ପରିବାର ଓ ପଡ଼ୋଶୀଙ୍କୁ ସତର୍କ କରାଇ ଆତଙ୍କବାଦୀ ଆକ୍ରମଣ ଭଣ୍ଡୁର କରାଇଲା ପୋଷା କୁକୁର

ଶ୍ରୀନଗର: କିଛି ଅସ୍ବାଭାବିକ କାର୍ଯ୍ୟକଳାପ ଚାଲିଥିବା ସନ୍ଦେହ କରି ପୋଷା କୁକୁର ଭୁକିବାରୁ ଜମ୍ମୁ ଓ କଶ୍ମୀର ରାଜୌରୀ ଅନ୍ତର୍ଗତ ଧାଙ୍ଗ୍‌ରି ପଡ଼ାରେ ଏକ ପରିବାର ଏବଂ ତାଙ୍କର ପଡ଼ୋଶୀମାନେ ବୁଧବାର ରାତିରେ ଆତଙ୍କବାଦୀ ଆକ୍ରମଣ ଏଡ଼ାଇବାକୁ ସମର୍ଥ ହୋଇଛନ୍ତି।

ମାଇକେଲ୍‌ ନାମରେ ଉକ୍ତ ପୋଷା କୁକୁର ଭୁକାଭୁକି କରି ପରିବାର ଲୋକଙ୍କୁ ସତର୍କ କରାଇ ଦେବାରୁ ଆତଙ୍କବାଦୀମାନେ ଅଳ୍ପ କେତେ ରାଉଣ୍ଡ୍‌ ଗୁଳି ଚଳାଇ ଘଟଣା ସ୍ଥଳରୁ ଖସି ପଳାଇଥିଲେ।

ଉକ୍ତ ପରିବାରର ବୟୋଜ୍ୟେଷ୍ଠା ସଦସ୍ୟ ନିର୍ମଳା ଦେବୀ କହିଛନ୍ତି, ପୋଷା କୁକୁର ଭୁକିବା ବେଳେ ମୁଁ ଓ ମୋ ନାତୁଣୀ ରୋଷେଇ ଘରେ ଥିଲୁ। ନାତୁଣୀ କହିଲା କିଛି ବିପଦ ନ ଥିଲେ ମାଇକେଲ୍‌ ଏଡ଼େ ପାଟିରେ ଭୁକେ ନାହିଁ।

ଚିନ୍ତାକୁଳ ହୋଇ ମୁଁ ମୁଖ୍ୟ ଫାଟକ ଆଡ଼କୁ ଯିବା ଆଗରୁ ସ୍ବାମୀ ଶୋଇଥିବା କୋଠରି ପାଖକୁ ଧାଇଁଯାଇ ବାହାରୁ କବାଟ ବନ୍ଦ କରିଦେଇ ମୁଖ୍ୟ ଫାଟକ ବନ୍ଦ କରିବାକୁ ବାହାରିଲି। କିନ୍ତୁ, ସେତେବେଳେକୁ ଆତଙ୍କବାଦୀମାନେ ଫାଟକ ଟପି ଘର ପରିସର ଭିତରକୁ ଚାଲି ଆସିଥିଲେ ବୋଲି ନିର୍ମଳା କହିଛନ୍ତି।

Image Courtesy of Daily Excelsior

ଏହାପରେ, ଆତଙ୍କବାଦୀମାନେ ମାଇକେଲ୍‌ ଉପରକୁ ଗୁଳି ଚଳାଇଲେ। କିନ୍ତୁ, ଲକ୍ଷ୍ୟଚ୍ୟୁତି ହେବାରୁ ମାଇକେଲ୍‌ ଦେହରେ ଗୁଳି ବାଜିଲା ନାହିଁ। କୁକୁର ବନ୍ଧା ହୋଇଥିବା ଜାଗାରେ ଏବେ ମଧ୍ୟ ଗୁଳି ଚିହ୍ନ ରହିଛି।

ତା’ପରେ ସେମାନେ ଘରେ ପ୍ରବେଶ କରି କାହାରିକୁ ନ ଦେଖି ଗୋଟାଏ ଟେଲିଭିଜନ୍‌ ଉପରକୁ ଗୁଳି ଚଳାଇ ଖସି ପଳାଇଗଲେ। କୁକୁର ଭୁକା ଶୁଣି ପଡ଼ିଶାମାନେ ବି ସତର୍କ ହୋଇ ଆକ୍ରମଣ ଏଡ଼ାଇବାକୁ ଘର ଭିତରପଟୁ କବାଟ କୀଳି ଦେଇଥିଲେ ବୋଲି ସେ କହିଛନ୍ତି।

ନିର୍ମଳା କହିଛନ୍ତି, ମୋର ମନେହୁଏ କୁକୁର ଭୁକିବାରୁ କେବଳ ଆମେ ନୁହେଁ, ଆଖପାଖର ଅନେକ ଲୋକ ବଞ୍ଚିଗଲେ।

ସୂଚନାଯୋଗ୍ୟ, ଆତଙ୍କବାଦୀମାନଙ୍କ ନିର୍ବିଚାର ଗୁଳି ଚାଳନା ଫଳରେ ରବିବାର ଦିନ ଉପର ଧାଙ୍ଗ୍‌ରି ପଡ଼ାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୬ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର