ରାଜସ୍ଥାନ ଯାଆନ୍ତୁ, ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହୋଇ ନିର୍ବାଚନ ଲଢନ୍ତୁ: ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଗତକାଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ଚେତାବନୀ ଦେଇ କହିଥିଲେ ଯେ ସରକାର ସମ୍ବିଧାନ ବିରୋଧୀ କାର୍ଯ୍ୟ କରିବା ବନ୍ଦ ନକଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ସୁପାରିସ କରିବେ | ସରକାର ଲଗାତାର ସମ୍ବିଧାନ ବିରୋଧୀ କାର୍ଯ୍ୟ କରୁଛନ୍ତି ଏବଂ ଏ ବାବଦରେ ମୁଖ୍ୟମନ୍ତ୍ରୀ ତାଙ୍କର କୌଣସି ପତ୍ରର ଜବାବ ଦେଉନଥିବାରୁ ଅସ୍ବାଭାବିକ ସ୍ଥିତି ଉପୁଜିଛି ବୋଲି ରାଜ୍ୟପାଳ କହିଥିଲେ । ତେବେ ଆଜି ଏହାର ଜବାବ ଦେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି, ‘ରାଜ୍ୟପାଳ ମୋତେ ଏଭଳି ଚିଠି ଲେଖିବା ଓ ଏପରି ଭାଷା ବ୍ୟବହାର କରିବା କିଛି ନୂଆ କଥା ନୁହେଁ।

ଆମେ ପୂର୍ବରୁ ଏମିତି ଅନେକ ଥର ଦେଖିଛୁ | କିନ୍ତୁ ଗତକାଲି ରାଜ୍ୟପାଳ ପଞ୍ଜାବୀମାନଙ୍କୁ ଧମକ ଦେଇଥିଲେ | ମାନ କହିଛନ୍ତି ଯେ ରାଜ୍ୟପାଳ ଦୁଇଟି କଥା ବିଷୟରେ କହିଛନ୍ତି । ପ୍ରଥମଟି ହେଉଛି ଆଇନ ଶୃଙ୍ଖଳା | ମୁଁ କହିବାକୁ ଚାହେଁ ଯେ ଯେବେଠାରୁ ଆମ ସରକାର ଗଠନ ହୋଇଛି ସେହିଦିନଠାରୁ ୨୩୫୧୮ ଜଣ ଡ୍ରଗ୍ ବେପାରୀ, ୧୬୨୭ କିଲୋଗ୍ରାମରୁ ଅଧିକ ହେରୋଇନ୍ ଜବତ କରାଯାଇଛି | ଏହା ସହିତ ୧୩.୨୯ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି । ପଞ୍ଜାବରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ଅଛି। ମୁଁ ରାଜ୍ୟପାଳଙ୍କୁ ମନେ ପକାଇବାକୁ ଚାହୁଁଛି ଯେ ହରିୟାଣାର ରାଜ୍ୟପାଳ ନୁହ ହିଂସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ନୋଟିସ ଦେଇଛନ୍ତି କି? ଯେହେତୁ ହରିୟାଣାରେ ମଧ୍ୟ କେନ୍ଦ୍ର ପରି ବିଜେପି ସରକାର ରହିଛି ତେଣୁ କୌଣସି ନୋଟିସ ଦିଆଯାଇନାହିଁ |

ଏପର୍ଯ୍ୟନ୍ତ ରାଜ୍ୟପାଳ ୧୬ଟି ଚିଠି ଲେଖିଛନ୍ତି ଏବଂ ଆମେ ୯ଟି ଚିଠିର ଉତ୍ତର ଦେଇଛୁ। ମୁଁ ରାଜ୍ୟପାଳଙ୍କୁ ପଚାରିବାକୁ ଚାହେଁ ଯେ ଗତ ଦେଢ଼ ବର୍ଷ ଧରି ଆପଣଙ୍କ ପାଖରେ ମୋଟ ୬ଟି ବିଲ୍ ପଡ଼ିରହିଛି | ଆପଣ ଏପର୍ଯ୍ୟନ୍ତ ସେଗୁଡିକୁ ଦସ୍ତଖତ କରିନାହାଁନ୍ତି। ଆମେ ଏକ ନିର୍ବାଚିତ ସରକାର, ଲୋକମାନେ ଆମକୁ ଭୋଟ୍ ଦେଇଛନ୍ତି। ମୁଁ ରାଜ୍ୟପାଳଙ୍କୁ କହିବାକୁ ଚାହୁଁଛି, ରାଜସ୍ଥାନକୁ ଯାଆନ୍ତୁ ଏବଂ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହୁଅନ୍ତୁ ଏବଂ ଆପଣ ଚାହୁଁଥିବା ଶକ୍ତି ପ୍ରାପ୍ତ କରନ୍ତୁ |

ସମ୍ବନ୍ଧିତ ଖବର