କାନାଡାରୁ କଳିଙ୍ଗ, ହକି ଡୋରରେ ୧୨,୦୦୦ କିଲୋମିଟର

ଭୁବନେଶ୍ବର(ଦେବାଶିଷ ସୁନ୍ଦରାୟ): କନିଷ୍ଠ ପୁରୁଷ ହକି ବିଶ୍ବକପ୍ ବିନା ଦର୍ଶକରେ ଖେଳାଯାଉଥିବାରୁ କଳିଙ୍ଗ ଷ୍ଟାଡିୟମ୍‌ର ଚାରିଟିଯାକ ଗ୍ୟାଲେରି ଆପାତତଃ ଖାଲି ରହୁଛି। ହେଲେ ଗୁରୁବାର ଭାରତ-କାନାଡା ମ୍ୟାଚ୍‌ରେ କିଛି ଲାଲ ପୋଷାକ ଏବଂ ପଗଡ଼ି ପିନ୍ଧିଥିବା ପ୍ରଶଂସକଙ୍କ ଉପସ୍ଥିତି ଏକ କୌତୁହଳମୟ ପରିବେଶ ସୃଷ୍ଟି କରିଥିଲା। ଏହି ୬ଜଣିଆ ଦଳରେ ଜଣେ ମହିଳା ବି ଥିଲେ। ସେମାନେ ଭାରତୀୟ ଭଳି ଦେଖାଯାଉଥିଲେ ମଧ୍ୟ କାନାଡା ପତାକାକୁ ସଗର୍ବ ଧରିଥିଲେ। ଆଉ ଅନଭିଜ୍ଞ କାନାଡା ଖେଳାଳିଙ୍କୁ ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉତ୍ସାହିତ କରୁଥିଲେ। କଥାବାର୍ତ୍ତା ପରେ ଜଣାପଡ଼ିଥିଲା ଯେ ସେମାନେ ହେଉଛନ୍ତି କାନାଡାର ଭାରତୀୟ ବଂଶୋଦ୍ଭବ ଅଧିନାୟକ ମନବୀର ଝମତଙ୍କ ପିତା ହରପ୍ରୀତ ଝମାତ ଏବଂ ୨୨ ନମ୍ବର ଖେଳାଳି ସିଦ୍ଧୁ ଜ୍ୟୋଥ ସ୍ବରୂପଙ୍କ ମାତା-ପିତା ଗୁରଜିତ ସିଦ୍ଧୁ ଓ ପ୍ରୀତ ସିଦ୍ଧୁ ।

ସେହିଭଳି ଆଉ ଜଣେ ଖେଳାଳି ଅଭଜ୍ୟୋତ ବୁଟାରଙ୍କ ପିତା ଚରଣଜିତ ବୁଟାର ମଧ୍ୟ ଦର୍ଶକ ଗ୍ୟାଲେରିରେ ରହି ନିଜ ପୁଅର ଖେଳକୁ ନିୟମିତ ଅନୁଧ୍ୟାନ କରୁଥିଲେ। ତାଙ୍କୁ ଉତ୍ସାହିତ କରୁଥିଲେ। ଏହି ୪ଜଣ କାନାଡାର ଭାଙ୍କୋଭରରୁ ଖାସ୍ ବିଶ୍ବକପ୍ ପାଇଁ ଓଡ଼ିଶା ଆସିଛନ୍ତି। ପାଖାପାଖି ୧୨,୦୦୦ କିଲୋମିଟରର କଠିନ ଯାତ୍ରା କରିବା ସହ ଦୀର୍ଘ ୧୫ ଘଣ୍ଟା କାଳ ବିମାନରେ ବସି ଦିଲ୍ଲୀରେ ପହଞ୍ଚିଥିଲେ। ସେଠାରୁ ଆଉ ଏକ ବିମାନ ‌ଯୋଗେ ଭୁବନେଶ୍ବର ଆସିଥିଲେ। ଗତ ମଙ୍ଗଳବାର ଭୁବନେଶ୍ବର ପହଞ୍ଚିବା ପରେ ଗୋଟିଏ ଦିନର ବିଶ୍ରାମ ନେଇ ଗୁରୁବାର ରାତିରେ ମ୍ୟାଚ୍ ଦେଖିବାକୁ ଆସିଥିଲେ। ସାଙ୍ଗରେ ସେମାନେ ଦୁଇଜଣ ସଂପର୍କିୟଙ୍କୁ ମଧ୍ୟ ବିଶ୍ବକପ୍ ଦେଖାଇବାକୁ ଆଣିଛନ୍ତି। କାନାଡା ବିଶ୍ବକପ୍‌ରେ ଆଗକୁ ବଢ଼ୁ କି ନ ବଢ଼ୁ ସେମାନେ ବିଶ୍ବକପ୍ ଶେଷ ପର୍ଯ୍ୟନ୍ତ ଭୁବନେଶ୍ବରରେ ରହିବେ ବୋଲି ବେଶ୍ ଉତ୍ସାହର ସହ କହିଥିଲେ ସିଦ୍ଧୁଙ୍କ ମା ପ୍ରୀତ୍। ଅନ୍ୟପକ୍ଷରେ ଗୁରଜିତ କହିଥିଲେ ଯେ ଏମିତି ସୌଭାଗ୍ୟ ଭାଗ୍ୟରେ ଥିଲେ ମିଳେ। ଭାରତ ବିପକ୍ଷ ଅଭିଜ୍ଞ ଦଳ ବିପକ୍ଷରେ ଖେଳିବା କାନାଡା ପାଇଁ ଏକ ବଡ଼ ଅଭିଜ୍ଞତା। ପିଲାମାନେ ବିଶ୍ବକପ୍ ଖେଳିବା ପରେ ଅନେକ କଥା ଶିଖିବେ। ଏହା ମଧ୍ୟ ସେମାନଙ୍କ ଜୀବନର ଏକ ସ୍ମରଣୀୟ ମୁହୂର୍ତ ହୋଇ ରହିବ।

କଳିଙ୍ଗ ଷ୍ଟାଡିୟମ୍‌ର ଶୋଭା, ଓଡ଼ିଶାର ଆତିଥେୟତା ଏବଂ ଭୁବନେଶ୍ବର ଲୋକଙ୍କ ଭଲପାଇବାକୁ ସମସ୍ତେ ମିଳିତ ଭାବେ ମନଖୋଲା ପ୍ରଶଂସା କରିଥିଲେ। ଗୁରଜିତ, ଚରଣଜିତ ଓ ହରପ୍ରୀତଙ୍କ ପୂର୍ବଜମାନେ ବହୁବର୍ଷ ପୂର୍ବେ କାନାଡା ଚାଲିଯାଇ ସେଠାରେ ବସବାସ କରିବା ଆରମ୍ଭ କରିଥିଲେ। ଏବେ ସେମାନେ ହେଉଛନ୍ତି କାନାଡାର ନାଗରିକ। କାନାଡାର ନାଗରିକ ହୋଇଥିଲେ ମଧ୍ୟ ଭାରତ ସହ ସମସ୍ତଙ୍କର ଆବେଗଭରା ସଂପର୍କ ରହିଛି। ଏଠାକୁ ଆସିଲେ ବେଶ୍ ଆତ୍ମସନ୍ତୋଷ ମିଳିଥାଏ ବୋଲି ଗୁରଜିତ କହିଥିଲେ। ସୂଚନାଯୋଗ୍ୟ ଯେ ଗ୍ରେଟ୍ ବ୍ରିଟେନ୍, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିଶ୍ବକପ୍‌ରୁ ଓହରିବା ପରେ କାନାଡା, ପୋଲାଣ୍ଡ, ଆମେରିକା ୱାଇଲ୍ଡ କାର୍ଡ ପାଇ ଚଳିତ ବିଶ୍ବକପ୍ ଖେଳୁଛନ୍ତି। ଏହି ଦଳରେ ୭ରୁ ଅଧିକ ଭାରତୀୟ ବଂଶୋଦ୍ଭବ ଖେଳାଳି ଅଛନ୍ତି। ଯାହା ଏକ ଛୋଟ ଭାରତର ଭ୍ରମ ସୃଷ୍ଟି କରିଥାଏ। କାନାଡା କନିଷ୍ଠ ହକି ଦଳ ନିଜ ପାଇସାରେ ବିଶ୍ବକପ୍ ଖେଳିବାକୁ ଆସିଛି। ଅଧିନାୟକ ମନବୀର ସଂପ୍ରତି ବିଶ୍ବବିଦ୍ୟାଳୟରେ ପାଠ ପଢ଼ୁଥିଲା ବେଳେ ଭାରତ ଆସିବା ପାଇଁ ଅନଲାଇନ୍‌ରେ ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ କରିଥିଲେ। ଦାନରେ ମିଳିଥିବା ଅର୍ଥରେ ହିଁ କାନାଡା ଦଳର ଅଧିକାଂଶ ଖର୍ଚ୍ଚ ଭରଣା ହେଉଛି।

ସମ୍ବନ୍ଧିତ ଖବର