ଡିପ୍ରେସନରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଲଗାଣ ବର୍ଷା ଯୋଗୁଁ ତାମିଲନାଡୁରେ ୧୨ ମୃତ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଏକ ଅବପାତ ବା ଡିପ୍ରେସନରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଜିଠାରୁ ତାମିଲନାଡ଼ୁ ସମେତ ୩ ଦକ୍ଷିଣ-ଭାରତୀୟ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଆଇଏମଡିର ପୂର୍ବାନୁମାନ ଅନୁସାରେ ଏହି ଡିପ୍ରେସନ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା କାଲି ଅର୍ଥାତ ଗୁରୁବାର ସକାଳେ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବ । ଏହି ଲଘୁଚାପ ପ୍ରଭାବରେ ତାମିଲନାଡ଼ୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏହା ସହିତ ଘଣ୍ଟା ପ୍ରତି ୫୦ କିଲୋମିଟରରୁ ଅଧିକ ବେଗରେ ପବନ ଓ ସମୁଦ୍ରରେ ଉଚ୍ଚ ଲହରୀ ଉଠିବାର ସମ୍ଭାବନା ରହିଛି ।

image twitted by @NirupamaViswa

 

ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି । ବନ୍ୟାସ୍ଥିତିର ମୁକାବିଲା କରିବାକୁ ରାଜ୍ୟରେ ୧୧ଟି ଏନଡିଆରଏଫ ଦଳ ଓ ୭ଟି ଏସଡିଆରଏଫ ଦଳ ମୁତୟନ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଉଚ୍ଚ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି ।

ଅନ୍ୟପକ୍ଷରେ ତାମିଲନାଡୁରେ ଲଗାଣ ବର୍ଷା ଫଳରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୧୨ରେ ପହଞ୍ଚିଛି ବୋଲି ରାଜ୍ୟର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସଆର ରାମଚନ୍ଦ୍ରନ କହିଛନ୍ତି ।

ସମ୍ବନ୍ଧିତ ଖବର