ଓଜନିଆ ହୋଇଥିଲା ମୃତଦେହ, ଉଠାଇବା ପାଇଁ ଗୋଡ କାଟିଲା ପୁଲିସ, କଟା ଗୋଡ ଭିତରୁ ବାହାରିଲା ଲକ୍ଷେ ଟଙ୍କା

ନୂଆଦିଲ୍ଲୀ: ରେଲେଓ୍ଵ ଷ୍ଟେସନ୍‌ ପାଖରେ ଏକ ମୃତଦେହ ପଡ଼ିଥିବା ନେଇ ବେଙ୍ଗାଲୁରୁ ରେଲେଓ୍ଵ ପୁଲିସ ପାଖକୁ ମଙ୍ଗଳବାର ରାତି ପାଖାପାଖି ୧୦ଟା ସମୟରେ ଏକ ଫୋନ୍‌ କଲ୍‌ ଆସିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହଟି ଉଠାଇବାରେ ଓଜନିଆ ହୋଇଥିବା ହେତୁ ପୁଲିସ ଗୋଡ କାଟି ଦେଇଥିଲା।

ଯାଞ୍ଚରୁ ଜଣାପଡ଼ିଲା କି, ମୃତଦେହ ଶରୀରରେ ଅପ୍ରାକୃତିକ ଗୋଡ ଲାଗିଥିଲା। ଶରୀରରୁ ଗୋଡ ଅଲଗା କରିବା ପରେ ପୁଲିସକୁ ଏଭଳି ଜିନିଷ ମିଳିଥିଲା ଯାହା ଦେଖି ଘଟଣାସ୍ଥଳରେ ଥିବା ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ପୁଲିସ ମୃତକଙ୍କ ପରିଚୟ ୭୫ବର୍ଷୀୟ ସରିଫ ସାବ ରୂପରେ କରିଛି। ସରିଫ ହାଇଦ୍ରାବାଦର ବାସିନ୍ଦା ଓ ଅନେକ ବର୍ଷ ହେବ ସେ ରେଲେଓ୍ଵ ଷ୍ଟେସନ୍‌ରେ ଭିକ ମାଗୁଥିଲା। ଯେତେବେଳେ ପୁଲିସ ସରିଫର ଶବ ନେବାକୁ ଆସିଥିଲା ସେହି ସମୟରେ ମୃତଦେହ ଉଠାଇବାରେ ସେ ସକ୍ଷମ ହୋଇ ନଥିଲା। ତେଣୁ ମୃତଦେହରୁ ଅପ୍ରାକୃତିକ ଗୋଡକୁ କାଟି ବାହାର କରି ଦେଇଥିଲା। ଏହି କଟା ଗୋଡ ଭିତରେ ନୋଟ ଭର୍ତ୍ତି ଥିବା ପୁଲିସ ଦେଖିବାକୁ ପାଇଥିଲା। ଏହି ନୋଟକୁ ପୁଲିସ ଜବତ କରିବା ସହିତ ଏହାର ମୂଲ୍ୟ ହାରାହାରି ୯୬, ୭୬୦ ଟଙ୍କା ଥିବା ଜଣାପଡ଼ିଛି। ପୁଲିସ ସରିଫର ପରିବାରବର୍ଗଙ୍କୁ ଖବର ଦେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର