ୟନ୍ତ ପରିବ୍ୟାପ୍ତ ବୋଲି। ତାହା ସ୍ବାଧୀନତାର ଅପବ୍ୟବହାର, ସ୍ବାଧୀନତାର ସୁରକ୍ଷା ନୁହେଁ।

publive-image Image Courtesy of India.Com

ସୂଚନାଯୋଗ୍ୟ, ସାନ୍‌ ଫ୍ରାନ୍‌ସିସ୍‌କୋରେ ଥିବା ଭାରତୀୟ କନ୍‌ସୁଲେଟ୍‌ ଉପରେ ଆକ୍ରମଣ ଓ କାନାଡାରେ ଭାରତୀୟ କୂଟନୀତିଜ୍ଞମାନଙ୍କ ନାଁ ଉଲ୍ଲେଖ କରାଯାଇଥିବା ଖଲିସ୍ତାନୀ ଧମକ ପୋଷ୍ଟର୍‌ ପ୍ରସଙ୍ଗରେ କହିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଉପରୋକ୍ତ କଥା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆପଣମାନେ ମୋ ପରିସ୍ଥିତିରେ ଥିଲେ କ’ଣ କରିଥାଆନ୍ତେ? ଯଦି ଆପଣଙ୍କ ଦୂତାବାସ, ଆପଣଙ୍କ କୂଟନୀତିଜ୍ଞ, ଆପଣଙ୍କ ଜନସାଧାରଣ ହୋଇଥାଆନ୍ତେ, ଆପଣ କିଭଳି ପ୍ରତିକ୍ରିୟା ବ୍ୟକ୍ତ କରିଥାଆନ୍ତ?

publive-image Image Courtesy of India Today

ତେଣୁ, ନିଜାର୍‌ଙ୍କ ମୃତ୍ୟୁ ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ମତପାର୍ଥକ୍ୟର ସମାଧାନ ନିମନ୍ତେ ଭାରତ ଓ କାନାଡା ପରସ୍ପର ସହିତ ଆଲୋଚନା କରିବା ଉଚିତ। ଭାରତ ଓ କାନାଡା ମଧ୍ୟରେ ଉପୁଜିଥିବା କୂଟନୈତିକ ବିବାଦ ବିଷୟରେ ମୁଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଓ ଜାତୀୟ ନିରାପତ୍ତା ଉପଦେଷ୍ଟା ଜେକ୍‌ ସୁଲିଭାନ୍‌ଙ୍କ ସହିତ ଆଲୋଚନା କରିଛି ବୋଲି ସେ କହିଛନ୍ତି।