ଟେକା ପକାଉଥିବା ଲୋକେ ଏବେ ଭଲରେ ମିଶୁଛନ୍ତି

‘କିସ୍‌ ଡେ’ରେ କେଁ କଟର

ଭୁବନେଶ୍ୱର: ମନ ଓ ପ୍ରେମ କେବେ ଜାତି, ଧର୍ମ ଓ ବର୍ଣ୍ଣର ବାଛବିଚାର କରନ୍ତି ନାହିଁ। କିନ୍ତୁ ଅନେକ ସମୟରେ ଜାତି, ଧର୍ମ ଓ ପରିବାର ଏହି ପବିତ୍ର ସମ୍ପର୍କରେ ବାଧା ଦିଅନ୍ତି, ପ୍ରେମକୁ ସାକାର ହେବାକୁ ଦିଅନ୍ତି ନାହିଁ। ଏହାର ଫଳସ୍ୱରୂପ ପ୍ରେମ କରୁଥିବା ଅନେକ ଯୋଡ଼ି ସମୟ ସହିତ ସାଲିସ୍‌ କରି ଅଧାରେ ରହିଯାନ୍ତି ତ ଆଉ କିଛି ନିଜ ପ୍ରେମକୁ ଭୁଲି ନପାରି ଆତ୍ମହତ୍ୟା ଭ​ଳି ପଦକ୍ଷେପ ନିଅନ୍ତି। ପରିବାର ଲୋକଙ୍କ ଦ୍ବାରା ଅନେକ ଲୋକ ଆଇନ ମାମଲାରେ ଛନ୍ଦି ହୁଅନ୍ତି। କେବଳ ସମାଜ ନୁହେଁ, ପୁଲିସ ଦ୍ବାରା ମଧ୍ୟ ନିର୍ଯ୍ୟାତିତ ହୁଅନ୍ତି ଅନେକ। ଏପରିକି କିଛି ପରିବାର ମିଛ ଲୋକଲଜ୍ୟା ଭୟରେ ନିଜ ରକ୍ତର ସନ୍ତାନଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ। ଏମିତି ପରିସ୍ଥିତିରେ ପ୍ରେମୀଯୁଗଳଙ୍କ ପାଖରେ ଠିଆ ହେବାର ନିଷ୍ପତ୍ତିରୁ ଜନ୍ମ ନେଇଥିଲା ସମାଜ ସଂସ୍କାର ଅନୁଷ୍ଠାନ ‘ଆମୋଫୋଇ’। ୧୯୮୦ ଡିସେମ୍ୱର ୧୦ ତାରିଖରେ ଖଣ୍ଡଗିରି ନିକଟସ୍ଥ ଧର୍ମବିହାରରେ ବି ରାମଚନ୍ଦ୍ର ସିଏସ୍‌ଟି ଭୋଲଟାୟାର୍‌ଙ୍କ ଦ୍ବାରା ଅନୁଷ୍ଠାନଟି ଆରମ୍ଭ ହୋଇଥିଲା। ‘ବି ରାମଚନ୍ଦ୍ର ସିଏସ୍‌ଟି ଭଲ୍‌ଟେୟାର୍‌’ଙ୍କର ପ୍ରକୃତ ନାମ ହେଉଛି ରାମଚନ୍ଦ୍ର ସେନାପତି। ଜାତିରେ ସେ ବ୍ରାହ୍ଣଣ। ସମାଜରେ ଥିବା ଜାତିଗତ ଅସମତା ତାଙ୍କୁ ଏତେ ବ୍ୟଥିତ କରିଥିଲା ଯେ ସେ ନିଜର ପଇତା ଓ ସାଙ୍ଗିଆ ତ୍ୟାଗ କରିଥିଲେ। ଏବେ ସେ ବ୍ୟବହାର କରୁଥିବା ନାଁରେ ତାଙ୍କ ମା’, ବାପା, ପତ୍ନୀଙ୍କ ନାଁ ଯୋଡ଼ିଛନ୍ତି। ସେଥିରେ ମଧ୍ୟ ଯୋଡ଼ିଛନ୍ତି ପ୍ରେମକୁ ଜୀବନର ଆଦର୍ଶ ମାନୁଥିବା ଫ୍ରେଞ୍ଚ୍‌ ଲେଖକ ଭୋଲଟାୟାରଙ୍କ ନାମ। ଏବେ ‘ବି ରାମଚନ୍ଦ୍ର ସିଏସ୍‌ଟି ଭଲ୍‌ଟେୟାର୍‌’ ଭାବେ ହିଁ ସେ ପରିଚିତ। ତାଙ୍କ ଆମୋଫୋଇକୁ ଏକ ସାମାଜିକ ଆନ୍ଦୋଳନ କହିଲେ ଭୁଲ୍‌ ହେବନାହିଁ। ଅନ୍ୟ ଜାତିରେ ପ୍ରେମ କରିବା ଏକ ଅପରାଧ ନୁହେଁ ବୋଲି ସେ କହନ୍ତି। ଅବଶ୍ୟ ତାଙ୍କ ଆଦର୍ଶର ସମାଲୋଚକଙ୍କ ସଂଖ୍ୟା କମ୍‌ ନୁହେଁ, କିନ୍ତୁ ସେ ନିରବଚ୍ଛିନ୍ନ ଭାବେ ନିଜେ ବିଶ୍ବାସ କରୁଥିବା ରାସ୍ତାରେ ଚାଲିବା ଜାରି ରଖିଛନ୍ତି। ତାଙ୍କ ସଂସ୍ଥା ପିତାମାତାଙ୍କ ଚାପ ଓ ଜାତିଗତ ଭେଦଭାବର ଶିକା‌ର ପ୍ରେମୀ ଯୁଗଳଙ୍କ ବିବାହ କରେ। ଏଯାବତ୍‌ ୧୦,୬୭୦ ଟି ଏମିତି ଜାତିବିହୀନ ବାହାଘର କରିସାରିଲେଣି ବୋଲି ଦାବି କରନ୍ତି।

୮-ବି
ଆମୋଫୋଇ ବାହାଘରରେ ୮ଟି ‘ବି’, ଯେପରିକି- ବାପା, ବ୍ରାହ୍ଣଣ, ବାରିକ, ବାଉରୀ, ବାଜା ଓ ବରଯାତ୍ରୀଙ୍କୁ ବାଦ୍‌ ଦିଆଯାଏ। ଯେଉଁ ପ୍ରେମୀ ଯୁଗଳ ପରିବାର ଚାପରେ ବାହା ହୋଇ ପାରୁନାହାନ୍ତି, ସେମାନେ ଆସି ପ୍ରଥମେ ପଞ୍ଜୀକରଣ କରନ୍ତି। ଏହାପରେ ଦୁହିଁଙ୍କର ଆଲିଙ୍ଗନ ମୁଦ୍ରାର ଏକ ଫଟୋ ନିଆଯାଏ। ଏହା ପରେ ଏକ ଭିନ୍ନ ଢଙ୍ଗର ଶପଥ ପାଠ, ଯେପରିକି- ‘‘ଆମେ ୮ଟି ‘ବି’କୁ ଛାଡି ପ୍ରେମ ବିବାହ କରୁଛୁ। ଆମ ବିଶ୍ୱର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଗୋଟିଏ ସନ୍ତାନ ଜନ୍ମଦେବୁ। ଏଥିସହିତ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ କରିବୁ।’’ ଆଦି ଶପଥ ନିଅନ୍ତି। ଏହାପରେ ତାଙ୍କୁ ଆମୋଫୋଇ ପ୍ରମାଣପତ୍ର ବା ସାର୍ଟିଫିକେଟ ପ୍ରଦାନ କରାଯାଏ।

ବି ରାମଚନ୍ଦ୍ର ସିଏସ୍‌ଟି ଭଲ୍‌ଟେୟାର୍‌ଙ୍କୁ ତାଙ୍କ ଜୀବନର ସବୁଠାରୁ ବଡ଼ କଷ୍ଟକର ବିହାଘର କେଉଁଟି ଥିଲା ବୋଲି ପଚାରିଲେ, ୧୯୯୦ ମସିହା ମେ’ ୩ ତାରିଖରେ ସେ କରାଇଥିବା ଏକ ବାହାଘରର କଥା କହନ୍ତି। ବ୍ରହ୍ମଗିରି ଅଞ୍ଚଳର ଏକ ଗାଁର ଜଣେ ଯୁବକ ଓ ଜଣେ ଯୁବତୀ (ଦୁର୍ହିଙ୍କ ପରିଚୟ ଇଚ୍ଛାକୃତ ଭାବେ ଗୋପନ ରଖୁଛି) ବାହା ହେବାକୁ ଚାହୁଥିଲେ। ଉଭୟ ଗୋଟିଏ ଗାଁର ହୋଇଥିବା ସହିତ ଜାତିଗତ ପାର୍ଥକ୍ୟ ଓ ବିବାଦ ଥିବାରୁ ସେମାନେ ଆମଫୋଇରେ ବିବାହ କରିବାକୁ ଲୁଚିକରି ଚାଲିଆସିଥିଲେ। ଏହାର ଫଳସ୍ୱରୁପ ଦୁହିଁଙ୍କୁ ଗାଁରୁ ବିତାଡ଼ିତ କରାଯାଇଥିଲା। ଏହି ବାହାଘର ପାଇଁ ବେଶ୍‌ କଷ୍ଟ କରିବାକୁ ପଡ଼ିଥିଲା। ଏମିତିକି ସେ ଗାଁରୁ ଜାତି ଭେଦଭାବ ଦୂର କରିବା ପାଇଁ ସେ ସେହି ବର୍ଷ ଅଗଷ୍ଟ ମାସରେ ସେଠାରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ବି ରାମଚନ୍ଦ୍ର ସିଏସ୍‌ଟି ଭଲ୍‌ଟେୟାର୍‌ କହନ୍ତି, ପୂର୍ବ ଅପେକ୍ଷା ବର୍ତ୍ତମାନ ଲୋକଙ୍କର ଭିନ୍ନ ଜାତି ବିବାହ ପ୍ରତି ଦୃଷ୍ଟିଭଙ୍ଗୀ ବଦଳୁଛି। ଭିନ୍ନ ଜାତି ବାହାଘରକୁ ଉତ୍ସାହିତ ଓ ସହଯୋଗ କରୁଥିବାରୁ ପୂର୍ବରୁ ତାଙ୍କ ଘର ଉପରକୁ ବିରୋଧୀମାନେ ଢ଼େର ଟେକା, ପଥର ପକାଉଥିଲେ। କିନ୍ତୁ ଟେକା ପକାଉଥିବା ସେ ଲୋକମାନେ ଏବେ ଭଲରେ ମିଶୁଛନ୍ତି ବୋଲି ସେ କହନ୍ତି। ତାଙ୍କର ପ୍ରତ୍ୟେକ କାମରେ ତାଙ୍କ ପତ୍ନୀ ସ୍ୱପ୍ନା ବିଜୟିନୀ ପୂର୍ଣ୍ଣ ସହଯୋଗ କରନ୍ତି ବୋଲି ଭଲ୍‌ଟେୟାର୍‌ ସ୍ବୀକାର କରନ୍ତି।

‘କିସ୍‌ ଡେ’ରେ କେଁ କଟର

ଚନ୍ଦ୍ରଶେଖରପୁର: ଆଜି ଥିଲା ପ୍ରେମ ସପ୍ତାହର କିସ୍‌ ଡେ’। କିନ୍ତୁ ଆଜି ସନ୍ଧ୍ୟାରେ ନୀଳାଦ୍ରିବିହାର ୨୦୦ ଫୁଟିଆ ରୋଡ୍‌ରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର। ଏକ ପ୍ରେମୀଯୁଗଳଙ୍କ ମଧ୍ୟରେ ଚାଲିଥିବା କେଁ କଟର ବେଶ୍ ରୋଚକ ଦୃଶ୍ୟ ସୃଷ୍ଟି କରିଥିଲା। ଶେଷରେ ପ୍ରେମୀଯୁଗଳଙ୍କ ମଧ୍ୟରେ ଚାଲିଥିଲା ପିଟାପିଟି। ପ୍ରେମିକର ମାଡ଼ରେ ଯୁବତୀ ଲହୁଲୁହାଣ ହେବା ଦେଖି କିଛି ଯୁବକ ବାହାରିଥିଲେ ଏବଂ ପ୍ରେମିକକୁ ଉତ୍ତମ ମଧ୍ୟମ ଦେଇଥିଲେ। କିନ୍ତୁ ପୁଲିସ ଜିମା ଦେବା ପୂର୍ବରୁ ଯୁବତୀଙ୍କ ଅନୁରୋଧ ରକ୍ଷା କରି ସେମାନେ ପ୍ରେମିକକୁ ଛାଡ଼ିଦେଇଥିଲେ।
ଆଜି ସଂଧ୍ୟାରେ ‌ନୀଳାଦ୍ରିବିହାର ଦୁଇ ଶହ ଫୁଟିଆ ରାସ୍ତାରେ ଜମିଥିଲା ପ୍ରେମୀଯୁଗଳଙ୍କ ଭିଡ଼। ପଟିଆ ଅଞ୍ଚଳସ୍ଥ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଏହି ଛାତ୍ର ଓ ଛାତ୍ରୀ ମଧ୍ୟ ସେଠାରେ ନିଛାଟିଆ କଲଭର୍ଟ ନିକଟରେ ବସିଥିଲେ। ବିହାରୀ ଛାତ୍ର ଓ ବଙ୍ଗୀୟ ଛାତ୍ରୀଙ୍କ ମଧ୍ୟରେ ଗପସପ ଚାଲିଥିଲା। ହଠାତ୍ କୌଣସି କାରଣକୁ ନେଇ ସେମାନଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଗଲା। ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଚାଲିଲା। ଛାତ୍ରଜଣଙ୍କର ମାଡ଼ରେ ଛାତ୍ରୀ ତଳେ ପଡ଼ିଗଲେ। ଏହା ଦେଖି କିଛି ଯୁବକ ସେଠାକୁ ଧାଇଁ ଆସି ଛାତ୍ରକୁ ବହେ ପିଟିଥିଲେ। ସେମାନେ ପିସିଆର୍‌କୁ ଫୋନ୍‌ କରି ଛାତ୍ରକୁ ପୁଲିସ ଜିମା ଦେବାକୁ ବାହାରିଥିଲେ। କିନ୍ତୁ ଛାତ୍ରୀଜଣଙ୍କ ସେମାନଙ୍କୁ ଛାଡ଼ିଦେବାକୁ ଅନୁରୋଧ କରିଥିଲା। ପରେ ସେମାନେ ଅଲଗା ଅଲଗା ଘଟଣାସ୍ଥଳରୁ ଚାଲିଯାଇଥିଲେ। କିଛି ସମୟ ପରେ ପିସିଆର୍‌ ପହଞ୍ଚିଥିଲା ଏବଂ ଅନ୍ୟ ପ୍ରେମୀଯୁଗଳଙ୍କୁ ତାଗିଦ କରି ଚାଲିଯାଇଥିଲା।

ସମ୍ବନ୍ଧିତ ଖବର