ଯୁବକଙ୍କୁ ଉଲଗ୍ନ କରି ମାଡ଼ ଘଟଣା: ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଝାଡ଼ଖଣ୍ଡର ଜଣେ ଯୁବକଙ୍କୁ ପଳାସୁଣି ହାଟରେ ଉଲଗ୍ନ କରି ମାଡ଼ ମାରିବ‌ା ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ପଳାସୁଣି ହାଟରେ ଜଳଖିଆ ଦୋକାନ କରିଥିବା କରୁଣାକର ମଣ୍ଡଳ(୩୫) ଓ ପଳାସୁଣି ଷଡ଼ଙ୍ଗୀ କଲୋନି ଅଞ୍ଚଳର ଇନ୍ଦ୍ରମଣି ପରିଡ଼ା। ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଭିଡିଓ ଆଧାରରେ ପୁଲିସ୍‌ ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଧରାଯିବ ବୋଲି ପୁଲିସ୍‌ କହିଛି। ଝାଡ଼ଖଣ୍ଡ ତିନପାହାଡ଼ ଅଞ୍ଚଳର ଶ୍ୟାମ କୁମାର ରାମ ସପରିବାରେ ପୁରୀ ରଥଯାତ୍ରା ଦେଖିବାକୁ ଆସିଥି‌ଲେ।

ପୁରୀରୁ ଫେରି ସେମାନେ ଭୁବନେଶ୍ବର ପଳାସୁଣି ହାଟରେ ବୁଲାବୁଲି କରୁଥିବା ବେଳେ କିଛି ଲୋକ ତାଙ୍କୁ ମୋବାଇଲ୍‌ ଲୁଟେରା କହି ମାଡ଼ ମାରିଥିଲେ। ସେମାନେ ଶ୍ୟାମଙ୍କୁ ଉଲଗ୍ନ କରି ଏକ ଗେଟ୍‌ରେ ବାନ୍ଧି ଅତି ଅମାନୁଷିକ ଭାବେ ମାଡ଼ ମାରିଥିଲେ। ତେବେ ଏ ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିଲା। ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ଉଠିବାରୁ ମଞ୍ଚେଶ୍ୱର ପୁଲିସ୍‌ ସିସିଟିଭି ଓ ଭାଇରାଲ ଭିଡିଓ ଆଧାର‌ରେ ନିଜ ଆଡ଼ୁ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର