ପ୍ରଧାନମନ୍ତ୍ରୀ କୃଷକଙ୍କୁ କ୍ଷମା ମାଗିବା ଏକ ବଡ଼ ଘଟଣା : ଅମରିନ୍ଦର ସିଂ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନକୁ ପ୍ରତ୍ୟାହାର କରିବା ବିଷୟରେ ଘୋଷଣା କରିବା ପରେ ତାହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ସେ କହିଛନ୍ତି ଯେ ପ୍ରକାଶ ପର୍ବ (ଗୁରୁ ନାନକଙ୍କ ଜୟନ୍ତି) ଅବସରରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଥିବାରୁ ଏହାର ଗୁରୁତ୍ବ ଆହୁରି ବଢିଯାଇଛି ।

ଗଣମାଧ୍ୟମକୁ ସେ କହିଛନ୍ତି, ମୋଦୀ କୃଷକମାନଙ୍କ ନିକଟରେ କ୍ଷମା ମାଗିବା ବେଶ ମହତ୍ତ୍ବ ବହନ କରୁଛି । ଦେଶର ଜଣେ ବଡ଼ ନେତା ଏପରି କ୍ଷମା ମାଗିବା ପୂର୍ବରୁ କେବେ ଦେଖାଯାଇନଥିଲା । ଏହା ତାଙ୍କର ବିନମ୍ରତାକୁ ଦର୍ଶାଉଛି, ଏଥିରେ କୌଣସି ଅହଂକାର ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସକାରାତ୍ମକ ସଂକେତ ଦେଇଥିବାରୁ କୃଷକମାନେ ଦିଲ୍ଲୀ ସୀମାରୁ ତୁରନ୍ତ ନିଜର ଆନ୍ଦୋଳନ ସମାପ୍ତ କରିବା ସହ ଫେରିଯିବାକୁ ସେ ନିବେଦନ କରିଛନ୍ତି । ପ୍ରତ୍ୟାହୃତ ହୋଇଥିବା କୃଷକ ଆଇନଗୁଡ଼ିକ କୃଷକଙ୍କ ସମସ୍ୟାର ସମାଧାନ କରୁନଥିଲା ବୋଲି ସେ କହିଛନ୍ତି । ଏଣୁ ଏଗୁଡ଼ିକର ପ୍ରତ୍ୟାହାର କରି ସରକାର ଉଚିତ ପଦକ୍ଷେପ ନେଇଛନ୍ତି ।

ସୂଚନଯୋଗ୍ୟ ଯେ ଗତ ବର୍ଷ ସଂସଦରେ ୩ଟି କୃଷି ଆଇନ ଗୃହୀତ ହୋଇଥିଲା । କିନ୍ତୁ ଏହାର ବିରୋଧରେ ଗତ ବର୍ଷ ନଭେମ୍ବରଠାରୁ କୃଷକମାନେ ଆନ୍ଦୋଳନ ଚଳାଇଥିଲେ । ଚଳିତ ବର୍ଷ ଜାନୁଆରି ୨୬ ଗଣତନ୍ତ୍ର ଦିବସରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା ।

ସମ୍ବନ୍ଧିତ ଖବର