ଅସୁରକ୍ଷିତ ରାଜଧାନୀ : ୫ ମାସରେ ୧୫ ହତ୍ୟା, ଅଧାରୁ ଅଧିକ ମାମଲାରେ ପୁଲିସ ହାତ ଖାଲି

ଭୁବନେଶ୍ୱର (ସରୋଜ କୁମାର ରାଉତ): ରାଜ୍ୟର ସବୁଠାରୁ ଟାଣୁଆ ପୁଲିସ ବ୍ୟବସ୍ଥା କୁହାଯାଉଥିବା କମିସନରେଟ୍‌ ପୁଲିସ ବଳୟ ମଧ୍ୟରେ ଥିବା ରାଜଧାନୀ ଭୁବନେଶ୍ୱର ଏବେ ଅସୁରକ୍ଷିତ ହୋଇପଡ଼ିଲାଣି। ପ୍ରତି ସପ୍ତାହ ଅନ୍ତରାଳେ କେଉଁଠି ନା କେଉଁଠି ବଡ଼ଧରଣର ଅପରାଧ ଘଟୁଛି। ହତ୍ୟା, ଗୁଳି ଓ ବୋମାମାଡ଼, ଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ଭାଇରାଲ ଭଳି ଅପରାଧିକ ଘଟଣା ପ୍ରତିଦିନ ଖବରକାଗଜ ପୃଷ୍ଠାମଣ୍ଡନ କରୁଛି। ତେବେ ଏପରି ଘଟଣାର ମାତ୍ରା ଦିନକୁ ଦିନ ବଢ଼ିବା ଫଳରେ ରାଜଧାନୀବାସୀ ନିଜକୁ ଆଉ ସୁରକ୍ଷିତ ମଣୁନାହାନ୍ତି। କେବଳ ଗତ ୫ମାସ ମଧ୍ୟରେ ରାଜଧାନୀରେ ୧୫ଟି ହତ୍ୟାକାଣ୍ଡ ଘଟି ସାରିଲାଣି। କିଛି ହାତଗଣତି ମାମଲାରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ବେଳେ ଏବେ ବି ଅଧାରୁ ଅଧିକ ମାମଲାରେ ପୁଲିସ ହାତ ଖାଲି।

ରାଜଧାନୀର  ଘଟିଥିବା କେତେକ ଚର୍ଚ୍ଚିତ ହତ୍ୟାକାଣ୍ଡ

ଜାନୁଆରି ୨୯ ତାରିଖ: ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ଲକ୍ଷ୍ମୀବିହାର ଅଞ୍ଚଳରେ ସ୍ୱାମୀର ପରକୀୟାପ୍ରୀତି ଥିବା ସନ୍ଦେହ କରି ସୁଦର୍ଶନ ନାଗ (୩୫) ନାମକ ଜଣେ ଯୁବକଙ୍କୁ ତାଙ୍କ ନିଜ ସ୍ତ୍ରୀ କିଶୋରୀ ନାଗ ଜିଅନ୍ତା ପୋଡ଼ି ଦେଇଥିଲେ।

ଫେବ୍ରୁଆରି ୨୪ ତାରିଖ: ବାଲିଅନ୍ତା ଥାନା ଅଧୀନରେ ଥିବା କାକରୁଦ୍ରପୁର ଗ୍ରାମରେ  ମାମିନା ମଲ୍ଲିକ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଛବି ମଲ୍ଲିକ ବେକରେ ଗାମୁଛା ଗୁଡ଼ାଇ ହତ୍ୟା କରିଥିଲା।

ମାର୍ଚ୍ଚ ୧୭ତାରିଖ: ମଞ୍ଚେଶ୍ୱର ଥାନା ଅଧୀନରେ ଥିବା କେନାଲ ବନ୍ଧ ନିକଟ ପାଟଦେଇପୁରରେ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ବିଭୀଷଣ ନାମକ ଜଣେ ଯୁବକ ତାର ଗର୍ଭବତୀ ସ୍ତ୍ରୀକୁ କିରାସିନି ଢାଳି ପୋଡ଼ି ହତ୍ୟା କରିଥିଲା।

ମାର୍ଚ ୨୪ ତାରିଖ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଇନଫୋସିଟି ଥାନା ଅଧୀନରେ ଥିବା ଚିରଗୋଲାଟୋଲ ବସ୍ତିରେ ବଣ୍ଟି ସକସେନାଙ୍କୁ ତାଙ୍କ ପଡ଼ୋଶୀ ସୁବାସ ଦାସ ପୋଡ଼ି ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ଏଯାଏଁ ଏହି ଘଟଣାରେ ପୁଲିସ ହତ୍ୟାକାରୀଙ୍କୁ ଗିରଫ କରିପାରିନାହିଁ।

ଏପ୍ରିଲ ୨୫ ତାରିଖ: ମଞ୍ଚେଶ୍ୱର ଥାନା ଅଧୀନରେ ଥିବା ପଳାଶୁଣୀ ଅଞ୍ଚଳର ମନୋଜ ବାରିକଙ୍କୁ କିଛି ଯୁବକ ମିଶି ଆକ୍ରମଣ କରିଥିଲେ। ଫଳରେ ମନୋଜ ଏଥିରେ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ହେଉଥିବା ଅବସ୍ଥାରେ ଏପ୍ରିଲ ୪ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ମଞ୍ଚେଶ୍ୱର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି

ଏପ୍ରିଲ ୨୩ ତାରିଖ: ଖଣ୍ଡଗିରି ଥାନା ଅଧୀନରେ ଥିବା ତାରିଣୀ ବସ୍ତିରେ ସନ୍ୟାସୀ ସ୍ୱାଇଁ ନାମକ ଜଣେ ଯୁବକ ଘରେ ଶୋଇଥିବା ବେଳେ କିଛି ଦୃର୍ବୁତ୍ତ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ସନ୍ୟାସୀ ଗୁରୁତର ଭାବେ ଆହାତ ହୋଇ ଏମସ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏପ୍ରିଲ ୨୯ ତାରିଖ: ବଡ଼ଗଡ଼ ଥାନା ଅଧୀନରେ ଥିବା ଚିଲ୍ଲିପୋଖରୀର ଶିବନଗର ବସ୍ତିରେ ସମାନ୍ୟ କଥାକୁ କେନ୍ଦ୍ରକରି ଦୁଃଶାସନ ମହାନ୍ତି ନାମକ ଜଣେ ଜାମିନଦାରକୁ ନିର୍ମମ ହତ୍ୟା କରାଯାଇଥିଲା। ଏଥିରେ ଦୁଃଶାସନଙ୍କ ପୁଅ ମଧ୍ୟ ଆହାତ ହୋଇଥିଲେ। ଏନେଇ ବଡ଼ଗଡ଼ ଥାାନରେ ଅଭିଯୋଗ ହୋଇଥିଲା। ପୁଲିସ ଏପ୍ରିଲ ମାସ ୨ ତାରିଖରେ ବିକ୍ରମ ପରିଡ଼ା ନାମକ ଜଣେ ଅଭିଯୁକ୍ତକୁ ଗିରଫ ଗିରଫ କରିଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତଙ୍କ ଟେର ପାଇନି।

ମେ  ୫ ତାରିଖ: ଦେଶୀ ମଦ କାରବାରକୁ ନେଇ ଦିନ ଦ୍ୱିପହରରେ ଲକ୍ଷ୍ମୀସାଗର ଥାନା ଅଧୀନ ଷ୍ଟେସନବଜାର ମୋଚିସାହିରେ ପି କାମେଶ୍ୱର ରେଡ୍ଡୀ ନାମକ ଜଣେ ଯୁବକଙ୍କୁ ବାଉଁଶ ମୂଳିରେ ପିଟି ହତ୍ୟା କରାଯାଇଥିଲା।

ମେ’ ୮ ତାରିଖ: ଖଣ୍ଡଗିରି ଥାନା ଅଧୀନ ମାର୍ବଲ ମସ୍ତ୍ରୀ ଅଜିତ ପ୍ରଧାନଙ୍କୁ ଅପହରଣ  କରାଯାଇ ପିପିଲିରେ ହତ୍ୟା କରାଯାଇଥିଲା। ଠିକାଦାର ହିଁ ହତ୍ୟା କରିଥିବା ଅଜିତଙ୍କ ପରିବାରଲୋକ ଅଭିଯୋଗ କରି ଆସୁଛନ୍ତି। ଏହି ଘଟଣାରେ ପୁଲିସ ଏଯାଏ କାହାରିକୁ ଗିରଫ କରି ନାହିଁ।

ମେ’ ୧୦ତାରିଖ: ବ୍ରାଉନସୁଗାର କାରବାରକୁ ନେଇ ପଳାସୁଣି ମଦ ଦୋକାନ ସମ୍ମୁଖରେ ସଞ୍ଜୟ ବେହେରା ଓରଫ ଧୋବା ନାମକ ଜଣେ ଯବକଙ୍କୁ ନିଶା ମାଫିଆ ହାଡିଆ ଛୁରି ଭୁସି ହତ୍ୟା କରିଥିଲା।

ମେ’ ୧୨ ତାରିଖ: ବାଲିପାଟଣା ଥାନା ଅଧୀନରେ ଠିକାଦାର ବାମଦେବ ସାହୁ ତାଙ୍କ ସ୍ତ୍ରୀ ରୀନାରାଣି ସାହୁଙ୍କୁ କଟୁରିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲେ।

ମେ’ ୨୮ ତାରିଖ: ଅଧେଇଖାଲ ଅଞ୍ଚଳରେ ଲୋଚନ ଦାସ ନାମକ ଜଣେ ଯୁବକଙ୍କୁ କେହି ଜଣେ ଦୁର୍ବୃତ୍ତ ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିଲା। ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ଏଯାଏଁ କାହାରିକୁ ଗିରଫ କରିନାହିଁ।

ବିଳମ୍ବିତ ରାତିରେ ଘରେ ପଶି ବାଇକ୍‌ ଜାଳିଦେଲେ ଦୁର୍ବୃତ୍ତ

ଚନ୍ଦ୍ରଶେଖରପୁର  : ବିଳମ୍ବିତ ରାତିରେ ପାଚେରି ଡେଇଁ ଘରେ ପଶି ବାଇକ୍‌ ଜାଳିଦେଲେ ଦୁର୍ବୃତ୍ତ। ବାଇକ୍‌ ସହିତ ମଧ୍ୟ ଜଳିଗଲା ସାଇକେଲ୍‌। ଏଭଳି ଘଟଣା ଘଟିଛି  ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାର ଜିଏ ପ୍ଲଟ୍‌ ୩୩୨ରେ  ରହୁଥିବା କେ.ପ୍ରଭାକର ରାଓଙ୍କ ଘରେ। ସମସ୍ତେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇଥିବା ସେ ଅଭିଯୋଗ କରିଛନ୍ତି। କିଛି ଶବ୍ଦ ଶୁଣି ସେ ନିଦରୁ ଉଠିଥିଲେ। ମାତ୍ର ନିଆଁକୁ ଆୟତ କରିବାକୁ ଗଲାବେଳେ ବାଇକ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଏନେଇ ଶ୍ରୀ ରାଓ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛିି। ତେବେ ବାଇକ୍‌ ଜଳି ଯାଇଥିଲେ ମଧ୍ୟ ଘରେ ଶୋଇଥିବା ଶ୍ରୀ ରାଓଙ୍କ ପରିବାର ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି। ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଚାଲିଥିବା ପୁଲିସ୍‌ କହିଛି।

ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ଲକ୍ଷ୍ମୀସାଗର ଥାନ ଅଧୀନରେ ଥିବା ଜଗନ୍ନାଥ ନଗର ଲେନ୍‌-୨ ଅଞ୍ଚଳରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ  ମୃତଦେହକୁ ପୁଲିସ ଜବତ କରିଛି। ତାଙ୍କ ନାଁ ସମୀର ବାରିକ। ସନ୍ତୋଷ ଗତ କିଛି ଦିନ ହେଲା ଭୁବନେଶ୍ୱର ଆସିଥିଲେ। ଏଠାରେ ସେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ସମୀର ଗତ ଦୁଇ ତିନି ଦିନ ତଳେ ତାଙ୍କ ଗାଁକୁ ଦୁଇ ତିନି ଜଣ ଯୁବତୀଙ୍କୁ ନେଇ ଯାଇଥିଲେ। ସେଠାରୁ ଫେରିବା ପରେ ସେ ଅନ୍ୟମନସ୍କ ଓ ଚୁପଚାପ ରହୁଥିଲେ। ସବୁଦିନ ଭଳି ସେ ଆଜି ମଧ୍ୟ କାମ କରିବାକୁ ଯାଇଥିଲେ। ଖାଇବା ଛୁଟିରେ ସେ ତାଙ୍କ ସହଯୋଗୀଙ୍କ ସହ ଖାଇବାକୁ ନ ଯାଇ ଦେହ ଖରାପ କହି ରୁମ୍‌କୁ ଯାଇଥିଲେ। ରମ୍‌ରୁ ନ ବାହାରିବାରୁ ତାଙ୍କର ଜଣେ ସହଯୋଗୀ ତାଙ୍କୁ ଡାକିଥିଲେ। ବହୁତ ସମୟ ଧରି ସମୀର କୌଣସି ଉତ୍ତର ନଦେବାରୁ ତାଙ୍କର ସନ୍ଦେହ ହୋଇଥିଲା। ଏନେଇ ସେ ଲକ୍ଷ୍ମୀସାଗର ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ସମୀରଙ୍କ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ପରେ  ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ପଥର ବୋଝେଇ ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ବାରଙ୍ଗ : ବାରଙ୍ଗ ଆନନ୍ଦବଜାର ଗୋଲେଇ ଛକ ନିକଟରେ ପଥର ବୋଝେଇ ଏକ ଟ୍ରକ୍‌ ଧକ୍କାରେ ଆଜି ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍‌ ଚାଳକଜଣଙ୍କ ହେଲେ, କଟକ ସଦର ପ୍ରତାପନଗରୀ ଗ୍ରାମର ସୁନିଲ କୁମାର ସେନାପତି (୩୨)। ସେ ଭୁବନେଶ୍ୱରର ଏକ ଚିଙ୍ଗୁଡ଼ି କମ୍ପାନିରେ କାମ କରନ୍ତି। କାମ ସାରି ସେ ନିଜ ବାଇକ୍‌ (ଓଡି-୦୨-୯୦୭୨)ରେ ବାରଙ୍ଗ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଗାଲେଇ ଛକ ନିକଟରେ ଚନ୍ଦକା ପଟୁ ଦ୍ରୁତ ଗତିରେ ଆସିୁଥିବା ପଥର ବୋଝେଇ ଟ୍ରକ୍‌ (ଓଆର୍‌-୦୨ ଏଫ୍‌୫୩୧୭) ତାଙ୍କୁ ଧକ୍କା ଦେବା ପରେ ତାଙ୍କ ଅଣ୍ଟା ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ବାରଙ୍ଗ ଥାନା ପୁଲିସ ତାଙ୍କୁ ଉଦ୍ଧାର କରି ତାଙ୍କୁ କଟକ ବଡ଼ ଡାକ୍ତରଖାନା ନେଉଥିବା ବେଳେ ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏନେଇ ପୁଲିସ ବାରଙ୍ଗ ଥାନାରେ ଏକ ମାମଲା ରୁଜୁି କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ଦୁଘଟଣାଗ୍ରସ୍ତ ବାଇକ୍‌କୁ ବାରଙ୍ଗ ଥାନାକୁ ଉଦ୍ଧାର କରିଆଣିଛି। ଟ୍ରକର ଚାଳକ ଫେରାର ଅଛି।

ସମ୍ବନ୍ଧିତ ଖବର