ଗୋଟିଏ ଦୁଇଟି ନୁହେଁ, ଜବତ ହେଲା ୮୭୭୪ଟି ସିମକାର୍ଡ୍, ନିର୍ବାଚନକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଠୁଳ କରାଯାଇଥିବା ସଂଦେହ

ଗୋପାଳଗଞ୍ଜ (ବିହାର) : ଲୋକସଭା ନିର୍ବାଚନ ପୂର୍ବରୁ ବିହାରର ଗୋପାଳଗଞ୍ଜରେ ୮୭୭୪ଟି ସିମ୍ କାର୍ଡ ଓ ନେପାଳୀ ମୁଦ୍ରା ଜବତ ହେବା ଘଟଣାର ତଦନ୍ତ ଆରମ୍ଭ କରିଛି ସୁରକ୍ଷା ଏଜେନ୍ସି। ଅର୍ଥନୈତିକ ଅପରାଧ ୟୁନିଟ୍ (ଇଓୟୁ) ଏବଂ ବିହାର ଏଟିଏସ୍ ଏହି ମାମଲାର ତଦନ୍ତ କରୁଛନ୍ତି। ଏତେ ପରିମାଣର ସିମ୍ କାର୍ଡ ଲୋକସଭା ନିର୍ବାଚନରେ ବାଧା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର ହୋଇପାରେ ବୋଲି ପୁଲିସ ଓ ତଦନ୍ତକାରୀ ସଂସ୍ଥା ଆଶଙ୍କା କରୁଛନ୍ତି।

ପୁଲିସ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସିମ୍ କାର୍ଡକୁ ଦିଲ୍ଲୀରୁ ବିମାନ ଯୋଗେ ଗୋରଖପୁର ବିମାନବନ୍ଦରକୁ ଅଣାଯାଇଥିଲା। ଏହାପରେ ନେପାଳରୁ ଆସିଥିବା ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ୩ ଜଣ ଯୁବକ ବିମାନବନ୍ଦରରେ ହିଁ ସିମ୍ କାର୍ଡ ପାଇଥିଲେ। ପୂରା ନେଟୱାର୍କ ନେପାଳର କାଠମାଣ୍ଡୁରୁ କାମ କରୁଥିଲା । ତେଣୁ ଏହା ପଛରେ ଶତ୍ରୁ ରାଷ୍ଟ୍ର ଚୀନର ମଧ୍ୟ ହାତ ଥାଇପାରେ ବୋଲି ସୁରକ୍ଷା ଏଜେନ୍ସିମାନେ ଆଶଙ୍କା କରୁଛନ୍ତି।
ଗିରଫ ୩ ଯୁବକ ପଶ୍ଚିମବଙ୍ଗର ମାଲଦାର ବାସିନ୍ଦା ବୋଲି ଦାବି କରିଛନ୍ତି। କିନ୍ତୁ ଦୁହେଁ ବାଂଲାଦେଶୀ ବୋଲି ପୁଲିସକୁ ସୂଚନା ମିଳିଥିବାରୁ ଏହାର ତଦନ୍ତ ମଧ୍ୟ କରାଯାଉଛି। ଗୋପାଳଗଞ୍ଜ ଏସପି ସ୍ୱର୍ଣ୍ଣ ପ୍ରଭାତ କହିଛନ୍ତି ଯେ ତଦନ୍ତକାରୀ ଏଜେନ୍ସିମାନେ ଯାହା ସାହାଯ୍ୟ ମାଗିବେ ସେଥିରେ ପୋଲିସ ସହଯୋଗ କରିବ।
ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୫ ତାରିଖରେ ଗୋପାଳଗଞ୍ଜର କୁଚାଇକୋଟ ଥାନା ପୁଲିସ ୟୁପି-ବିହାରର ବାଲଥରୀ ଚେକପୋଷ୍ଟରୁ ଏକ କାରରୁ ୮ ହଜାର ୭୭୪ଟି ସିମ୍ କାର୍ଡ ଓ ୧୮ ହଜାର ନେପାଳୀ ମୁଦ୍ରା ଜବତ କରିଥିଲା। ଗିରଫ ଯୁବକମାନେ ଏହି ସିମ୍ କାର୍ଡକୁ ସାଇବର ଠକେଇରେ ବ୍ୟବହାର କରାଯାଇଥିବା ପୁଲିସକୁ କହିଥିଲେ।

ସମ୍ବନ୍ଧିତ ଖବର