ପୌର ନିର୍ବାଚନ ବିଗୁଲ୍‌ ବାଜିଲା: ୩ ମହାନଗର ନିଗମ, ୫୯ ଏନ୍ଏସି, ୪୮ ମ୍ୟୁନିସପାଲଟିରେ ହେବ ନିର୍ବାଚନ

୧୦ରେ ପ୍ରକାଶ ପାଇବ ଭୋଟର ତାଲିକା, ନୂଆ ନାଁ ସାମିଲ୍‌ ହୋଇପାରିବନି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ କମିସନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିର୍ବାଚନ ପାଇଁ ପ୍ରଥମ କାର୍ଯ୍ୟ ଭୋଟର ତାଲିକା ପ୍ରକାଶ ନେଇ ଆଜି ରାଜ୍ୟ ନିର୍ବାଚନ କମିସନର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏହାପରେ ରାଜ୍ୟର ୩ମହାନଗର ନିଗମ, ୫୯ଟି ଏନ୍‌ଏସି, ୪୮ଟି ମ୍ୟୁନିସପାଲଟିରେ ନିର୍ବାଚନ ନେଇ ବିଗୁଲ୍ ବାଜିଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ନିର୍ବାଚନ କମିସନ ମାର୍ଚ୍ଚ ମାସରେ ପୌର ନିର୍ବାଚନ ନେଇ ଆଦର୍ଶ ଆଚରଣ ବିଧି ଲାଗୁ କରିବେ। ଏପ୍ରିଲରେ ପୌର ନିର୍ବାଚନ ନେଇ ତାରିଖ ଘୋଷଣା ହେବ। ମେ’ ମାସ ଶେଷ ସୁଦ୍ଧା ପ‌ୌର ନିର୍ବାଚନ ପ୍ରକ୍ରିୟା ‌େଶଷ ହୋଇପାରେ।

ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ପୌର ନିର୍ବାଚନ ନେଇ ନଗର ଉନ୍ନୟନ ବିଭାଗ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଦାଖଲ କରିସାରିଛି। ତେଣୁ ଆମେ ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛୁ। ଆସନ୍ତା ୧୦ତାରିଖରେ ୱାର୍ଡସ୍ତରରେ, ନିର୍ବାଚନ ଅଧିକାରୀଙ୍କ ନୋଟିସ୍‌ ବୋର୍ଡ, ମହାନଗର ନିଗମ ନୋଟିସ୍‌‌ ବୋର୍ଡରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ଲୋକମାନେ ଫେବ୍ରୁଆରି ୧୧ରୁ ୧୬ତାରିଖ ମଧ୍ୟରେ ସେମାନଙ୍କ ଦାବି, ଆପତ୍ତି ନିର୍ବାଚନ ଅଧିକାରୀଙ୍କ ନିକଟରେ କରିପାରିବେ। ୧୮ରେ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଦାବି ଓ ଆପତ୍ତି ଗୁଡ଼ିକର ତଦନ୍ତ ଓ ଫଇସଲା ହେବ। ୨୪ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଫେବ୍ରୁଆରି ୨୮ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀମାନେ ସେମାନଙ୍କ ଭୋଟର ତାଲିକା ରାଜ୍ୟ ନିର୍ବାଚନ କମିସନଙ୍କୁ ପ୍ରଦାନ କରିବେ। ଏଥର କିନ୍ତୁ କୌଣସି ନୂଆ ଭୋଟରଙ୍କ ନାମ ତାଲିକାରେ ଯୋଡ଼ି ହେବନି ବୋଲି ନିର୍ବାଚନ କମିସନର କହିଛନ୍ତି।

ନିର୍ବାଚନ ଆୟୋଗ ୧.୧.୨୦୨୨କୁ ଯୋଗ୍ୟ ତାରିଖ ନେଇ ୫.୧.୨୦୨୨ରେ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଭୋଟର ତାଲିକା ପ୍ରକାଶ କରିଥିବାରୁ ଏହାକୁ ଚୂଡ଼ାନ୍ତ ଭୋଟର ତାଲିକା ଭାବେ ନିଆଯିବ। ଯେଉଁମାନଙ୍କର ନାମ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକାରେ ଥାଇ ଭୁଲ୍‌ବଶତଃ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ୱାର୍ଡୱାରି ପ୍ରାଥମିକ ଭୋଟର ତାଲିକାରେ ସ୍ଥାନ ପାଇନଥିବ ସେମାନଙ୍କ ନାମ ଅନ୍ତର୍ଭୁକ୍ତ ବା ସଂଶୋଧନ କରିବା ପାଇଁ ଦାବି କରିପାରିବେ। ପ୍ରାଥମିକ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା କୌଣସି ଭୋଟରଙ୍କ ନାମ ସମ୍ପର୍କରେ ଆପତ୍ତି ଦାଖଲ କରାଯାଇପାରିବ। ବିଧାନସଭା ଭୋଟର ତାଲିକାରେ ନାମ ନଥିବା କୌଣସି ନୂଆ ଭୋଟରଙ୍କ ନାମ ସାମିଲ୍ କରାଯାଇପାରିବ ନାହିଁ।

ସେହିପରି ଚଳିତଥର ପ୍ରଥମ କରି ଚିଠା ଭୋଟର ତାଲିକାର ଗୋଟିଏ ଲେଖାଏଁ ସଫ୍ଟ ଏବଂ ହାର୍ଡ କପି ଜାତୀୟ, ରାଜ୍ୟସ୍ତରୀୟ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ମାଗଣାରେ ଯୋଗାଇ ଦିଆଯିବ। ଅନ୍ୟ ରାଜ‌ନୈତିକ ଦଳ ଏବଂ ବ୍ୟକ୍ତିବିଶେଷ ନିର୍ବାଚନ ଅଧିକାରୀଙ୍କ ଠାରୁ ଏହାକୁ କିଣିପାରିବେ। ଅପରପକ୍ଷେ ମହାନଗର ନିଗମଗୁଡ଼ିକରେ ଫେବ୍ରୁଆରି ୧୦ରୁ ୧୨ ମଧ୍ୟରେ ପ୍ରସ୍ତାବିତ ପୁଲିଂ ବୁଥ୍ ତାଲିକା ନିର୍ବାଚନ ଅଧିକାରୀଙ୍କ ନୋଟିସ୍‌ ବୋର୍ଡ, ପୌର ସଂସ୍ଥାର ନୋଟିସ୍‌ ବୋର୍ଡ ଏବଂ ୱାର୍ଡରେ ପ୍ରକାଶ ପାଇବ। ଏହା ଉପରେ ମତାମତ/ଅଭିଯୋଗ ଗ୍ରହଣ ଓ ବିଚାର କରି ନିର୍ବାଚନ ଅଧିକାରୀ ଫେବ୍ରୁଆରି ୧୪ରେ ଚୂଡ଼ାନ୍ତ ବୁଥ୍ ତାଲିକା ପ୍ରକାଶ କରିବେ। ୧୫ତାରିଖ ସୁଦ୍ଧା ଏହି ତାଲିକା ରାଜ୍ୟ ନିର୍ବାଚନ କମିସନଙ୍କୁ ପଠାଇବେ। ଫେବ୍ରୁଆରି ୧୯ ସୁଦ୍ଧା ଚୂଡ଼ାନ୍ତ ବୁଥ୍ ତାଲିକାକୁ କମିସନ ଅନୁମୋଦନ କରିବେ। ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର