ସେଲିବ୍ରିଟି କ୍ରିକେଟ୍ ଲିଗ୍‌: ଭୁବନେଶ୍ବର ବ୍ଲାଷ୍ଟର୍ସ ବିଜେତା

ଭୁବନେଶ୍ବର: ଆର୍‌ଆର୍‌ ଇଭେଣ୍ଟସ୍ ପକ୍ଷରୁ ଏକ ଦୁଇଦିନିଆ ସେଲିବ୍ରିଟି କ୍ରିକେଟ୍ ଲିଗ୍‌ ସ୍ଥାନୀୟ କେଶୁରା ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ପିଣ୍ଟୁ ନନ୍ଦଙ୍କ ସ୍ମୃତିରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଲିଉଡ୍‌ ଜଗତର ବହୁ ନାମିଦାମି ତାରକାମା‌ନେ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ବଲାଙ୍ଗୀର ରାଇଜିଂ ଷ୍ଟାରକୁ ହରାଇ ଭୁବନେଶ୍ବର ବ୍ଳାଷ୍ଟର୍ସ ବିଜେତା ହୋଇଛି। ଗୀତିକାରଙ୍କୁ ନେଇ ଗଠିତ ରାଇଜିଂ ଷ୍ଟାର୍ ଦଳ ୫ ଓଭରରେ ୫୪ ରନ୍‌ କରିଥିଲା। ଅଭିନେତାଙ୍କୁ ନେଇ ଗଠିତ ଭୁବନେଶ୍ବର ବ୍ଳାଷ୍ଟର୍ସ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୫୫ ରନ୍‌ ହାସଲ କରିନେଇଥିଲା।

ସଂଦୀପ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବତନ କ୍ରୀଡ଼ାମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବରିଷ୍ଠ ପ୍ରଶାସକ ପାର୍ଥ ସାରଥି ମିଶ୍ର, ପୂର୍ବତନ ବିଧାୟକ ଆକାଶ ଦାସ ନାୟକ, ହାଇ ଫିଲ୍ଡ ପ୍ରପର୍ଟିଜ୍‌ର ସିଏମଡି ମଧୁସୂଦନ ନାଏକ, ଓଲିଉଡ୍‌ ଦମ୍ପତି ସବ୍ୟସାଚୀ ଦାସ ଓ ଅର୍ଚ୍ଚିତା ସାହୁଙ୍କ ସହ ପପୁ ପମ୍ ପମ୍‌, ଶ୍ରୀତମ ଦାସ, ଶୀତଲ ପାତ୍ର, ରଣଜୀ କ୍ରିକେଟର୍ ଅନୁରାଗ ଷଡ଼ଙ୍ଗୀ, ଯୁବ ପ୍ରତିଭା ବି ଶିବା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାକୁ ଆର୍‌ଆର୍‌ ଇଭେଣ୍ଟସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ରମେଶ ବାରିକ ପରିଚାଳନା କରିଥିଲେ। ସେ ମଧ୍ୟ ବିଜେତା ଭୁବନେଶ୍ବର ବ୍ଲାଷ୍ଟର୍ସ ଦଳର ଅଧିନାୟକତ୍ବ କରିଥିଲେ।

ସମ୍ବନ୍ଧିତ ଖବର