ଚନ୍ଦ୍ରଶେଖରପୁର: ସାରା ଦେଶରେ ୧୬ଟି କୋଭିଡ୍-୧୯ ବାୟୋରିପୋଜିଟୋରି ସ୍ଥାପନ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିମଧ୍ୟରୁ ଗୋଟିଏ ଭୁବନେଶ୍ବରରେ ସ୍ଥାପିତ ହେବ। ଭୁବନେଶ୍ବରରେ ସ୍ଥାପନ ହେବାକୁ ଥିବା କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଅଧୀନରେ ଥିବା ସ୍ବୟଂଶାସିତ ସଂସ୍ଥା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ(ଆଇଏଲ୍ଏସ୍)କୁ ଚୟନ କରାଯାଇଛି। ଏହି ବାୟୋରିପୋଜିଟୋରିଗୁଡ଼ିକ କୋଭିଡ୍-୧୯କୁ ନେଇ ବିଭିନ୍ନ ପ୍ରକାର ଗବେଷଣା କରିବେ। କରୋନା ରୋଗୀଙ୍କଠାରୁ ବିଭିନ୍ନ ପ୍ରକାର ନମୁନା ଯଥା ସ୍ବାବ୍, ରକ୍ତ, ପରିସ୍ରା, ମଳ ଆଦି ସଂଗ୍ରହ କରିବା, ସଂରକ୍ଷିତ ରଖିବା ଓ ତାହା ଉପରେ ଗବେଷଣା କରିବେ। ଗବେଷଣାରୁ ସେମାନେ ଯେଉଁ ତଥ୍ୟ ହାସଲ କରିବେ ସେଗୁଡ଼ିକୁ କୋଭିଡ୍-୧୯ର ଚିକିତ୍ସା ପଦ୍ଧତି ଓ ଟିକା ଆଦି ବିକଶିତ କରିବା କ୍ଷେତ୍ରରେ ନିୟୋଜିତ ହୋଇଥିବା ଶିକ୍ଷାନୁଷ୍ଠାନ, ଶିଳ୍ପ ଓ ବାଣିଜ୍ୟ ସଂସ୍ଥାଗୁଡ଼ିକୁ ଦେଇପାରିବେ। ଏଥିପାଇଁ ସମ୍ପୃକ୍ତ ସଂସ୍ଥାର ଅଧିକାର ରହିବ। ଏହି କେନ୍ଦ୍ରଗୁଡ଼ିକ ଯେଭଳି ସୁବିଧାରେ କୋଭିଡ୍-୧୯ ରୋଗୀଙ୍କ ନମୁନା ହାସଲ କରିପାରିବେ ସେଥିପାଇଁ ସହାୟତା ଯୋଗାଇ ଦେବାକୁ ଆଇସିଏମ୍ଆର ମହାନିର୍ଦେଶକ ଡ. ବଳରାମ ଭାର୍ଗବ ସବୁ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି।
ବାୟୋରିପୋଜିଟୋରି ସ୍ଥାପନ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇଏଲ୍ଏସ୍କୁ ଚିହ୍ନଟ କରାଯିବା ପରେ ସଂସ୍ଥାର ନିର୍ଦେଶକ ଡ. ଅଜୟ ପରିଡ଼ା ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଗତ ଏପ୍ରିଲ ମାସଠାରୁ ଏଠାରେ କୋଭିଡ୍-୧୯ ନମୁନା ପରୀକ୍ଷା କରାଯାଉଛି। ଏବେ ସୁଦ୍ଧା ପ୍ରାୟ ୨୫ ହଜାର ନମୁନା ପରୀକ୍ଷା ହୋଇସାରିଲାଣି। ବାୟୋରିପୋଜିଟୋରି ସ୍ଥାପନ ପରେ ଏଠାରେ ଗବେଷଣା ଅଧିକ ବ୍ୟାପକ ହୋଇପାରିବ। ଆଗାମୀ ଦିନରେ ବାୟୋରିପୋଜିଟୋରି ନମୁନା ସଂଗ୍ରହ, ପରିବହନ, ସଂରକ୍ଷଣ ଓ ହସ୍ତନ୍ତର ଆଦି ପ୍ରକ୍ରିୟା ପାଇଁ ଏକ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଅର(ଏସ୍ଓପିଏସ୍) ବିକଶିତ କରିବ। ବାୟୋରିପୋଜିଟୋରିଗୁଡ଼ିକ ଯେଉଁ ସବୁ ନମୁନା ହସ୍ତନ୍ତର କରିବେ ତାହାକୁ ନ୍ୟାସନାଲ ଓଭରସାଇଟ୍ କମିଟି ଓ ଇନ୍ଷ୍ଟଚ୍ୟୁସନାଲ ହ୍ୟୁମାନ ଏଥିକ୍ସ କମିଟି ଯାଞ୍ଚ କରିବ। ଓଡ଼ିଶା ପାଇଁ ଏହା ଏକ ବହୁତ ଭଲ ଖବର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।