ମୋଦିଙ୍କ ଶପଥ ସମାରୋହକୁ କାହିଁକି ବର୍ଜନ କଲେ ଶରଦ ପାଓ୍ଵାର ?

ନୂଆଦିଲ୍ଲୀ : ଗତ ମେ ୩୦ ତାରିଖରେ ମୋଦି ସରକାରଙ୍କ ଶପଥଗ୍ରହଣ ଉତ୍ସବକୁ ଏନସିପିର ବରିଷ୍ଠ ନେତା ଶରଦ ପାଓ୍ଵାରଙ୍କ ବର୍ଜନକୁ ନେଇ ଏକ ରୋଚକ ତଥ୍ୟ ସାମନାକୁ ଆସିଛି । ଶପଥ ସମାରୋହରେ ୫ମ ଧାଡ଼ିରେ ଆସନ ଦିଆଯିବାକୁ ପ୍ରତିବାଦ କରି ପାଓ୍ଵାର ବର୍ଜନ କରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏକଥା ଏନସିପି ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଥିଲା । ଦଳ ପକ୍ଷରୁ କୁହାଯାଇଥିଲା ଯେ ଶରଦ ପାଓ୍ଵାର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଓ କୃଷିମନ୍ତ୍ରୀ, କିନ୍ତୁ ତାଙ୍କ ପାଇଁ ସିଟ ଆବଣ୍ଟନ କରିବା ବେଳେ ପ୍ରୋଟକଲକୁ ପାଳନ କରାଯାଇନଥିଲା ।

 

ତେବେ ଏହାକୁ ରାଷ୍ଟ୍ରପତି ଭବନ ପକ୍ଷରୁ ଆଜି ଖଣ୍ଡନ କରାଯାଇଛି । ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଅଶୋକ ମଲ୍ଲିକ କହିଛନ୍ତି ଯେ ପାଓ୍ଵାରଙ୍କୁ ଭି (V) ସେକ୍ସନରେ ବ୍ୟବସ୍ଥା କରାଯାଇଥିଲା । ଏହି ସେକ୍ସନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନଙ୍କ ବସିବାର ବ୍ୟବସ୍ଥା କରାଯାଏ । କିନ୍ତୁ ବୋଧହୁଏ ‘V’ କୁ ତାଙ୍କ ଦଳର ଲୋକମାନେ ୫ ବୋଲି ଭାବିଲେ ।

ସମ୍ବନ୍ଧିତ ଖବର