ଜଳକ୍ରୀଡ଼ା ହେଲା କାଳ: ପୁରୀ କେନାଲ ସାଇଫନ୍‌ରେ ଭାସିଯାଇ ଯୁବକ ମୃତ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଅଲାରପୁର ସାଇଫନରେ ଗାଧୋଇବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଆଦିତ୍ୟ ସେନାପତି(୧୭)। ବାଳକାଟି ଫାଣ୍ଡି ଅଧିକାରୀ ନିରଞ୍ଜନ ବେହେରା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌କୁ ପଠାଇଛନ୍ତି। ହେଲେ ଆଦିତ୍ୟଙ୍କ ଘର ଲୋକଙ୍କ ସହିତ ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯାଇଥିଲେ ହେଁ ରିପୋର୍ଟ ଲେଖା ହେବା ବେଳକୁ ଏହା ସମ୍ଭବ ହୋଇପାରି ନାହିଁ। ପୁଲିସ ସୂଚନା ଅନୁସାରେ, ଆଦିତ୍ୟଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର। ସେ ସହିଦନଗର ଥାନା ଅଧୀନ ୟୁନିଟ୍‌-୯ ଅଞ୍ଚଳରେ ଭଡ଼ାଘ‌ରେ ରହି ମାର୍କେଟ ବିଲ୍ଡିଂର ଜଣେ ବ୍ୟବସାୟୀଙ୍କ ଗାଡ଼ି ଚଳାଉଥିଲେ। ଆଜି ଆଦିତ୍ୟ ଓ ଅନ୍ୟ ୬ ଜଣ ସାଙ୍ଗ ଛୁଟି ନେଇ ଅପରାହ୍ନ ୨ଟା ସମୟରେ କାର୍‌ରେ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ଅଲାରପୁର ସାଇଫନ ନିକଟକୁ ଗାଧୋଇବାକୁ ଆସିଥିଲେ। ପୂର୍ବରୁ ମଧ୍ୟ କେତେଥର ସେମାନେ ବାଇକ୍‌ ନେଇ ଏଠାରେ ପାଣିକୁ ଡେଇଁ ଗାଧୋଇଥିଲେ। ହେଲେ ଆଜିର ଜଳକ୍ରୀଡ଼ା ଆଦିତ୍ୟଙ୍କ ପାଇଁ କାଳ ହୋଇଥିଲା। ୭ ଜଣ ଯାକ ପଛକୁ ପଛ ସାଇଫନ ଛାତ ଉପରୁ ତଳକୁ ଡେଇଁ ଗାଧୋଉଥିଲେ। ମାତ୍ର ଆଦିତ୍ୟ ପାଣିରେ ଭାସି ଯାଇଥିଲେ। ‘ଆଦିତ୍ୟ ବୁଡ଼ିଗଲା ବୁଡ଼ିଗଲା’ ବୋଲି ସାଙ୍ଗମାନେ ଚିତ୍କାର କରିଥିଲେ।

ପାଟିଶୁଣି ସବୁ ସାଙ୍ଗଙ୍କ ସମେତ ସ୍ଥାନୀୟ ଲୋକ ଖୋଜାଖୋଜି କରି ନିରାଶ ହୋଇଥିଲେ। ପରେ ବାଲିଅନ୍ତା ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ଆଦିତ୍ୟଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଅନ୍ୟପକ୍ଷରେ ଆଦିତ୍ୟଙ୍କ ସହିତ ଆସିଥିବା ଅନ୍ୟ ୬ ଜଣ ସାଙ୍ଗଙ୍କୁ ବାଲିଅନ୍ତା ଥାନା ପୁଲିସ ଥାନାକୁ ନେଇ ପଚରା ଉଚରା କରୁଛି। ପାଣିସ୍ରୋତରେ ଭାସିଯିବାରୁ କଂକ୍ରିଟ ବାଡ଼ାରେ ପିଟି ହୋଇ ତାଙ୍କ ମୁଣ୍ଡ ଗଭୀର ଆଘାତ ଲାଗିଥିବା ପୁଲିସ ତଦନ୍ତ ବେଳେ ଜଣାପଡ଼ିଛି। ଆଦିତ୍ୟଙ୍କ ସହ ଆସିଥିବା ସାଙ୍ଗମାନେ ହେଲେ କଟକ ବଡ଼ମ୍ବା ଥାନା ଅଞ୍ଚଳର ସିତୁ ମନ୍ତ୍ରୀ(୧୯), ଗଞ୍ଜାମ ଜିଲ୍ଲା ଗେଟବଜାର ସଦର ଥାନା ଅଞ୍ଚଳର ଗୋପାଳ ସାହୁ(୨୮), ଖୋର୍ଧା ଜଙ୍କିଆ ଥାନା ଅଞ୍ଚଳର କାର୍ତ୍ତିକେଶ୍ବର ନାୟକ(୨୨), ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳର ରାହୁଲ ଦାସ(୨୦), ଗଞ୍ଜାମ ଜିଲ୍ଲା ଟାଉନ ଥାନା ଅଞ୍ଚଳର ସୁରେଶ ସାହୁ(୩୦) ଓ କଟକ ଜିଲ୍ଲା ବଡ଼ମ୍ବା ଥାନା ଅଞ୍ଚଳର ସରୋଜ ରାଉତ(୨୮)। ଏମାନେ ମଧ୍ୟ କ୍ୟାପିଟାଲ ଥାନା ଅଞ୍ଚଳରେ ରହି ମାର୍କେଟ ବିଲ୍ଡିଂରେ କାମ କରନ୍ତି।

ସମ୍ବନ୍ଧିତ ଖବର