ଫୋନ୍‌-ଇନ୍‌-ପ୍ଲିଜ୍‌: ସାମାଜିକ ଗଣମାଧ୍ୟମ ସ୍ବଚ୍ଛ ଓ ନିରପେକ୍ଷ ହେଉ

ସାଂପ୍ରତିକ ସମାଜରେ ସାମାଜିକ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ଗୁରୁତ୍ବ କମିନଥିଲେ ମଧ୍ୟ ଲୋକମାନେ ଅଧିକ ସାମାଜିକ ଗଣମାଧ୍ୟମ ଉପରେ ନିର୍ଭର କରୁଛନ୍ତି। ମାତ୍ର ଏହାର ଅପବ୍ୟବହାର ହେଉଥିବା ଅନେକ ନଜିର ରହିଛି। ସାମାଜିକ ଗଣମାଧ୍ୟମ ଧୁଆ ମୂଳା ଅଧୁଆ ମୂଳାକୁ ସମାନ କରୁଛି ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ଏଭଳି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମ ପ୍ରକୃତ ସତ୍ୟକୁ ଲୋକଲୋଚନକୁ ଆଣିବା ଦରକାର। ଏଥିସହିତ ସ୍ବଚ୍ଛ ଓ ନିରପେକ୍ଷ ହେବା ଆବଶ୍ୟକ ବୋଲି ଚଳିତ ଥର ସମ୍ବାଦ ‘ଫୋନ୍‌-ଇନ୍‌-ପ୍ଲିଜ’ରେ ଭାଗନେଇ ପାଠକ ଏଭଳି ମତ ରଖିଛନ୍ତି।

ମୂଲ୍ୟାଙ୍କନ ଗୁଣାତ୍ମକ ଦୃଷ୍ଟିରୁ କରାଯାଇଥାଏ, ବାହ୍ୟ ଚାକଚକ୍ୟରୁ ନୁହେଁ। ଯେଉଁମାନେ ସତରେ ପ୍ରତିଭାବାନ୍‌ ତାଙ୍କୁ ପ୍ରଶଂସା ମିଳିବା ଉଚିତ।
-କମଳାକାନ୍ତ ସେନାପତି, ନାଗେଶ୍ୱର ଟାଙ୍ଗି

ଧୁଆ ମୂଳା ଓ ଅଧୁଆ ମୂଳା ଏକ ଗାଉଁଲି ଢଗ। ଏଠାରେ ଏହାର ଅର୍ଥ କାହା ଚରିତ୍ରକୁ ଗଣମାଧ୍ୟମ କେତେ ସଫା କରି ପ୍ରଦର୍ଶିତ କରୁଛି। ସାମାଜିକ ଗଣମାଧ୍ୟମର କାର୍ଯ୍ୟ କଳଙ୍କିତ ଚରିତ୍ରକୁ ଲୋକଲୋଚନକୁ ଆଣିବା ସହ ଉତ୍ତମ ଚରିତ୍ରକୁ ଉତ୍ସାହିତ କରିବା। ହେଲେ କିଛି ଗଣମାଧ୍ୟମ ନିଜ ସ୍ୱାର୍ଥ ପାଇଁ ଏଥିରେ ପାତରଅନ୍ତର କରୁଛନ୍ତି। ସେହିମାନେ ହିଁ ଧୁଆ ମୂଳା ଓ ଅଧୁଆ ମୂଳାକୁ ସମାନ କରିଦିଅନ୍ତି।
-ଦିନାନାଥ ଦାସ, ଲକ୍ଷ୍ମୀସାଗର

ଗଣମାଧ୍ୟମ ନିଜ ହିସାବ ମୁତାବକ ଖବର ଛାପୁଛି। କିଛି ସଚ୍ଚୋଟ ଗଣମାଧ୍ୟମକୁ ଛାଡ଼ିଦେଲେ ଅନ୍ୟ କାହାର ସତ ମିଛରେ ବାଡ଼ବତା ରହୁନାହିଁ। ଟଙ୍କା ମଧ୍ୟମରେ ହେଉ ଅବା ଚାପରେ, ଗଣମାଧ୍ୟମ ସମାଜର ହିତ ପ୍ରତି ନଜର ରଖୁନାହିଁ।
-ନୀଳମଣି ମିଶ୍ର, ସୁନ୍ଦରପଦା

ଧୁଆ ମୂଳା ଓ ଅଧୁଆ ମୂଳାକୁ ସାମାଜିକ ଗଣମାଧ୍ୟମ ହିଁ ସମାନ କରୁଛି। ଏଥିରେ କୌଣସି ଦ୍ବିମତ ନାହିଁ। ହେଲେ ସାମାଜିକ ଗଣମାଧ୍ୟମ ସର୍ବଦା ସ୍ବଚ୍ଛ ଓ ନିରପେକ୍ଷ ହେବା ଦରକାର।
-ହୃଷୀକେଷ ବେହେରା, ପୁରୁଣା ଭୁବନେଶ୍ୱର

ସମାଜର ପଥ ପ୍ରଦର୍ଶକ ସାଜିଛି ସାମାଜିକ ଗଣମାଧ୍ୟମ। ଏହା ଶାସକ ତଥା ବିରୋଧୀ ଦଳର କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣୁଛି। ସମାଜର ମଙ୍ଗଳ ବିଧାନ କରିବା ପାଇଁ ସାମାଜିକ ଗଣମାଧ୍ୟମ ସମସ୍ତଙ୍କ ପାଇଁ ସମାନ ଭୂମିକା ଗ୍ରହଣ କରେ।
-ସୁଧାକର ଦାସ, ପିଏନ୍‌ କଲେଜ, ଖୋର୍ଦ୍ଧା

ସାମ୍ବାଦିକ ମାନେ କାହିଁକି ଧୁଆ ମୂଳା ଓ ଅଧୁଆ ମୂଳାକୁ ସମାନ କରିବେ। ଯାହା ବାସ୍ତବିକ ପରିସ୍ଥିତି ସେମାନେ ତାହାହିଁ ଦର୍ଶାଇଥାନ୍ତି। ଏହାକୁ ସମାନ କରିବା ଲୋକ ଅଲଗା। ପଣସ ଜଣେ ଖାଇବ ଏବଂ ଅଠା ଅନ୍ୟ ଜଣଙ୍କ ମୁଣ୍ତରେ ମାରିବା ପରି ଏବେ ସାମ୍ବାଦିକଙ୍କୁ ଦୋଷ ଦିଆଯାଉଛି।
-ବ୍ରଜରାଜ ରଥ, ଡେଲ୍‌ଟା ଛକ

ଗଣମାଧ୍ୟମ ସତ୍ୟକୁ ପଦାକୁ ଆଣିବା ବନ୍ଦ କରି ମିଛକୁ ସତ ଭାବେ ପ୍ରମାଣିତ କରୁଛି। ଏହା ତୁରନ୍ତ ବନ୍ଦ କରାଯାଇ ସମାଜର ବିଶୃଙ୍ଖଳିତ ବ୍ୟକ୍ତିଙ୍କୁ ଧରାଯାଉ ଓ ସଚ୍ଚୋଟଙ୍କୁ ଆଗକୁ ଆଣାଯାଉ। ଗଣମାଧ୍ୟମ ନିରପେକ୍ଷ ଭାବେ କାର୍ଯ୍ୟ କରୁ।
-ଅଶୋକ କୁମାର ମହାରଣା, ସୁନ୍ଦରପଦା

ଗଣମାଧ୍ୟମ କେବଳ ସତ କଥାକୁ ଆଗକୁ ଆଣୁ। ଘଡ଼ିକି ଘଡ଼ି ବିଭିନ୍ନ ପ୍ରକାରର କଥା କହି ଲୋକଙ୍କ ଭୂଆଁ ନ ବୁଲାଉ। ଗଣମାଧ୍ୟମ ସମାଜ ସୁଧୁରିବା ଭଳି କାର୍ଯ୍ୟ କରୁ।
-ସୌଦାମିନୀ ସାମଲ, ନାଗେଶ୍ୱର ଟାଙ୍ଗୀ

ଧୁଆ ମୂଳା ଓ ଅଧୁଆ ମୂଳାକୁ ସାମାଜିକ ଗଣମାଧ୍ୟମ ସମାନ କରୁନାହିଁ। ଗଣମାଧ୍ୟମ ତା’ କାର୍ଯ୍ୟ କରୁଛି। ଲୋକଙ୍କ ସମସ୍ତ ପ୍ରକାରର ଖବର ଜଣେଇବାକୁ ଭଲ ବାର୍ତ୍ତା ଦେଉଛି। ଲୋକଙ୍କ ହିତ ପାଇଁ ସାମ୍ବାଦିକମାନେ କାର୍ଯ୍ୟରତ।
-ଲଲାଟ କିଶୋର ଜେନା, ଚକେଇସିଆଣି

ଧୁଆ ମୂଳା ଓ ଅଧୁଆ ମୂଳା ଏକାଠି ରହିଲେ ମଧ୍ୟ ତାହା ଜଣା ପଡ଼ିଯିବ। ଜଣେ ବିଦ୍ୱାନ ଓ ଜଣେ ମୂର୍ଖକୁ ଚିହ୍ନିବା କଷ୍ଟକର ନୁହେଁ। ସାମାଜିକ ଗଣମାଧ୍ୟମ କିଛି ସମୟ ପାଇଁ ଏହାକୁ ଏକାଠି କରିବାକୁ ଚେଷ୍ଟା କଲେ ମଧ୍ୟ ତାହା କୌଣସି ଫଳପ୍ରଦ ହେବନାହିଁ।
-ନଗେନ୍ଦ୍ର ନାଥ ମିଶ୍ର, ସାମନ୍ତରାପୁର

ଧୁଆ ମୂଳା ଓ ଅଧୁଆ ମୂଳାକୁ ସାମାଜିକ ଗଣମାଧ୍ୟମ ସମାନ କରୁଛି। ଏହା ଅଧିକ ହେଲେ ଖଳ ଲୋକ ତାଙ୍କ ଠାରୁ ନିଜ କାମ ହାସଲ କରିବାକୁ ଚେଷ୍ଟା କରିବେ, ତେଣୁ ଗଣମାଧ୍ୟମ ଉପରେ ଅଙ୍କୁଶ ଲାଗିବା ଉଚିତ।
-ଶ୍ରୀବତ୍ସ ମହାନ୍ତି, ଭୁବନେଶ୍ୱର

ଧୁଆ ମୂଳା ଓ ଅଧୁଆ ମୂଳାକୁ ସାମାଜିକ ଗଣମାଧ୍ୟମ ସମାନ କରୁଛି। କାରଣ ଗଣମାଧ୍ୟମ ମଧ୍ୟ କିଛି ଖଳ ଲୋକଙ୍କ ସହ ମିଶି ରହୁଛି। ତେଣୁ ଏନେଇ ଆଇନ ପ୍ରଣୟନ ହେବା ଆବଶ୍ୟକ।
-ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀସାଗର

ସାମାଜିକ ଗଣମାଧ୍ୟମ ଧୁଆ ମୂଳା ଓ ଅଧୁଆ ମୂଳାକୁ ସମାନ କରୁଛି। କାରଣ ଗଣମାଧ୍ୟମ ଅଥବା ସା‌ମାଜିକ ଗଣମାଧ୍ୟମ ଲୋକଙ୍କ କଥା ନ ଭାବି ସମସ୍ତେ ନିଜ ନିଜ କଥା ଚିନ୍ତା କରୁଛନ୍ତି। ବଡ଼ ବଡ଼ ଲୋକଙ୍କ ସହ ଭଲ ସଂପର୍କ ରହୁଥିବାରୁ ତାଙ୍କ ବିରୋଧରେ ଲୋଖିବାକୁ ପଛ ଘୁଞ୍ଚା ଦେଉଛନ୍ତି।
-ନିରଞ୍ଜନ ମାନସିଂହ, ଅନ୍ଧାରୁଆ

ସମ୍ବନ୍ଧିତ ଖବର