ସେଦିନର ଅନାହାର ମୃତ୍ୟୁ ଓ ଆଜିର ଅପପୁଷ୍ଟି ମୃତ୍ୟୁ ପାଇଁ ସରକାରୀ ଅପାରଗତା ଦାୟୀ: ସଞ୍ଜୟ ପାରିଖ

କେବିକେ ଅନାହାର ମୃତ୍ୟୁ ମାମଲା ଏନ୍‌ଏଚ୍‌ଆର୍‌ସିରେ ଦୀର୍ଘତମ ମାମଲା

୧୯୯୬ ମସିହା ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ରେ ପ୍ରକାଶିତ ରିପୋର୍ଟର ଶୀର୍ଷକ ଥିଲା ‘ଏଣ୍ଡଲେସ୍‌ ହଙ୍ଗର୍‌’ ଯାହାର ଓଡ଼ିଆ ଶବ୍ଦାନୁବାଦ ‘ଅନ୍ତହୀନ ଭୋକ’। କଳାହାଣ୍ଡି, ବଲାଙ୍ଗୀର ଏବଂ କୋରାପୁଟର ସ୍ଥିତିକୁ ନେଇ ପ୍ରକାଶିତ ଏହି ରିପୋର୍ଟରେ ତତ୍କାଳୀନ କେନ୍ଦ୍ର କୃଷିମନ୍ତ୍ରୀ ଚତୁରାନନ ମିଶ୍ରଙ୍କ ମନ୍ତବ୍ୟ ଥିଲା ଯେ ମାତ୍ର ୨ ମାସରେ କେବଳ କଳାହାଣ୍ଡି ଜିଲ୍ଲାରେ ୧୮୦ ଜଣଙ୍କ ଭୋକରେ ମୃତ୍ୟୁ ହୋଇଛି। ତତ୍କାଳୀନ ଜିଲ୍ଲାପାଳଙ୍କ ରିପୋର୍ଟ ଅନୁଯାୟୀ, ମରୁଡ଼ି ଯୋଗୁଁ ୭୫ ପ୍ରତିଶତ ଫସଲ ନଷ୍ଟ ଅଞ୍ଚଳର ସ୍ଥିତିକୁ ଦୁର୍ବିସହ କରିଦେଇଛି। ସେତେବେଳେ ଅନାହାର ମୃତ୍ୟୁ ସମସ୍ୟାର ସମାଧାନ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାୟର୍‌ କରି ମାନବାଧିକାର କମିସନଙ୍କ ନିକଟରେ ପହଞ୍ଚାଇଥିଲେ ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ସଞ୍ଜୟ ପାରିଖ। ଓଡ଼ିଶା ଗସ୍ତ ଅବସରରେ ‘ସମ୍ବାଦ’ ପକ୍ଷରୁ ଗାର୍ଗୀ ଶତପଥୀଙ୍କ ସହ ତାଙ୍କର ସ୍ବଳ୍ପ ଆଳାପ…।

ପ୍ର: ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶାର ଅନାହାର ମୃତ୍ୟୁ ଲଢ଼େଇ କେମିତି ଆରମ୍ଭ ହେଲା?
ଉ: କଳାହାଣ୍ଡି ଜିଲ୍ଲାର ଦୟନୀୟ ଆର୍ଥିକ ସ୍ଥିତି, ଆଦିବାସୀଙ୍କୁ ମହାଜନଙ୍କ ଶୋଷଣ ଏବଂ ଖାଦ୍ୟାଭାବକୁ ନେଇ ୧୯୮୫ ମସିହାରେ ପ୍ରଥମେ ସମାଜବାଦୀ ଚିନ୍ତାନାୟକ କିଶନ ପଟ୍ଟନାୟକ ଏବଂ କପିଳ ତିୱାରୀ ସର୍ବୋଚ୍ଚ ନ୍ୟାୟାଳୟର ତତ୍କାଳୀନ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ। ଏଣେ କୋରାପୁଟ ଜିଲ୍ଲାର ଶୋଚନୀୟ ସ୍ଥିତିକୁ ନେଇ ଏକ ସାମାଜିକ ସଙ୍ଗଠନ ପକ୍ଷରୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା (ପିଆଇଏଲ) ଫାଇଲ ହୋଇଥିଲା। କିଶନ ପଟ୍ଟନାୟକଙ୍କ ଚିଠି ଆଧାରରେ ପ୍ରଧାନ ବିଚାରପତିଙ୍କ ନିର୍ଦ୍ଦେଶରେ ତତ୍କାଳୀନ ଜିଲ୍ଲା ବିଚାରପତି ରିପୋର୍ଟ ଦାଖଲ କରିଥିଲେ। ଏଥିରେ ସେ କଳାହାଣ୍ଡିର ଦୟନୀୟ ସ୍ଥିତିକୁ ଅସ୍ବୀକାର କରିଥିଲେ। ଯାହାକୁ କିଶନ ପଟ୍ଟନାୟକ ଚ୍ୟାଲେଞ୍ଜ କରି ଅନେକ ତଥ୍ୟ ଦେଇଥିଲେ। ଓଡ଼ିଶା ସରକାର ମଧ୍ୟ ଅନାହାର ମୃତ୍ୟୁକୁ ଅସ୍ବୀକାର କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅଦାଲତଙ୍କୁ ସୂଚନା ଦେଇଥିଲେ। କିଶନ ଅଦାଲତରେ ରିଟ୍-ପିଟିସନ ଦାଖଲ କରିଥିଲେ। ଯାହା ଦୀର୍ଘବର୍ଷ ଧରି ଗୋଟିଏ ବେଞ୍ଚରୁ ଆଉ ଗୋଟିଏ ବେଞ୍ଚକୁ ଯାଇଥିଲା। ଶେଷରେ ୧୯୮୯ ମସିହାରେ ରାୟ ପ୍ରକାଶିତ ହୋଇଥି‌ଲା। ରାୟରେ କୁହାଯାଇଥିଲା ଯେ କଳାହାଣ୍ଡି ଏବଂ କୋରାପୁଟ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଆମର ଆଶା ଏବଂ ବିଶ୍ବାସ ଅଛି, ସରକାରୀ ପଦକ୍ଷେପ ଜରିଆରେ ଏହାର ସମାଧାନ ହୋଇପାରିବ। ଓଡ଼ିଶାର ଅନାହାର ମୃତ୍ୟୁ ମାମଲା ସର୍ବୋଚ୍ଚ ଅଦାଲତ ପର୍ଯ୍ୟନ୍ତ ଯିବା ଯୋଗୁ ହିଁ ଖାଦ୍ୟ ସୁରକ୍ଷାର ଆବଶ୍ୟକତା କେନ୍ଦ୍ର ସରକାର ବୁଝିଲେ। ଆଜି ରାସନ୍‌ କାର୍ଡ, ଖାଦ୍ୟ ବିତରଣକୁ ଯେତେ ଗୁରୁତ୍ବ ଦିଆଯାଉଛି, ତା’ର ଶ୍ରେୟ କିଶନ ପଟ୍ଟନାୟକଙ୍କ ଆଗତ ମାମଲାକୁ ଦିଆଯିବା ଉଚିତ।

ପ୍ର: ଆପଣ ଓଡ଼ିଆ ନୁହନ୍ତି, ଆପଣ କେମିତି ଓଡ଼ିଶାର ଅନାହାର ପ୍ରସଙ୍ଗ ନେଇ ଲଢ଼ିଲେ?
ଉ: ମୁଁ ସ୍କୁଲରେ ପଢ଼ୁଥାଏ। ସେତେବେଳେ ୬/୭ ବର୍ଷୀୟା ଜଣେ ଝିଅ ଫୋପଡ଼ା ଖାଦ୍ୟ ଖାଉଥିବାର ଦୃଶ୍ୟ ମୋତେ ଗଭୀର ଭାବେ ପ୍ରଭାବିତ କରିଥିଲା। କଲେଜରେ ପଢ଼ିବା ବେଳକୁ କଳାହାଣ୍ଡି ଅନାହାର ମୃତ୍ୟୁ କଥା ଶୁଣୁଥିଲୁ। ସେତେବେଳେ ଲାଗୁଥିଲା, କଳାହାଣ୍ଡିରେ କେବଳ ଖରା ହେଉଥିବ, ପାଣି ନଥିବ। ସେଥିପାଇଁ ଲୋକେ ଖାଇବାକୁ ନପାଇ ମରିଯାଉଥିବେ। ବିଭିନ୍ନ ସମୟରେ କେନ୍ଦ୍ରୀୟ କମିଟି ମଧ୍ୟ ସେ ଅଞ୍ଚଳକୁ ଯାଇ ରିପୋର୍ଟ ଦେଉଥିଲେ। ମୋ ବାପା ମଧ୍ୟ ଜଣେ ସମାଜବାଦୀ ହୋଇଥିବାରୁ ଏକଦା କିଶନ ପଟ୍ଟନାୟକଙ୍କ ସଂସ୍ପର୍ଶ‌‌ରେ ମୋତେ ଆସିବାର ସୁଯୋଗ ମିଳିଥିଲା। ତାଙ୍କରି ପରାମର୍ଶରେ ‘ଇଣ୍ଡିଆ ଟୁଡେ’ରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାୟର୍‌ କରିଥିଲି। ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶରେ ମାନବାଧିକାର କମିସନର୍‌ ୩ଜଣ ବିଚାରପତି ଏହାର ଶୁଣାଣି କରିଥିଲେ।

ପ୍ର: ଅଦାଲତରେ ଏହି ମାମଲା ଚାଲିବା ପରେ କ’ଣ ପରିବର୍ତ୍ତନ ହେଲା ଏବଂ ଅନାହାର ମୃତ୍ୟୁର କାରଣ କ’ଣ ବୋଲି ଜାଣିଲେ?
ଉ: ମାମଲା ଲଢ଼ିବା ବେଳକୁ ଗୋଟିଏ କଥା ଅନୁଭବ ହେଲା ଯେ ମରୁଡ଼ି ଯୋଗୁଁ କେବିକେରେ ଅନାହାର ମୃତ୍ୟୁ ହେଉନଥିଲା। ତାହା ସମ୍ପୂର୍ଣ୍ଣ ମନୁଷ୍ୟକୃତ ଥିଲା। ସରକାରୀ ଯୋଜନା ଲୋକଙ୍କ ନିକଟରେ ଠିକ୍‌ ଭାବରେ ପହଞ୍ଚିପାରୁ ନଥିଲା। ଏହି ମାମଲା ପରିଚାଳନା ବେଳେ ମାନବାଧିକାର କମିସନ ରାଜ୍ୟ ସରକାରଙ୍କୁ କୌଣସି ନୂତନ ଯୋଜନାର ନିର୍ଦ୍ଦେଶ ଦେଉ ନଥିଲେ। ସରକାର ଯେଉଁ ଯୋଜନା କାର୍ଯ୍ୟକାରୀ କରିବା କଥା କହୁଥିଲେ, ତା’ର ହିଁ ଅନୁଧ୍ୟାନ କରୁଥିଲେ। ଭୋକର ମୁକାବିଲା ପାଇଁ କ୍ଷୁଦ୍ରକାଳୀନ କାର୍ଯ୍ୟକ୍ରମ ଅନ୍ତର୍ଗତରେ ଓଡ଼ିଶା ସରକାର ପୂର୍ବରୁ ବିଭିନ୍ନ ସ୍ଥାନରେ ଖାଦ୍ୟ କେନ୍ଦ୍ର ଖୋଲିଥିଲେ। କିନ୍ତୁ ତାହା ପର୍ଯ୍ୟାପ୍ତ ନଥିଲା। ତାକୁ ବଢ଼ାଇବା ପାଇଁ କୁହାଯାଇଥିଲା। ସ୍ଥାନୀୟ ସ୍ତରରେ ୨୪ଘଣ୍ଟା ମଧ୍ୟରେ ପାଣି ସମସ୍ୟା ସମାଧାନ, ସ୍ବାସ୍ଥ୍ୟ ମୋବାଇଲ ବ୍ୟବସ୍ଥା ଆଦି ଭଳି ସ୍ବଳ୍ପକାଳୀନ ପଦକ୍ଷେପ ନିଆଯାଇଥିଲା। କେବିକେରେ ଯେତେ ଆଦିବାସୀ ଜମି ଅଣ-ଆଦିବାସୀ ନେଇଯାଇଥିଲେ, ତାକୁ ଫେରାଇ ଆଣିବା ପାଇଁ କମିସନ୍‌ ନିର୍ଦ୍ଦେଶ ଦେଇଥିଲେ। ଦୀର୍ଘକାଳୀନ କାର୍ଯ୍ୟକ୍ରମ ଅନ୍ତର୍ଗତରେ କେବିକେ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ମତେ ମଧ୍ୟ କ୍ଷମତା ଥିଲା ଯେ ମୁଁ ଯେକୌଣସି ସମୟରେ କେବିକେ ଅଞ୍ଚଳ ଯାଇପାରିବି। ଏହି ମାମଲା ୧୦ବର୍ଷ ଚାଲିଥିଲା, ଯାହା ମାନବାଧିକାର କମିସନର ସବୁଠାରୁ ଦୀର୍ଘକାଳୀନ ମାମଲା ଥିଲା। ଯେଉଁ ୩ଜଣ ବିଚାରପତି ଏହାର ପରିଚାଳନା କରିଥିଲେ, ସମସ୍ତେ ଲୋକ ସପକ୍ଷବାଦୀ ଥିଲେ। ଲୋକଙ୍କ ଭୋକର ଭୟଙ୍କର ଚିତ୍ର ଶୁଣିବାକୁ ମିଳୁଥିଲା। ଅନେକ ବ୍ୟକ୍ତି ଖାଦ୍ୟ କେନ୍ଦ୍ରକୁ ଆସିପାରୁ ନଥିବା ଅବସ୍ଥା ଥିଲା।

ପ୍ର: ଆଜି ଆପଣ ଓଡ଼ିଶାରେ ଅନାହାର ମୃତ୍ୟୁ ସମ୍ପର୍କରେ ଶୁଣୁଛନ୍ତି?
ଉ: ଅନେକ ବର୍ଷ ହେଲା ଓଡ଼ିଶାର ଅନାହାର ମୃତ୍ୟୁ ସମ୍ପର୍କରେ ଶୁଣିନାହିଁ। କିନ୍ତୁ ଶିଶୁ ଅପପୁଷ୍ଟି ମୃତ୍ୟୁ ଖବର ଶୁଣୁଛି। ଏପରିକି ଭୁବନେଶ୍ବର ନିକଟରେ ଏଭଳି ହୋଇଥିବା ଜାଣିବାକୁ ପାଇଛି। ଅପପୁଷ୍ଟି ମଧ୍ୟ ଦାରିଦ୍ର୍ୟର ଅଂଶବିଶେଷ। ଶିଶୁ ଅପପୁଷ୍ଟି ନେଇ ସମୀକ୍ଷା କଲେ ପ୍ରକୃତ କାରଣ ଜଣାପଡ଼ିବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ସେତେବେଳେ ଯେପରି ସରକାରୀ ଅବହେଳାରୁ ଅନାହାର ମୃତ୍ୟୁ ହେଉଥିଲା, ଆଜି ମଧ୍ୟ ସରକାରଙ୍କ ବିଫଳତାରୁ ଶିଶୁ ଅପପୁଷ୍ଟି ମୃତ୍ୟୁ ହୋଇଥିବ।

ପ୍ର: ଓଡ଼ିଶା ପାଇଁ ଆଉ କେଉଁ ମାମଲା ଲଢ଼ିଛନ୍ତି। ବେଦାନ୍ତ ବିଶ୍ବବିଦ୍ୟାଳୟ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ନେଇ କ’ଣ କହିବେ?
ଉ: ବେଦାନ୍ତ ବିଶ୍ବବିଦ୍ୟାଳୟ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ସ୍ବାଗତ କରୁଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ମାମଲା ସହିତ ମୁଁ ଥିଲି। ପରେ ପ୍ରଶାନ୍ତ ଭୂଷଣ ଲଢ଼ିଥିଲେ। ଓଡ଼ିଶାର ନିୟମଗିରି, ପୋସ୍କୋ ଏବଂ ସାହାରା ପାୱାର୍‌ ଜମି ଅଧିଗ୍ରହଣ ଜନିତ ସର୍ବୋଚ୍ଚ ନ୍ୟାୟାଳୟରେ ମୁଁ ଲଢ଼ିଛି। ଯେତେବେଳେ ସରକାର କୌଣସି ପ୍ରକଳ୍ପ ପ୍ରତିଷ୍ଠା କରନ୍ତି, ତା’ର ଲାଭ-କ୍ଷତିର ଉପଯୁକ୍ତି ହିସାବ କରି ହିଁ ପ୍ରକଳ୍ପ ହେଲେ ପ୍ରକୃତ ବିକାଶ ହେବ। ଓଡ଼ିଶା ସହ ମୋର ଭିନ୍ନ ସଂପର୍କ ରହିଛି।

 

ସମ୍ବନ୍ଧିତ ଖବର