କଳାମଣ୍ଡଳ ନିର୍ମାଣ ଶେଷ ପର୍ଯ୍ୟାୟରେ, ଜୁଲାଇ ସୁଦ୍ଧା ଖୋଲିବାକୁ ଯୋଜନା

ଭୁବନେଶ୍ବର : ବହୁ ପ୍ରତୀକ୍ଷିତ କଳାମଣ୍ଡଳର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉତ୍କଳ ଦିବସ ଅର୍ଥାତ ଏପ୍ରିଲ ୧ ତାରିଖକୁ କଳାମଣ୍ଡଳ ଉଦ୍‌ଘାଟନ ହେବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତାରିଖ ଧାର୍ଯ୍ୟ କରିଥିଲେ ସୁଦ୍ଧା ତାହା ହୋଇପାରିଲା ନାହିଁ। ଏଣୁ ପୁଣି ଏକ କଣ୍ଟ ଧାର୍ଯ୍ୟ କରିଛି ସଂସ୍କୃତି ବିଭାଗ। ଜୁନ୍‌ ଶେଷ ସୁଦ୍ଧା କଳାମଣ୍ଡଳର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଓ ଜୁଲାଇରେ ଏହା ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ବିଭିନ୍ନ ସଭାସମିତି, ନାଟ୍ୟ ମହୋତ୍ସବ ଦ୍ବାରା ପ୍ରକମ୍ପିତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଏବେ କଳାମଣ୍ଡଳର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଇଣ୍ଟେରିୟର୍‌ କାମ ପୂରା ଦମ୍‌ରେ ଚାଲିଛି। ଏଥିପାଇଁ ଏକ ଟେକ୍‌ନିକାଲ୍‌ ଟିମ୍‌ ମଧ୍ୟ ଗଠନ କରାଯାଇଛି। ଅରୁଣା ମହାନ୍ତି, ରତିକାନ୍ତ ମହାପାତ୍ର ପ୍ରମୁଖ ଗୁରୁଙ୍କୁ ନେଇ ଏହି ଟେକ୍‌ନିକାଲ୍‌ ଟିମ୍‌ ଗଠନ ହୋଇଥିବା ବେଳେ ଲାଇଟ୍‌, ସାଉଣ୍ଡ୍‌ ଓ ମଞ୍ଚ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ଏହା କେଉଁଠାରେ ସ୍ଥାନିତ କରାଯିବ ସେ ନେଇ ଏହି ଟିମ୍‌ ପରାମର୍ଶ ଦେବେ। ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରିରୁ ଆରମ୍ଭ ହୋଇଥିବା କଳାମଣ୍ଡଳର ନିର୍ମାଣ କାର୍ଯ୍ୟ ଦେଢ଼ ବର୍ଷରେ ସରିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହା ଭିତରେ ୫ ବର୍ଷ ବିତିଗଲା, ତଥାପି କାର୍ଯ୍ୟ ସରିଲାନାହିଁ। ୨୦୨୨ରେ ନିଶ୍ଚିତ ସରିବ ବୋଲି ବିଭିନ୍ନ ସମୟରେ ବିଭାଗ ପକ୍ଷରୁ କୁହାଯାଉଥିଲେ ବି ତାହା ସମ୍ଭବ ହୋଇପାରି ନାହିଁ। ଶେଷ‌ରେ ୨୦୨୩ ମାର୍ଚ୍ଚରେ କଳାମଣ୍ଡଳ ନିର୍ମାଣ କାର୍ଯ୍ୟ ଶେଷ କରି ଏପ୍ରିଲ ୧ ଉତ୍କଳ ଦିବସରେ ଏହାକୁ ଉଦ୍‌ଘାଟନ ସଂସ୍କୃତି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କିନ୍ତୁ ତାହା ବି ସମ୍ଭବ ହେଲା ନାହିଁ। ଏବେ ଆଉ ୩ ମାସ ସମୟ ନେଇଛି ସଂସ୍କୃତି ବିଭାଗ। ଜୁନ୍‌ ସୁଦ୍ଧା ନିହାତି କଳାମଣ୍ଡଳ ନିର୍ମାଣ କାର୍ଯ୍ୟ ସରିବ ଓ ଜୁଲାଇରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରେକ୍ଷାଳୟ ଖୋଲି ସାରିଥିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।

ବର୍ତ୍ତମାନ କଳାମଣ୍ଡଳ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହାର ଇଣ୍ଟେରିୟର୍‌ ଡିଜାଇନ୍‌, ଲାଇଟ୍‌ ଓ ସାଉଣ୍ଡ କାର୍ଯ୍ୟ ଏବେ ଚାଲିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା କଳାମଣ୍ଡଳ ନିର୍ମାଣ ପାଇଁ ୮୧ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଆହୁରି ୨୭ କୋଟି ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। କଳା ଓ ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମର ମିନି ନଗର ଭାବେ ଉଭା ହେବାକୁ ଥିବା ଏହି ପ୍ରେକ୍ଷାଳୟର କାର୍ଯ୍ୟ ଶେଷ ହେଲା ପରେ ଏହା ରାଜ୍ୟ ତଥା ରାଜଧାନୀବାସୀଙ୍କ ସାଂସ୍କୃତିକ ଅଭାବ ପୂରଣ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର