ସାମ୍ବାଦିକତା ପାଇଁ ମାଗ୍‌ସେସେ ପୁରସ୍କାର ପାଇଲେ ରବିଶ କୁମାର

ନୂଆଦିଲ୍ଲୀ: ସମ୍ବାଦିକତା ନିମନ୍ତେ ବରିଷ୍ଠ ଟେଲିଭିଜନ ସାମ୍ବାଦିକ  ରବିଶ କୁମାର ମର୍ଯ୍ୟାଦାଜନକ ରମଣ ମାଗ୍‌ସେସେ ପୁରସ୍କାର ବିଜୟୀ ହୋଇଛନ୍ତି। ୨୦୧୯ ମାଗ୍‌ସେସେ ପୁରସ୍କାର ନିମନ୍ତେ ପାଞ୍ଚ ଜଣ ବିଜୟୀଙ୍କ ମଧ୍ୟରେ ରବିଶ ଅନ୍ୟତମ।

ରବିଶ କୁମାରଙ୍କୁ ଏନଡିଟିଭିରେ ପ୍ରସାରିତ  ତାଙ୍କର ଲୋକପ୍ରିୟ ଖବର କାର୍ଯ୍ୟକ୍ରମ ‘ପ୍ରାଇମ୍‌ ଟାଇମ୍‌’ ଲାଗି ଏହି ପୁରସ୍କାର ପାଇଁ ଚୟନ କରାଯାଇଛି।  ପୁରସ୍କାର ପ୍ରଦାନକାରୀ ସଂସ୍ଥା ମାଗ୍‌ସେସେ ଫାଉଣ୍ଡେସନ୍‌ ପକ୍ଷରୁ ସୂଚନା ଦିଆଯାଇଛି କି, ‘ପ୍ରାଇମ୍‌ ଟାଇମ୍‌’ରେ ସାଧାରଣ ଲୋକମାନଙ୍କର ବାସ୍ତବ-ଜୀବନର କଥା  ଏବଂ ଗଣମାଧ୍ୟମ ଦ୍ବାରା ନଜରଅନ୍ଦାଜ କରାଯାଉଥିବା ବିଷୟବସ୍ତୁକୁ ରବିଶ କୁମାର  ଉପସ୍ଥାପନ କରିଥାଆନ୍ତି।

ପ୍ରଶଂସା ପତ୍ରରେ ରବିଶଙ୍କୁ ଜଣେ ଗମ୍ଭୀର, ବିଜ୍ଞ ଏବଂ ଉତ୍ତମ ସୂଚନାପ୍ରାପ୍ତ ଆଙ୍କର୍‌ ଭାବେ ବର୍ଣ୍ଣନା କରାଯାଇଛି। ସର୍ବସାଧାରଣଙ୍କ ମତ ପାଲଟି ଯାଉଥିବା ବ୍ୟକ୍ତି ହିଁ ସାମ୍ବାଦିକ ବୋଲି ଏଥିରେ ଉଲ୍ଲେଖ ରହିଛି।

ବିହାରର ଜିତଓ୍ଵାର୍‌ପୁରରେ ଲାଳିତପାଳିତ ରବିଶ କୁମାର ୧୯୯୬ ମସିହା ଠାରୁ ଏନ୍‌ଡିଟିଭିରେ କାର୍ଯ୍ୟରତ।

ଏସିଆର ନୋବେଲ କୁହାଯାଉଥିବା ମାଗ୍‌ସେସେ ପୁରସ୍କାରର ଅନ୍ୟ ଚାରି ବିଜେତା ହେଲେ ମିଆଁମାର୍‌ର କୋ ସ୍ୱେ, ଥାଇଲାଣ୍ଡ୍‌ର ଆଙ୍ଗ୍‌ଖାନା ନୀଳପାଇଜିତ୍‌, ଫିଲିପ୍ପିନ୍‌ସ୍‌ର ରେମୁଣ୍ଡୋ ପୁଜାଣ୍ଟେ କାୟାବ୍ୟାବ୍‌ ଏବଂ ଦକ୍ଷିଣ କୋରିଆର କିମ୍‌ ଜୋଙ୍ଗ୍‌-କି।

ପୂର୍ବରୁ ଆର୍‌.କେ ଲକ୍ଷ୍ମଣ, ପି.ସାଇନାଥ, ଅରୁଣ ସୌରୀ, କିରଣ ବେଦି ଏବଂ ଅରବିନ୍ଦ କେଜ୍ରିଓ୍ଵାଲ ଏହି ପୁରସ୍କାର ପାଇଛନ୍ତି।

ଟୁଇଟ୍‌ କରି କେଜ୍ରିଓ୍ଵାଲ୍‌ ରବିଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର