ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ବୈଠକ: ରାତି ୧୦ଟାରେ ମହାଦୀପ ଉଠିବା ନେଇ ପ୍ରସ୍ତାବ

ଯୋଗଦେଲେ ନାହିଁ ଦୁଇ ପ୍ରମୁଖ ସେବାୟତ ନିଯୋଗ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରି ତଥା ଜାଗରଯାତ୍ରା। ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାଗର ଯାତ୍ରା ନୀତି ନିର୍ଘଣ୍ଟ ସଂପର୍କରେ ଆଲୋଚନା ହୋଇଥିଲା। ମନ୍ଦିର କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଗତବର୍ଷ ପରି ଆସନ୍ତା ମହାଶିବରାତ୍ରି ରାତି ୧୦ଟାରେ ମହାଦୀପ ଉଠିବ ବୋଲି ଆଲୋଚନାରେ ସେବାୟତମାନେ ମତ ଦେଇଛନ୍ତି। ଆସନ୍ତା ଟ୍ରଷ୍ଟ ବୋର୍ଡ ବୈଠକରେ ମୋହର ବାଜିଲେ ଏହି ସମୟ ନିର୍ଘଣ୍ଟ କରାଯିବ ବୋଲି ଜଣାପଡ଼ିଛି। ତେବେ ଏହି ବୈଠକରେ ମନ୍ଦିରର ଦୁଇ ପ୍ରମୁଖ ସେବାୟତ ନି‌ଯୋଗ ବ୍ରାହ୍ମଣ ନିଯୋଗ ପ୍ରତିନିଧି ଓ ପୂଜାପଣ୍ଡା ନିଯୋଗ ପ୍ରତିନିଧି ଯୋଗ ଦେଇନଥିଲେ। ଫଳରେ ପ୍ରଶାସନ ଚିନ୍ତାରେ ପଡ଼ିଛି।

ବଡ଼ୁ ସେବାୟତ, ସମର୍ଥା ସେବାୟତ, ଆପଟିଆ ସେବାୟତ ବୈଠକ‌ ଯୋଗଦେଇ ସେମାନଙ୍କ ଦାବି ରଖିଥିଲେ। ପୂର୍ବରୁ ବକେୟା ଥିବା ଶ୍ରାବଣୀ ପାଉଣା ନଦେଲେ ମହାଶିବରାତ୍ରିରେ ଅସହଯୋଗ କରାଯିବ ବୋଲି ବଡ଼ୁ ନିଯୋଗ ପକ୍ଷରୁ କୁହାଯାଇଥିଲା। ସେହିପରି ସମର୍ଥା ନିଯୋଗ ପତାକା ବାନ୍ଧିବା ପାଉଣା, ରଥ ଯାତ୍ରା ପାଉଣା ଓ ଦୋଳ ପର୍ବ ପାଉଣା ପାଇନଥିବା କହିଥିଲେ। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି ସମସ୍ୟା ଆଲୋଚନା କରି ସମାଧନ କରିବେ ବୋଲି କହିଥିଲେ। ସେପଟେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସେବାୟତ ଓ ମନ୍ଦିର ସମ୍ପର୍କିତ ସମସ୍ୟା ସମାଧାନ ହୋଇନଥିବାରୁ ବୈଠକରେ ଯୋଗ ଦେଇନଥିବା କହିଥିବା ବେଳେ ଆବଶ୍ୟକ ପଡ଼ିଲେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ପୂଜାପଣ୍ଡା ନିଯୋଗର ସଭାପତି କାଶୀନାଥ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି ଶ୍ରୀଲିଙ୍ଗରାଜ ମନ୍ଦିରର ସ୍ବତନ୍ତ୍ର ଆଇନ ପ୍ରଣୟନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ତାହା ହେଲାନାହିଁ। ସେବାୟତଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ଭେଟ ଅର୍ଥକୁ ନେଇ ଲାଗିଥିବା ବିବାଦ ସମ୍ପର୍କରେ ଦେବୋତ୍ତର ଆୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିବାବେଳେ ତା’ର ସ୍ଥାୟୀ ସମାଧାନ କରାଯାଉନାହିଁ। ଠାକୁରଙ୍କ ସେବା ପାଇଁ ସେବାୟତଙ୍କୁ ମିଳିଥିବା ବେବନ୍ଦୋବସ୍ତ ସମ୍ପତ୍ତିକୁ ସରକାର ସେବାୟତଙ୍କ ନାମରୁ ଛଡ଼ାଇ ନେଇଛନ୍ତି। ମନ୍ଦିର ନିକଟରେ ଜମି ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯାଇନାହିଁ।

ସେବାୟତ ଜମିହରା ହୋଇଥିବାବେଳେ ସେମାନଙ୍କ ଅଭିଯୋଗକୁ ବିଚାରକୁ ଏବେ ନିଆଯାଉନି। ୨୦୧୫ରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅନେକ ପରମ୍ପରା ବନ୍ଦ ହୋଇଯାଇଥିଲେ ମଧ୍ୟ ପରମ୍ପରା ଫେରାଇବା ଉପରେ ମନ୍ଦିର ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉନି। ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ନିମନ୍ତେ ସରକାରଙ୍କ ପକ୍ଷରୁ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉନି। ଯିଏ ଅଛନ୍ତି ସେ ନିୟମିତ ମନ୍ଦିର କାର୍ଯ୍ୟାଳୟକୁ ଆସୁ ନାହାନ୍ତି କି ସ୍ଥାନୀୟ ସେବାୟତଙ୍କ ସମସ୍ୟା, ମନ୍ଦିରର ନୀତିକାନ୍ତି ଓ ଯାନିଯାତ୍ରା ପରିଚାଳନା ଉପରେ ସମନ୍ବୟ ରଖୁନାହାନ୍ତି। ଏହି ସମସ୍ୟା ଗୁଡ଼ିକ ସମାଧାନ ନହେଲେ ଅସହଯୋଗ କରାଯିବ ବୋଲି ସେମାନେ କହିଛନ୍ତି। କରୋନା କଟକଣା ଏବେ ମନ୍ଦିରରୁ ଉଠିଥିବା ବେଳେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରି ସେବାୟତମାନେ ମନ୍ଦିରରେ ନୀତି କରୁଛନ୍ତି। ତେବେ ମହାଶିବରାତ୍ରି ବେଳେ ଏହି ନିୟମ ଭକ୍ତମାନଙ୍କ ପାଇଁ ରହିବା ଓ ଅନ୍ୟ କଟକଣା ସମ୍ପର୍କରେ ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର