କାହିଁକି ବଢୁଛି ଦିନ କୁ ଦିନ ସୁନା ଦର, ଆମେରିକା ଅବା ଚୀନ୍ କିଏ ଦାୟୀ? କେଉଁ ଦେଶ ପାଖରେ ରହିଛି ଅଧିକ ସୁନା

ନୂଆଦିଲ୍ଲୀ: ସୁନାର ଦର ରେକର୍ଡସ୍ତରରେ ପହଞ୍ଚିଛି। ଗତ ଶୁକ୍ରବାର ଭାରତରେ ସୁନା ୧୦ ଗ୍ରାମ୍ ପିଛା ମୂଲ୍ୟ ୬୭,୫୦୦ ଟଙ୍କାରେ ପହଞ୍ଚିଥିଲା। ଗୋଟିଏ ଦିନରେ ସୁନା ଦରରେ ୯୦୦ ଟଙ୍କା ବୃଦ୍ଧି ପାଇଥିଲା। ତେବେ ସୁନା ଦର ଦିନ କୁ ଦିନ ବଢୁଥିବାର କାରଣ ନେଇ ଅର୍ଥନୈତିକ ବିଶେଷଜ୍ଞ କହିଛନ୍ତି ଯେ, ଆମେରିକା ଡଲାର ଦୁର୍ବଳ ହେବା ଯୋଗୁ ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ ପାଇବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ବବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣିବାରେ ଲାଗିଛନ୍ତି। ଫଳରେ ସୁନା ଦର ବଢ଼ିବାରେ ଲାଗିଛି। ଶୁକ୍ରବାର ଅନ୍ତର୍ଜାତୀୟସ୍ତରରେ ସୁନା ଆଉନ୍ସ ପିଛା ୨,୨୦୦ ଡଲାରରେ ପହଞ୍ଚିଥିଲା। ସେହିପରି ସ୍ପଟ ଗୋଲ୍ଡ ଆଉନ୍ସ ପିଛା ୨,୧୭୯ ଡଲାରରେ ପହଞ୍ଚିଥିଲା। ଗତ ସପ୍ତାହଠାରୁ ଏହା ୪.୬୫ ପ୍ରତିଶତ ଅଧିକ।
ତେବେ ଚର୍ଚ୍ଚା ହେଉଛି ସୁନା ଦର ବୃଦ୍ଧି ପାଇଁ ଚୀନ୍ ଦାୟୀ। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଚୀନ୍ ର କେନ୍ଦ୍ରୀୟ ବ୍ୟାଙ୍କ ନିଜର ଗୋଲ୍ଡ ରିଜର୍ଭ ଦ୍ରୁତଗତିରେ ବଢ଼ାଇବାରେ ଲାଗିଛି। ଚୀନ୍ ର ଗୋଲ୍ଡ ରିଜର୍ଭରେ ୨୦୨୩ ଜାନୁଆରୀଠାରୁ ଲଗାତାର ୧୫ ମାସ ଧରି ବୃଦ୍ଧି ଜାରି ରହିଛି। ଏବେ ଚୀନ୍ ର ଗୋଲ୍ଡ ରିଜର୍ଭ ୨,୨୪୫ ଟନରେ ପହଞ୍ଚିଛି। ଅକ୍ଟୋବର ୨୦୨୨ ତୁଳନାରେ ଏହା ୩୦୦ ଟନ ଅଧିକ ରହିଛି।
ବିଶ୍ବର ବିଭିନ୍ନ ଦେଶ ମଧ୍ୟରେ ଆମେରିକା ପାଖରେ ସର୍ବାଧିକ ୮,୧୧୩ ଟନ ସୁନା ରହିଛି। ଏହାପରେ ଜର୍ମାନୀ ପାଖରେ ୩,୩୫୩ ଟନ ସୁନା ଅଛି। ଇଟାଲୀ ପାଖରେ ୨,୪୫୨ ଟନ , ଫ୍ରାନ୍ସ ପାଖରେ ୨,୪୩୭ ଟନ, ରୁଷିଆ ପାଖରେ ୨,୩୩୩ ଟନ, ୟୁରୋପର ସ୍ବିଜରଲ୍ୟାଣ୍ଡ ପାଖରେ ୧,୦୪୦ ଟନ ସୁନା ରହିଛି। ଜାପାନ ପାଖରେ ୮୪୭ ଟନ, ଭାରତ ପାଖରେ ୮୦୧ ଟନ, ନେଦରଲ୍ୟାଣ୍ଡ ପାଖରେ ୬୧୨ ଟନ, ତୁର୍କୀ ପାଖରେ ୪୪୦ ଟନ, ତାଇୱାନ ପାଖରେ ୪୨୪ ଟନ, ପର୍ତ୍ତୁଗାଲ ପାଖରେ ୩୮୩ ଟନ, ଉଜବେକିସ୍ତାନ ପାଖରେ ୩୭୭ ଟନ, ସାଉଦି ଆରବ ପାଖରେ ୩୨୩ ଟନ ଏବଂ କଜାକସ୍ତାନ ପାଖରେ ୩୧୪ ଟନ ସୁନାର ରହିଛି।

ସମ୍ବନ୍ଧିତ ଖବର