‘ପାରିବାରିକ ଏକତାର ମୂଳଦୁଆ ଓଡ଼ିଶାରୁ ପଡ଼ିଛି’

ଦୁଇଦିନିଆ ‘ଉତ୍ସବ ଓଡ଼ିଶା’ ଉଦ୍‌ଯାପିତ

ଭୁବନେଶ୍ବର: ‘ଉତ୍କଳ ବିଶ୍ବବିଦ୍ୟାଳୟ’ ଓ ‘ଇନଷ୍ଟିଚ୍ୟୁଟ୍‌ ଅଫ ମିଡିଆ ଷ୍ଟଡିଜ୍‌’ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ସଂହତି ଓ ସଂସ୍କୃତି ଉତ୍ସବ ତଥା ‘ଉତ୍ସବ ଓଡ଼ିଶା’ ଆଜି ଉଦ୍‌ଯାପିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଏମ୍‌କେସିଜି ଅଡିଟୋରିୟମ୍‌ରେ ଆୟୋଜିତ ଏହି ଉତ୍ସବରେ ଗୁଜରାଟର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏସ୍.କେ ନନ୍ଦ ଅତିଥି ଭାବେ ଯୋଗଦେଇ କହିଲେ, ସମଗ୍ର ବିଶ୍ୱ କେବଳ ଅର୍ଥନୈତିକ ମାଧ୍ୟମ ସହିତ ସଂଯୁକ୍ତ ନୁହେଁ, ଏହା ମାନବିକ ମୂଲ୍ୟବୋଧ ଉପରେ ମଧ୍ୟ ସଂଯୁକ୍ତ ହୋଇପାରିବ। ପାରିବାରିକ ଗଠନରୁ ଆରମ୍ଭ ହେଉଥିବା ଏକତାର ସଂକଳ୍ପ ଉପରେ ଓଡ଼ିଶାର ଅବଦାନ ଅତୁଳନୀୟ। ଏହାସହ ସେ ଭାରତୀୟ ଇତିହାସର ପୃଷ୍ଠଭୂମି, ଭାରତର ଜାତୀୟ ଜୀବନ ଓ ସଂହତି ସମ୍ପର୍କରେ ଆଲୋଚନା କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ ଓ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ଗଠନ ପାଇଁ ସାମୂହିକ ଉଦ୍ୟମ ଲୋଡ଼ା ବୋଲି କହିଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ ସଭାପତିତ୍ବ କରି କହିଲେ, ସମନ୍ବୟାତ୍ମକ ସାଂସ୍କୃତିକ ଧାରା, ମାନବିକ ମୂଲ୍ୟବୋଧ ଓ ବୌଦ୍ଧିକ ବିଚାରଧାରା ଦିବ୍ୟ ଜୀବନଯାପନର ସନ୍ଦେଶ ଦେଇଥାଏ। ଶ୍ରୀଜଗନ୍ନାଥଙ୍କ ଐତିହ୍ୟ ଓ ପରମ୍ପରା ବିଶ୍ବବିଦିତ। ଏହି ଅବସରରେ କୁଳସଚିବ ଅଭୟ ନାୟକ ଉତ୍କଳ ସଂସ୍କୃତି ଓ ପରମ୍ପରା ସାଙ୍ଗକୁ ଓଡ଼ିଶାର ସମୃଦ୍ଧ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ଆଇଏମ୍‌ଏସ୍‌ର ନିର୍ଦ୍ଦେଶକ ପ୍ରଫେସର୍‌ ଉପେନ୍ଦ୍ର ପାଢ଼ୀ ଆଜାଦି କା ଅମୃତ ମହୋତ୍ସବ ଏବଂ ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ସଂସ୍କୃତି ଓ ଜାତୀୟ ସଂହତି ପର୍ଯ୍ୟବସିତ ‘ଉତ୍ସବ ଓଡ଼ିଶା’ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ର କଲ୍ୟାଣ ନିର୍ଦ୍ଦେଶିକା ପ୍ରଫସେର୍‌ ମିତାଲି ଚିନାରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଇଂରାଜୀ ଏବଂ ଓଡ଼ିଆ ବକ୍ତୃତା ସହ ରଙ୍ଗୋଲି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଗତକାଲି ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳା, ସଂସ୍କୃତି, ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ଆମ ଓଡ଼ିଶାର ବହୁତ ବଳିଷ୍ଠ ଅବଦାନ ରହିଛି ବୋଲି କହିଥିଲେ। ଉତ୍ସବରେ ପୌରୋହିତ୍ୟ କରି କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ କହିଥିଲେ, ଓଡ଼ିଶାର ସଂସ୍କୃତି ଓ ପରମ୍ପରା ମହାନ। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ ଓଡ଼ିଶା ହେଉଛି ସେବା ଓ ତ୍ୟାଗର ଭୂମି ବୋଲି କହିଥିଲେ। କୁଳସଚିବ ଅଭୟ ନାୟକ ଚିଲିକା ହ୍ରଦ ଓ ଶିମିଳିପାଳ ଜଙ୍ଗଲ ଭଳି ଅନନ୍ୟ ସ୍ଥାନ ଓଡ଼ିଶା ବ୍ୟତୀତ ଅନ୍ୟ କେଉଁଠି ବି ନାହିଁ ବୋଲି କହିଥିଲେ। ପ୍ରଥମ ଦିନରେ ୩ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର