ବିଏମ୍‌ସି ରାଜକୋଷ ଉପରେ ବଦଳି ପ୍ରଭାବ, ଆୟ କମିବ ୩୫କୋଟି!

ମାସକରେ ୬୦କୋଟି ଟାର୍ଗେଟ୍‌

ଭୁବନେଶ୍ବର: ୨୦୧୭-୧୮ ଆର୍ଥିକ ବର୍ଷରେ ବିଏମ୍‌ସି ୧୩୫କୋଟି ୩ଲକ୍ଷ ୮ହଜାର ୨ଶହ ଟଙ୍କା ରାଜସ୍ବ ଆଦାୟ କଲା। ଯାହା ବିଏମ୍‌ସିର ରେକର୍ଡ ରାଜସ୍ବ ଆଦାୟ ଥିଲା। ଏପରିକି ୨୦୧୬-୧୭ ତୁଳନାରେ ୨୫କୋଟି ଅଧିକ ରାଜସ୍ବ ଆଦାୟ କରିଥିବାରୁ ବିଏମ୍‌ସି ସବୁଆଡ଼ୁ ସାବାସି ଗୋଟାଇଲା। ଏହାପରେ କର୍ତ୍ତୃପକ୍ଷ ୨୦୧୮-୧୯ରେ ୧୫୦କୋଟି ରାଜସ୍ବ ଆଦାୟ କରିବେ ବୋଲି ଟାର୍ଗେଟ୍‌ ରଖିଲେ। ବର୍ଷ ଆରମ୍ଭରୁ ବି ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇ ଜୋ‌ନାଲ ଡେପୁଟି କମିସନର, ଟ୍ୟାକ୍ସ କଲେକ୍ଟରମାନଙ୍କୁ ଟାର୍ଗେଟ୍‌ ଧରାଇ ଦିଆଗଲା। କିନ୍ତୁ ମାସ କେଇଟା ପରେ ସେ ଜୋସ୍ କମିଗଲା। ଆର୍ଥିକ ବର୍ଷ ସରିବାକୁ ଆଉ ମାସେରୁ କମ୍‌ ସମୟ ଥିବା ବେଳେ ବିଏମ୍‌ସି ଏଥର ପ୍ରାୟ ୯୦ କୋଟି ଟଙ୍କା ରାଜସ୍ବ ଆଦାୟ କରିଛି। ଏଥିରେ ମାର୍ଚ୍ଚ ଶେଷ ସୁଦ୍ଧା‌ ଟାର୍ଗେଟ୍ ପୂରଣ ପାଇଁ କେମିତି ୬୦କୋଟି ଆଦାୟ କରିବେ ସେନେଇ ଅଧିକାରୀଙ୍କ ମୁଣ୍ଡ ଚକ୍କର କାଟିଲାଣି। ବାରମ୍ବାର ମୁଖିଆ ବଦଳିବା ଏବଂ ରାଜସ୍ବ ଆଦାୟରେ ପ୍ରମୁଖ ଭୂମିକା‌ ଗ୍ରହଣ କରୁଥିବା ଅଧିକାରୀଙ୍କ ବଦଳି ପ୍ରଭାବ ଏବେ ବିଏମ୍‌ସି ରାଜକୋଷ ଉପରେ ପଡ଼ିଛି। ଖର୍ଚ୍ଚ ଆକଳନ ଅନୁଯାୟୀ ଆୟ ହେଉନଥିବାରୁ ବିଭିନ୍ନ ଉନ୍ନତିମୂଳକ କାମ ବି ହୋଇପାରୁନି। ନୂଆ ମୁଖିଆ, ନୂଆ ଅଧିକାରୀ କିପରି ରାଜସ୍ବ ଆଦାୟ କରିବେ ତାହା ଉପରେ ସମସ୍ତଙ୍କ ନଜର। ବିଏମ୍‌ସିର ଆୟ ଗତବର୍ଷ ତୁଳନାରେ ଢେର୍ କମିଥିବା ବେଳେ ସବୁଠୁ ଅଧିକ କମିଛି ଅକ୍ଟୋବରରେ। ୨୦୧୭ ଅକ୍ଟୋବରରେ ଯେତିକି ରାଜସ୍ବ ଆଦାୟ ହୋଇଥିଲା ତାହାଠାରୁ ୪୩% ଏଥର କମିଛି। ନଭେମ୍ବରରେ ୨୭% କମିଥିବା ବେଳେ ସେପ୍ଟେମ୍ବରରେ ୧୧% ଏବଂ ଜୁନ୍‌ ଓ ଡିସେମ୍ବରରେ ୯% ରାଜସ୍ବ ଆଦାୟ କମିଛି। ଏହି ରାଜସ୍ବ କିପରି ଭରଣା କରାଯିବ, ସେନେଇ ବିଏମ୍‌ସି ଅଧିକାରୀ ବି କିଛି ବାଟ ପାଉନାହାନ୍ତି। ବର୍ତ୍ତମାନ ଯେଉଁ ହାରରେ ରାଜସ୍ବ ଆଦାୟ ହେଉଛି, ସେଥିରେ ବିଏମ୍‌ସି ୧୦୦କୋଟି ଅତିକ୍ରମ କରିବା ବି କଷ୍ଟକର ହୋଇଯିବ। ଏପରି ସ୍ଥିତିରେ ଗତବର୍ଷଠାରୁ ୩୫କୋଟି ରାଜସ୍ବ କମିବା ଏକରକମ ଥୟ ହୋଇଗଲାଣି।

ଅକ୍ଟୋବରରେ ୪୩%, ନଭେମ୍ବରର ୨୭% ଆଦାୟ କମିଛି
ବର୍ଷା ବିତ୍ପାତ, ହକି ବିଶ୍ବକପ୍‌
ପାଇଁ କମିଲା: ବିଏମ୍‌ସି
ଦୁଇ ମାସ ଭିତରେ ଜଣେ ପ୍ରଶାସକ, ଦୁଇ କମିସନର, ୫ରୁ ଅଧିକ ଡେପୁଟି କମିସନରଙ୍କ ବଦଳି

ଅପରପକ୍ଷେ ଏଥର ୱାର୍ଡ ବଜେଟ୍‌ ନେଇ ଆସନ୍ତା ୬ମାସ ପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କୁ ଚିନ୍ତା କରିବାକୁ ନଥିବାରୁ କେହି ବି ଏନେଇ ବେଶି ତତ୍ପରତା ଦେଖାଉ ନାହାନ୍ତି। କର୍ପୋରେଟରଙ୍କ କାର୍ଯ୍ୟକାଳ ସରିଥିବାରୁ ୱାର୍ଡ ସ୍ତରରେ ବି ବିଶେଷ କିଛି କାର୍ଯ୍ୟ ହେବାର ନାହିଁ। ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ଯେତିକି ଅନୁଦାନ ମିଳୁଛି ସେଥିରେ ବିଏମ୍‌ସି ରାଜସ୍ବ ମିଶାଇ ଅର୍ଥ ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ବିଏମ୍‌ସି ରାଜସ୍ବ ଆଦାୟକୁ ଚଳିତ ବର୍ଷ ଗୁରୁତ୍ବ ଦେଉନଥିବାରୁ ବହୁ ଲୋକ/ବ୍ୟବସାୟୀ ଟିକସ ଫାଙ୍କିବାକୁ ଉଦ୍ୟମ ଆରମ୍ଭ କ‌ରି ଦେଇଛନ୍ତି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଏଥର ବର୍ଷା ବିତ୍ପାତର ମୁକାବିଲା, ଡ୍ରେନ୍‌ରୁ ଜବରଦଖଲ ଉଚ୍ଛେଦ କରୁକରୁ ଜୁଲାଇ, ଅଗଷ୍ଟ ମାସ ସରିଗଲା। ସେପ୍ଟେମ୍ବର ଓ ଅକ୍ଟୋବରରେ ପୂଜା ପୂର୍ବରୁ ରାସ୍ତା ମରାମତି, ଛାତ ଉପରୁ ହୋର୍ଡିଂ ଉଚ୍ଛେଦ, ଅଳିଆ ଉଠାଇବା ଉପରେ ଅଧିକ ଧ୍ୟାନ ଦିଆଗଲା। ଆଉ ଅକ୍ଟୋବର-ନଭେମ୍ବର-ଡିସେମ୍ବର ହକି ବିଶ୍ବକପ୍‌ ପ୍ରସ୍ତୁତିରେ ଗଲା। ଏହି ସମୟରେ ଓଡ଼ିଆ ନାମଫଳକ ପାଇଁ ଉଚ୍ଛେଦ, ପଲିଥିନ୍ କଟକଣା ଲାଗୁ କରିବାରେ ଅଧିକାରୀମାନେ ବ୍ୟସ୍ତ ରହିବାରୁ ରାଜସ୍ବ ଆଦାୟ ଫୋକସ୍‌ରେ ରହିଲାନି। ଏହି ସମୟରେ ମୁଖ୍ୟତଃ ଅଧିକ ରାଜସ୍ବ ଆଦାୟ ହୁଏ। ଏହା ହୋଇପାରିଲାନି। ଫେବ୍ରୁଆରି-ମାର୍ଚ୍ଚ ମାସରେ ରାଜସ୍ବ ଆଦାୟକୁ ଫୋକସ୍‌ କଲା ବେଳକୁ ସବୁ ଉପରିସ୍ଥ ଅଧିକାରୀଙ୍କ ବଦଳି ହୋଇଗଲାଣି। ହକି ବିଶ୍ବକପ୍‌ ସରୁ ସରୁ ବିଏମ୍‌ସିର ତିନିରୁ ଚାରିଜଣ ଡେପୁଟି କମିସନରଙ୍କ ବଦଳି ହୋଇଗଲା। ଏହାପରେ ରାଜସ୍ବ ଆଦାୟ ଦାୟିତ୍ବରେ ଥିବା ଡେପୁଟି କମିସନରଙ୍କର ବି ଏବେ ବଦଳି ହୋଇଯାଇଛି। ତିନିଟି ଯାକ ଜୋନ୍‌ର ଡେପୁଟି କମିସନରଙ୍କର ଏନେଇ ଅଭିଜ୍ଞତା କମ୍‌। ପୂର୍ବତନ କମିସନର ଲୋକଙ୍କ ସମସ୍ୟା ଦୂର କରିବା‌କୁ ଯୋଜନାରେ ବ୍ୟସ୍ତ ରହିବାରୁ ରାଜସ୍ବ ଆଦାୟକୁ ଫୋକସ୍ କରିପାରିଲେନି। ଦୁଇ ମାସ ଭିତରେ ଦୁଇ ଜଣ କମିସନର ବଦଳି ଗଲେ। ଜଣେ ପ୍ରଶାସକ ବି ବଦଳି ଗଲେଣି। ପ୍ରଶାସକ ଓ କମିସନର ଦୁଇଜଣ ନୂଆ। ତେଣୁ ଏବେ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯିବ। ନୂଆ ପ୍ରଶାସକ ଓ କମିସନର କିପରି ଅଧୀନସ୍ଥ କର୍ମଚାରୀଙ୍କୁ ରାଜସ୍ବ ଆଦାୟ କରାଇବାରେ ଲଗାଉଛନ୍ତି ଏବଂ କାମ ହାସଲ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

ସୂଚନାଯୋଗ୍ୟ, ବିଏମ୍‌ସି କର୍ତ୍ତୃପକ୍ଷ ଏଥର ଗୃହ ଟିକସ ବାବଦକୁ ୫୦କୋଟି, ଟ୍ରେଡ୍ ଲାଇସସେନ୍ସ ବାବଦକୁ ୭କୋଟି, ବିଜ୍ଞାପନ ବାବଦକୁ ୨୦କୋଟି, ନିଜସ୍ବ ସମ୍ପତ୍ତି ଭଡ଼ା ବାବଦକୁ ୬କୋଟି, ଅନ୍ୟାନ୍ୟ ରାଜସ୍ବ ବାବଦକୁ ୬୭କୋଟି ରାଜସ୍ବ ଆଦାୟ କରିବାକୁ ଟାର୍ଗେଟ୍‌ ରଖିଛନ୍ତି। ଗତବର୍ଷ ଏହି ସବୁ କ୍ଷେତ୍ରରେ ରାଜସ୍ବ ଆଦାୟ ବଢ଼ିଥିବାରୁ କର୍ତ୍ତୃପକ୍ଷ ଏହାକୁ ଆହୁରି ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଏହା କେମିତି ଆଦାୟ ହେଉଛି ତାହା ଦେଖିବାକୁ ବାକି ଅଛି। ଅପରପକ୍ଷେ ବିଏମ୍‌ସିର ରାଜସ୍ବ ବିଭାଗର ଜଣେ ଅଧିକାରୀ କହିଛନ୍ତି ଏଥର ରାଜସ୍ବ କମିବାର ପ୍ରମୁଖ କାରଣ ବର୍ଷା ବିତ୍ପାତ, ସବୁ ଅଧିକାରୀ ହକି ବିଶ୍ବକପ୍‌ ପ୍ରସ୍ତୁତିରେ ଲାଗିବା ହେଲା। ଏହାବାଦ୍‌ ଗତ ବର୍ଷ ଆମେ ବସ୍‌ ସେଲ୍‌ଟର ବାବଦକୁ ପ୍ରାୟ ୧କୋଟି ପାଇଥିବା ବେଳେ ଏଥର ଏହା ପାଇବୁନି। କ୍ରୁଟ୍‌ ଅଧୀନକୁ ବସ୍‌ ସେଲ୍‌ଟର ଚାଲି ଯାଇଥିବାରୁ କ୍ରୁଟ୍‌ ଆମକୁ ଅର୍ଥ ଦେବ। ଆସନ୍ତାବର୍ଷଠୁ ଆମେ ପୂର୍ବାପେକ୍ଷା ଏହି ବାବଦକୁ ବହୁ ଅଧିକ ରାଜସ୍ବ ପାଇବୁ। ସେହିପରି ଛାତ ଉପରେ ହୋର୍ଡିଂ ନ ଲଗାଇବାକୁ ନିଷ୍ପତ୍ତି ହୋଇଥିବାରୁ ଆମେ ଗତ କିଛି ମାସ ମଧ୍ୟରେ ସବୁ ହୋର୍ଡିଂ କାଟି ଦେଇଛୁ। ତେଣୁ ଏ ବାବଦକୁ ଆମେ ପ୍ରାୟ ୩କୋଟି ରାଜସ୍ବ ହରାଇବୁ। ଗତବର୍ଷ ପୂର୍ବ ବର୍ଷଗୁଡ଼ିକର ବକେୟା ଫି’ବାବଦକୁ ୧୦କୋଟି ରାଜସ୍ବ ଆଦାୟ କରିଥିଲୁ। କିନ୍ତୁ ଏଥର କେତେ ଆଦାୟ ହେବ କହିହେଉନି। ଅପରପକ୍ଷେ ବିଏମ୍‌ସି ଅଞ୍ଚଳ‌ ମଧ୍ୟରେ ଗୃହ ନିର୍ମାଣ ଆଖିଦୃଶିଆ ବଢ଼ି ନଥିବାରୁ ଗୃହ ଟିକସ କ୍ଷେତ୍ରରେ ବି ବଡ଼ ଧରଣର ଅଦଳବଦଳ ହେବନି। ତେଣୁ ବିଏମ୍‌ସିର ‌ନିୟମିତ ଟିକସ ଆଦାୟ ସହ ୟୁଜର ଚା‌େର୍ଜସ୍, ହୋଲଡିଂ ଟିକସ, ଟ୍ରେଡ୍ ଲାଇସେନ୍ସ ଖିଲାପ କରୁଥିବା ବ୍ୟକ୍ତି ଓ ସଂସ୍ଥାଙ୍କଠାରୁ ଜରିମାନା ନିଶ୍ଚିତ ଆଦାୟ କରିବା, ପଲିଥିନ୍ ବ୍ୟବହାରକାରୀଙ୍କ ଉପରେ ଜରିମାନା, ଓଡିଏଫ୍ ନିୟମ ମାନୁନଥିବା ଲୋକଙ୍କ ଉପରେ ଜରିମାନା, ବେଆଇନ ହୋର୍ଡିଂ ଓ ବିଜ୍ଞାପନ ଲଗାଉଥିବା ସଂସ୍ଥା ଓ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ରାଜସ୍ବ ବଢ଼ାଇବୁ। ଲୋକମାନେ ମାର୍ଚ୍ଚ ମାସରେ ବକେୟା ଫି’ ଜମା କରୁଥିବାରୁ ଆମେ ଅତି କମ୍‌ରେ ୧୨୦ କୋଟି ଅତିକ୍ରମ କରିଦେବୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବିଏମ୍‌ସି ଗତ ତିନି ଆର୍ଥିକ ବର୍ଷରେ ରାଜସ୍ବ ଆଦାୟରେ ନୂଆ ରେକର୍ଡ କରିସାରିଛି। ୨୦୧୫-୧୬ରେ ବିଏମ୍‌ସି ୭୬କୋଟି ରାଜସ୍ବ ଆଦାୟ କରିଥିବା ବେଳେ ୨୦୧୬-୧୭ରେ ୧୦୦କୋଟି ଛୁଇଁଥିଲା। ଆଉ ୨୦୧୭-୧୮ରେ ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ୧୩୫କୋଟି ଛୁଇଁଥିଲା। ତେଣୁ ୨୦୧୮-୧୯ରେ ରାଜସ୍ବ ଆଦାୟ ଏହାଠୁ ବଢ଼ିବ ନା କମିବ ‌ତାହା ଉପରେ ସମସ୍ତଙ୍କ ନଜର।

ସମ୍ବନ୍ଧିତ ଖବର