ସାର୍ଟିଫିକେଟ୍ ପୋଡ଼ିଲେ: ଚାକିରି ଆଶାୟୀ ଡିପ୍ଲୋମା ଛାତ୍ରଛାତ୍ରୀ

ଭୁବନେଶ୍ବର: ଦୀର୍ଘ ଦିନ ଧରି ସେଚସଦନ ସମ୍ମୁଖରେ ଆନ୍ଦୋଳନରେ ବସିଲେ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଠାରୁ ସନ୍ତୋଷଜନକ ଉତ୍ତର ପାଇଲେ ନାହିଁ କି ସେମାନଙ୍କ ଦାବି ଶୁଣାଗଲା ନାହିଁ। ତେଣୁ ଆଜି ଶେଷରେ ବାଧ୍ୟ‌ ହୋଇ ସେଚସଦନ ସମ୍ମୁଖରେ ନିଜ ଡିଗ୍ରି ସାର୍ଟିଫିକେଟ୍ ପୋଡ଼ିଦେଲେ ଚାକିରି ଆଶାୟୀ ଡିପ୍ଲୋମା ଛାତ୍ରଛାତ୍ରୀ। ଏନେଇ ବେକାରୀ ଡିପ୍ଲୋମା ଇଞ୍ଜିନିୟର୍ସ ସଂଘ ପକ୍ଷରୁ କୁହାଯାଇଛି ଯେ ଜଣେ ଛାତ୍ର ପାଇଁ ସାର୍ଟିଫିକେଟ୍‌ ହେଉଛି ମୂଲ୍ୟବାନ ସମ୍ପତ୍ତି। ବହୁ କଷ୍ଟ କରି ‌‌ସେ ପରୀକ୍ଷାରେ ପାସ୍‌ କଲା ପରେ ଏହି ସାର୍ଟିଫିକେଟ ପାଇଥାଏ। ହେଲେ ଚାକିରି ନ ମିଳିବା ଫଳରେ ଏହି ସାର୍ଟିଫିକେଟ୍ କ’ଣ ହେବ? ଚାକିରି ଖଣ୍ଡକ ପାଇଁ କେତେ ଦୌଡ଼ିବୁ? ପ୍ରତିଦିନ ଏ ଅଫିସ୍‌ ସେ ଅଫିସ୍‌ ଦୌଡ଼ି ଦୌଡ଼ି ଥକି ପଡ଼ିଲୁଣି। କେତେ ଦିନ ରାଜରାସ୍ତାରେ ବସିବୁ? ଯେତେ ଆଲୋଚନା କଲେ ମଧ୍ୟ କିଛି ଫଳ ମିଳିଲାନି।

କେହି ଅଧିକାରୀମାନେ ଆମସହ ଆଲୋଚନା କରିବାକୁ ଆସିଲେ ନାହିଁ। ତେଣୁ ଭାବିଲୁ ଏ ସାର୍ଟିଫିକେଟର କିଛି ମୂଲ୍ୟନାହିଁ। ତେଣୁ ପୋଡ଼ିଦେବା ପାଇଁ ନିଷ୍ପତ୍ତି ନେଲୁ। ସଂଘ ପକ୍ଷରୁ କରାଯାଇଥିବା ୧୧ ଦଫା ଦାବି ମଧ୍ୟରେ ଯେ ପର୍ଯ୍ୟନ୍ତ ଉଚ୍ଚନ୍ୟାୟାଳୟରେ ପଡ଼ିରହିଥିବା ମାମଲାର ସମାଧାନ ନ ହୋଇଛି, ‌‌ସେପର୍ଯ୍ୟନ୍ତ ନୂଆ ଭାବେ ପ୍ରକାଶ ପାଇଥିବା କନିଷ୍ଠଯନ୍ତ୍ରୀ ପଦବି ପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଉ, ଏହି ନ୍ୟାୟିକ ମାମଲାର ସୁପରିଚାଳନା ନିମନ୍ତେ ଆଡଭୋକେଟ୍ ଜେନେରାଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ନିମନ୍ତେ ତୁରନ୍ତ ନିର୍ଦ୍ଦେଶ ଦିଆଯାଉ ଆଦି ରହିଛି। ଏହି ଆନ୍ଦୋଳନରେ ସଂଘ ଉପଦେଷ୍ଟା ବିଭୂତି ଭୂଷଣ ମହାପାତ୍ର ଓ ସଭାପତି କୃତିଦୀପ୍ତ ନାୟକ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର