ମୋଦୀଙ୍କ ପାଇଁ ବିମାନ ଆମେ ଭଡାରେ ଆଣିବୁ କି? ପ୍ରଶ୍ନ ପଚାରିଲେ ପୱନ ଖେଡା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଗସ୍ତ ନ କରିବା ନେଇ କଂଗ୍ରେସ ଲଗାତାର ଟାର୍ଗେଟ କରୁଛି। ଆଜି ପୁଣି କଂଗ୍ରେସ ନେତା ପୱନ ଖେଡା ଆସାମ ଗସ୍ତରେ ଯାଇଥିଲେ ସୁଦ୍ଧା ମଣିପୁର ଗସ୍ତ ନକରିବାରୁ ମୋଦୀଙ୍କୁ ସମାଲୋଚନା କରିଛନ୍ତି | ସେ ପ୍ରଶ୍ନ କରିଛନ୍ତି ଯେ ମୋଦୀଙ୍କ ପାଇଁ ଗୌହାଟୀରୁ ଇମ୍ଫାଲକୁ ବିମାନ ଭଡା କରିବା ଆବଶ୍ୟକ କି? ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ କହିଛନ୍ତି। ତାଙ୍କ ପୋଷ୍ଟ ସହିତ ଖେଡା ଆସାମର ଗୌହାଟୀରୁ ମଣିପୁରର ରାଜଧାନୀ ଇମ୍ଫାଲକୁ ଯାଉଥିବା ବିମାନର ସବିଶେଷ ତଥ୍ୟର ସ୍କ୍ରିନସଟ ମଧ୍ୟ ସଂଲଗ୍ନ କରିଛନ୍ତି।

ଏହାପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ମଣିପୁର ଉପରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ୯ ମାସ ବିତିଗଲାଣି ଏବଂ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମଣିପୁର ବିଷୟରେ ପଦେ ବି କହିନାହାଁନ୍ତି | ସେ ମଣିପୁର ବାବଦରେ ସମ୍ପୂର୍ଣ୍ଣ ନିରବ ରହିଛନ୍ତି। ପ୍ରଧାନମନ୍ତ୍ରୀ ଏକ ରୋଡ୍ ସୋ ପାଇଁ ଗୌହାଟୀ ଯାଇପାରୁଛନ୍ତି, କିନ୍ତୁ ଇମ୍ଫାଲକୁ ଯାଇପାରିବେ ନାହିଁ | ମଣିପୁରବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଅନ୍ୟାୟ କରୁଛନ୍ତି। ସୂଚନାଯୋଗ୍ୟ ଯେ ମଣିପୁର ଗସ୍ତ ନକରିବାରୁ କଂଗ୍ରେସ ବାରମ୍ବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରୁଛି। କେବଳ ଏତିକି ନୁହେଁ ପାର୍ଟି ଗତ ମାସରେ ମଣିପୁରର ଇମ୍ଫାଲରୁ ଏହାର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିଥିଲା। ମଣିପୁରରୁ ଯାତ୍ରା ଆରମ୍ଭରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ସେ ମଣିପୁରବାସୀଙ୍କ ଯନ୍ତ୍ରଣା ବୁଝନ୍ତି ।

ସମ୍ବନ୍ଧିତ ଖବର