ଜାଣନ୍ତୁ କେଉଁ ଦେଶ ପ୍ରଥମେ କ୍ଷେପଣାସ୍ତ୍ର ନିର୍ମାଣ ଆରମ୍ଭ କରିଥିଲା ଓ କେଉଁଠି ବସାଇଥିଲା କ୍ଷେପଣାସ୍ତ୍ର ତିଆରି କାରଖାନା

ସମଗ୍ର ବିଶ୍ୱରେ ଯୁଦ୍ଧର ପଦ୍ଧତି ବଦଳି ଯାଇଛି । ପୂର୍ବରୁ ଯୁଦ୍ଧ ପାଇଁ ତୀର ଓ ଖଣ୍ଡା ବ୍ୟବହାର କରାଯାଉଥିଲା । ପରେ ବନ୍ଧୁକ ଓ ତୋପ ବ୍ୟବହାର କରାଗଲା । ଏବେ କିନ୍ତୁ କ୍ଷେପଣାସ୍ତ୍ର ଏବଂ ରକେଟ୍ ମାଧ୍ୟମରେ ଲଢେଇ ଚାଲୁଛି । ପ୍ରତ୍ୟକ ଦେଶ ନିଜ ପାଖରେ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ରଖିଥାନ୍ତି, ଯାହା ଦ୍ୱାରା ଶତ୍ରୁ ପକ୍ଷକୁ ପାଖରୁ ବିନାଶ କରାଯାଇପାରିବ। ସେହିପରି ଭାରତ ପାଖରେ ମଧ୍ୟ ଅନେକ କ୍ଷେପଣାସ୍ତ୍ର ରହିିଛି । ତେବେ ଆସନ୍ତୁ ଜାଣିବା କେଉଁ ଦେଶ ପ୍ରଥମେ କ୍ଷେପଣାସ୍ତ୍ର ତିଆରି କରିଥିଲା ।

ବିଶ୍ବରେ ପ୍ରଥମ କ୍ଷେପଣାସ୍ତ୍ର ତିଆରି ଆରମ୍ଭ କରିଥିଲା ଜର୍ମାନୀ । ଯଦିଓ ରୁଷିଆ ଏବଂ ଆମେରିକା ମଧ୍ୟ ଏହି କ୍ଷେତ୍ରରେ ଆଗରେ ଅଛନ୍ତି କିନ୍ତୁ ପ୍ରଥମ ଉଦ୍ୟମ ଜର୍ମାନୀରୁ ହୋଇଥିଲା ।  ପରେ  ରୁଷିଆ ଏବଂ ଆମେରିକାର ବୈଜ୍ଞାନିକମାନେ କ୍ଷେପଣାସ୍ତ୍ର ତିଆରିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀର ଏକ ଗାଁକୁ କ୍ଷେପଣାସ୍ତ୍ର କାରଖାନା ଭାବରେ ବିକଶିତ କରାଯାଇଥିଲା । ଏହି ଗାଁର ନାମ ହେଉଛି ପେନ୍‌ମୁଣ୍ଡେ । ଏହି ଗାଁ ଜର୍ମାନୀର ୟୁସଡମ୍ ଦ୍ୱୀପରେ ପେନ୍ ନଦୀ ମୁହାଣରେ ଅବସ୍ଥିତ। ପେନ୍ ନଦୀ ବାଲ୍‌ଟିକ୍ ସାଗରରେ ପଡ଼ିଛି । ସୁନ୍ଦର ବେଳାଭୂମି ପାଇଁ ଏହା ପ୍ରସିଦ୍ଧ । ପୂର୍ବ ଜର୍ମାନୀର ଲୋକେ ଏଠାକୁ ଛୁଟି ମନାଇବାକୁ ଆସିଥାନ୍ତି । ମାତ୍ର ୧୯୩୬ରୁ ୧୯୪୫ ମଧ୍ୟରେ ଦ୍ୱୀପପୁଞ୍ଜର ଗାଁ ପେନ୍‌ମୁଣ୍ଡେକୁ ନାଜି ସରକାର ଗୁପ୍ତଚର ମିସନର ଆଡ୍ଡା କରିଥିଲେ । ୧୯୩୫ରେ ଜର୍ମାନ ଇଞ୍ଜିନିୟର ବର୍ନହର୍ବନ୍ ବ୍ରୋନ୍ କ୍ଷେପଣାସ୍ତ୍ର କାରଖାନା ପାଇଁ ପେନ୍‌ମୁଣ୍ଡେ ଗାଁକୁ ବାଛିଥିଲେ । ଏହାର ୪ଶହ କିଲୋମିଟର ପର୍ଯ୍ୟନ୍ତ ଶୁନ୍‌ଶାନ୍ ଥିଲା । ତେଣୁ ବ୍ରୋନ୍ ଭାବିଥିଲେ ଏହି ସ୍ଥାନ ତାଙ୍କ ରକେଟ ପରୀକ୍ଷା ପାଇଁ ଉପଯୁକ୍ତ ହେବ । ତେବେ ସରକାରଙ୍କ ଅନୁମତି ପାଇବା ପରେ ଏଠାରେ କ୍ଷେପଣାସ୍ତ୍ର କାରଖାନା ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିଲା । ପୃଥିବୀର ପ୍ରଥମ କ୍ରୁଜ୍ କ୍ଷେପଣାସ୍ତ୍ର କାରଖାନା ଏବଂ ଏହାର ପରୀକ୍ଷଣ  କରିବାକୁ ପାଖାପାଖି ୧୨ ହଜାର ଲୋକ ଏଠାରେ ଦିନରାତି କାର୍ଯ୍ୟ କରିଥିଲେ । କାରଖାନାଟି ୨୫ ବର୍ଗ କିଲୋମିଟର ଅଂଚଳ ପର୍ଯନ୍ତ ବ୍ୟାପିଥିଲା ।

ପେନ୍‌ମୁଣ୍ଡେରେ ଗବେଷଣା ଏବଂ କ୍ଷେପଣାସ୍ତ୍ର ପରୀକ୍ଷା କେବଳ ବିଶ୍ୱର ସର୍ବବୃହତ ଯୁଦ୍ଧ ପାଇଁ ନୁହେଁ, ବରଂ ଭବିଷ୍ୟତ ପାଇଁ ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଥିଲା । କେବଳ ଏତିକି ନୁହେଁ, ଏହି ଗାଁରେ ରକେଟ୍ ଟେକ୍‌ନେ୍‌ାଲୋଜିର ମୂଳଦୂଆ ମଧ୍ୟ ପକାଯାଇଥିଲା, ଯାହାଦ୍ବାରା ମଣିଷ ମହାକାଶ ଯାତ୍ରା ଆରମ୍ଭ କରିଥିଲା ।

ସମ୍ବନ୍ଧିତ ଖବର