ଶସ୍ତା ଟିକେଟ ସହ ସାଧାରଣ ଜନତାଙ୍କ ପାଇଁ ଆସିବ ବନ୍ଦେ ଭାରତ ଟ୍ରେନ୍

ନୂଆଦିଲ୍ଲୀ: ସାଧାରଣ ଜନତା ପାଇଁ ଆସିବ ବନ୍ଦେ ଭାରତ ଟ୍ରେନ୍। ଏବେ ସରକାର ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିବା ବେଳେ ଏହାର ଟିକେଟର ଦାମ୍ ଅଧିକ ରହିଛି। ଏହି କାରଣରୁ ଅନେକ ଲୋକ ବନ୍ଦେ ଭାରତରେ ମିଳୁଥିବା ସୁବିଧାର ଲାଭ ଉଠାଇ ପାରୁନାହାନ୍ତି। ଏହାକୁ ଆଖି ଆଗରେ ରଖି ଏବେ ଭାରତୀୟ ରେଳବାଇ ବନ୍ଦେ ଭାରତ ଏକ୍ସପ୍ରେସରେ ଥିବା ବୈଶିଷ୍ଟ୍ୟକୁ ନେଇ ଏକ ନୂଆ ଟ୍ରେନ ଆଣିବାକୁ ଯାଉଛି। ଏହି ଟ୍ରେନରେ ବନ୍ଦେ ଭାରତ ଏକ୍ସପ୍ରେସରେ ଥିବା ବୈଶିଷ୍ଟ୍ୟ ମିଳିବା ସହ ସାଧାରଣ ଲୋକ ସୁଲଭ ମୂଲ୍ୟରେ ଯାତ୍ରା କରିପାରିବେ। ହେଲେ ଏଥିରେ ଏସିର ସୁବିଧା ମିଳିବ ନାହିଁ। ବିନା ଏସିରେ ‌ଯାତ୍ରୀଙ୍କୁ ଯାତ୍ରା କରିବାକୁ ହେବ।

ତେବେ ଏପର୍ଯ୍ୟନ୍ତ ଭାରତୀୟ ରେଳବାଇ ପକ୍ଷରୁ ଏହି ନୂଆ ଟ୍ରେନର ନାମ ସ୍ଥିର କରାଯାଇନାହିଁ। ସାଧାରଣ ଲୋକଙ୍କୁ ଭଲ ଯାତ୍ରା ଅଭିଜ୍ଞତା ଦେବାକୁ ଭାରତୀୟ ରେଳବାଇ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ଏହି ନୂଆ ଟ୍ରେନରେ ୮ଟି ଜେନେରାଲ୍ କମ୍ପାଟମେଣ୍ଟ ଓ ୧୨ଟି ଥ୍ରିଟାୟାର ସ୍ଳିପର କମ୍ପାଟମେଣ୍ଟ ରହିବ। ଏହି କୋଚଗୁଡ଼ିକ ଦିବ୍ୟାଙ୍ଗମାନଙ୍କ ଲାଗି ସୁବିଧାଜନକ ହେବା ସହ ତ୍ବରିତ ଲଗେଜ ରଖିବା ବ୍ୟବସ୍ଥା ରହିବ। ଏହି ଟ୍ରେନର ଇଞ୍ଜିନ, ଚିତ୍ତରଞ୍ଜନ ଲୋକୋମୋଟିଭ୍ସ ୱାର୍କସରେ ତିଆରି ହେଉଥିବା ବେଳେ ଅକ୍ଟୋବର ସୁଧା ଏହି ଟ୍ରେନ ଚଳାଚଳ କରିବା ଆରମ୍ଭ କରିବ।

ସମ୍ବନ୍ଧିତ ଖବର