ଭାରତରେ ଧାର୍ମିକ ଭେଦଭାବ ଆଫଗାନିସ୍ତାନ, ସିରିଆ ସ୍ତରରେ ପହଞ୍ଚିଗଲାଣି : ଆମେରିକା

ଓ୍ବାସିଂଟନ : ଆମେରିକା ପୁଣି ଥରେ ଭାରତରେ ଧାର୍ମିକ ଭେଦଭାବ ପ୍ରସଙ୍ଗ ଉଠାଇ ଭାରତକୁ ଧମକାଇବାକୁ ଚେଷ୍ଟା କରିଛି । ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ (ୟୁଏସସିଆଇଆରଏଫ)ର ମୁଖ୍ୟ ରାବି ଆବ୍ରାହମ କୁପର ଦାବି କରିଛନ୍ତି ଯେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ଧାର୍ମିକ ଭେଦଭାବ ଭୟଙ୍କର ସ୍ତରରେ ପହଞ୍ଚିଛି। ଏପରିକି ଧମକପୂର୍ଣ୍ଣ ଢଙ୍ଗରେ ସେ କହିଛନ୍ତି ଯେ ଯଦି ଭାରତରେ ସ୍ଥିତିରେ ସୁଧାର ନ ଆସେ ତେବେ ଆମେରିକା ସରକାରଙ୍କ କଟକଣା ପାଇଁ ପ୍ରସ୍ତୁତ ରହିବା ଉଚିତ।

ଆମେରିକା କମିଶନ (ୟୁଏସସିଆଇଆରଏଫ)ର ମୁଖ୍ୟ କହିଛନ୍ତି ଯେ ଭାରତରେ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଭାରତକୁ ନିଜର ବାଟ ବଦଳାଇବାକୁ ପଡ଼ିବ। ପୂର୍ବରୁ ଭାରତ ଏହି କ୍ଷେତ୍ରରେ ଭଲ କାମ କରିଆସୁଥିଲା, କିନ୍ତୁ ବର୍ତ୍ତମାନ ଭାରତରେ ତାହା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଧାର୍ମିକ ଭେଦଭାବରେ ପୀଡ଼ିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଯାହା ଭୟଙ୍କର। ରାବି ଆବ୍ରାହମ କୁପର ଭାଷଣ ଦେଇ ଭାରତକୁ ଆଫଗାନିସ୍ତାନ ଓ ସିରିଆ ଭଳି ଦେଶ ସହ ତୁଳନା କରିଥିଲେ।

ମଙ୍ଗଳବାର ଆମେରିକୀୟ ସାଂସଦମାନଙ୍କୁ ସମ୍ବୋଧିତ କରି ରବି ଆବ୍ରାହମ କୁପର କହିଛନ୍ତି ଯେ ଧାର୍ମିକ ଭେଦଭାବ ଜାତୀୟ ଗୌରବର ବିଷୟ ହେବା ଉଚିତ  ନୁହେଁ। ଏହି ସମୟରେ ଭାରତ, ଆଫଗାନିସ୍ତାନ, ସିରିଆ, ନାଇଜେରିଆ ଏବଂ ଭିଏତନାମ ଭଳି ଦେଶ ଆମେରିକା ସରକାରଙ୍କୁ ବିଶେଷ ଚିନ୍ତାର ଦେଶ ତାଲିକାରେ ରଖିବାକୁ ସେ ସୁପାରିସ କରିଛନ୍ତି।

 

ସମ୍ବନ୍ଧିତ ଖବର