ଦଶହରା ପାଇଁ ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଦଶହରା ପୂଜା ପାଇଁ କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ପୂଜା ପାଇଁ ସୁରକ୍ଷା ଦାୟିତ୍ବରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ | ରାଜଧାନୀର ୧୮୮ ଟି ସ୍ଥାନରେ ଦୁର୍ଗାପୂଜା ହେବ | ୨୦ ରୁ ୨୫ ଅକ୍ଟୋବର ଯାଏଁ ପୁଲିସ ଛାଉଣୀରେ ରାଜଧାନୀ ରହିବ | ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡାକଡି ହେବ | ଏହି ସମୟ ମଧ୍ୟରେ ଭାରିଯାନ ଚଳାଚଳରେ ପ୍ରତିବନ୍ଧକ ରହିବ | ୩ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ସୁରକ୍ଷା ଦିଆଯିବ |

ବିଭିନ୍ନ ବିଭାଗ ସହ କମିଶନରେଟ ପୁଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି | ୬ଟି ଜାଗାରେ କମିଶନରେଟ ପୁଲିସ କଣ୍ଟ୍ରୋଲ ରୁମ କରିଛି | ବଟି ଓ ଚାନ୍ଦା ମାଗିଲେ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ଓ ପୁରା ସୁରକ୍ଷା ବ୍ୟବସ୍ଥାକୁ ଭୁବନେଶ୍ୱର ଡିସିପି ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ବୋଲି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି | କମିଶନରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର ସହରରେ ନିୟୋଜିତ ହେବେ | ସେହିପରି ୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ | ସହରର ଛକ ଓ ଗଳିକନ୍ଦି ସିସିଟିଭି ନଜରରେ ରହିବ | ସେହିପରି ପୁଲିସ କମିଶନର କହିଛନ୍ତି ଯେ ପୂଜା ଦେଖିବାକୁ ଗଲାବେଳେ ନିଜ ଘରର ସୁରକ୍ଷା ନେଇ ସଚେତନ ରୁହନ୍ତୁ |

ସମ୍ବନ୍ଧିତ ଖବର