ଜାତୀୟ କ୍ରୀଡ଼ାରେ କାନୋଇଂ ଓ ବିଚ୍‌ ଭଲିରୁ ଓଡ଼ିଶାକୁ ୩ ପଦକ

ଭୁବନେଶ୍ବର : ଚଳିତ ଜାତୀୟ କ୍ରୀଡ଼ାରେ ରବିବାର ଭାରତକୁ ତିନିଟି (୧ ରୌପ୍ୟ ଓ ୨ କାଂସ୍ୟ) ପଦକ ମିଳିଛି। ଏହି ୩ ପଦକ କାନୋଇଂ (ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ) ଏବଂ ବିଚ୍‌ ଭଲିବଲ୍‌ (୧ କାଂସ୍ୟ)ରୁ ଆସିଛି। ଫଳରେ ରବିବାର ସୁଦ୍ଧା ଓଡ଼ିଶାର ପଦକ ସଂଖ୍ୟା ୧୯ (୩ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୯ କାଂସ୍ୟ)କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଦଳ ଫାଇନାଲ୍‌ରେ ପହଞ୍ଚି ଆଉ ଗୋଟିଏ ପଦକ ନିଶ୍ଚିତ କରିଛି।

କାନୋଇଂରୁ ରୌପ୍ୟ ଓ କାଂସ୍ୟ
ରବିବାର କାନୋଇଂରୁ ‌ଗୋଟିଏ ଲେଖ‌ାଏଁ ରୌପ୍ୟ ଓ କାଂସ୍ୟ ସହ ୨ ପଦକ ମିଳିଛି। କାନୋଇଂ ସ୍ପ୍ରିଣ୍ଟ ପୁରୁଷ କେ-୧ ୧୦୦୦ ମିଟରରେ ଟମଥିନଗାଁବା ଗାସପାମ ‌ରୌପ୍ୟ ଏବଂ ସତ୍ୟମ ବଲିୟାନ ଓ ସୂରଜ ବିଜାଲେଙ୍କୁ ନେଇ ଗଠିତ ଓଡ଼ିଶା ଦଳ କେ-୨ ୧୦୦୦ ମିଟରରେ କାଂସ୍ୟ ପଦକ ଜିତିଥିଲେ। ସ୍ପ୍ରିଣ୍ଟ ପୁରୁଷ କେ-୧ ୧୦୦୦ ମିଟରରେ ଗାସପାମ (୪:୫୦.୩୫୮) ଦ୍ବିତୀୟ ସ୍ଥାନରେ ରହିଥିଲେ। ଏସ୍‌ଏସ୍‌ସିବିର ବୀରେନ୍ଦ୍ର ସିଂହ (୪:୪୬.୪୫୨) ସ୍ବର୍ଣ୍ଣ ଏବଂ ମଧ୍ୟପ୍ରଦେଶର ନୀତୀନ ବର୍ମା (୪:୫୪.୬୨୫) କାଂସ୍ୟ ଜିତିଥିଲେ। ସ୍ପ୍ରିଣ୍ଟ ପୁରୁଷ କେ-୧ ୧୦୦୦ ମିଟରରେ ଓଡ଼ିଶା ଯୋଡ଼ି ସତ୍ୟମ ଓ ସୂରଜ (୩:୪୭.୯୦) ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲେ। ଏସ୍‌ଏଲ୍‌ସିବିର ଏଲ୍‌ ନାଓଚା ସିଂହ ଓ ଅଜିତ ସିଂହ (୩:୪୨.୩୪୩) ‌ସ୍ବର୍ଣ୍ଣ ଏବଂ ମଧ୍ୟପ୍ରଦେଶର ବିଶାଲ ଡାଙ୍ଗି ଓ ଅଖିତ ବାରୋଇ (୩:୪୩.୨୪୦) ରୌପ୍ୟ ପଦକ ପାଇଥି‌ଲେ। ଏହି ସଫଳତା ଲାଗି ଓଡ଼ିଶା କାୟାକିଂ ଓ କାନୋଇଂ ସଂଘ ସମ୍ପାଦକ ବିପିନ ଦାଶ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କାଂସ୍ୟ ଜିତିଲା ଓଡ଼ିଶା ମହିଳା ବିଚ୍ ଭଲିବଲ୍‌ ଦଳ
ସୁରଟର ଡୁମାସ୍ ବେଳାଭୂମିରେ ଆୟୋଜିତ ମହିଳା ବିଚ୍ ଭଲିବଲ୍‌ରେ ଓଡ଼ିଶା କାଂସ୍ୟ ପଦକ ଜିତିଛି। କାଂସ୍ୟ ମୁକାବିଲାରେ ଶିବାନୀ ପ୍ରିୟଦର୍ଶିନୀ ଓ ମୋନାଲିସା ପାତ୍ରଙ୍କୁ ନେଇ ଗଠିତ ଓଡ଼ିଶା ଦଳ ୨-୦ (୨୧-୧୯, ୨୨-୨୦) ସେଟ୍‌ରେ ତେଲେଙ୍ଗାନାକୁ ପରାସ୍ତ କରିଥିଲା। ପୂର୍ବରୁ ସେମିଫାଇନାଲ୍‌ରେ ଓଡ଼ିଶା ୧-୨ (୨୧-୧୭, ୧୪-୨୧, ୧୩-୧୫) ସେଟ୍‌ରେ ପଣ୍ଡିଚେରିଠୁ ହାରି ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲା। ଫାଇନାଲ୍‌ରେ ପଣ୍ଡିଚେରି ୨-୧ (୨୧-୧୫, ୯-୨୧, ୧୫-୧୦) ସେଟ୍‌ରେ ଗୁଜରାଟକୁ ହରାଇ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲା। ଏହି ସଫଳତା ଲାଗି ପ୍ରଶିକ୍ଷକ ସୁଧାଂଶୁ ଭୂଷଣ ମିଶ୍ର ଏବଂ ଦୁଇ ଖେଳାଳିଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଭାରତୀୟ ଭଲିବଲ୍‌ ସଂଘର ସଭାପତି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।


ପଦକ ନିଶ୍ଚିତ କଲା ମହିଳା ଫୁଟ୍‌ବଲ୍‌ ଦଳ
ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଦଳ ଫାଇନାଲ୍‌ରେ ପହଞ୍ଚି ପଦକ ନିଶ୍ଚିତ କରିଛି। ରବିବାର କଡ଼ା ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍‌ରେ ଏହି ଦଳ ୩-୦ (୨-୨) ପେନାଲ୍‌ଟିରେ ତାମିଲନାଡ଼ୁକୁ ପରାସ୍ତ କରିଥିଲା। ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ପ୍ରିୟଦର୍ଶିନୀ ଏସ୍‌ଙ୍କ ଗୋଲ୍‌ ବଳରେ ତାମିଲନାଡ଼ୁ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦଶମ ମିନିଟ୍‌ରେ ସଂଧ୍ୟା ରଙ୍ଗନାଥନଙ୍କ ଗୋଲ୍‌ରେ ତାମିଲନାଡ଼ୁ ୨-୦ରେ ଆଗୁଆ ହୋଇଯାଇଥିଲା। ପ୍ରଥମାର୍ଦ୍ଧ ଶେଷ ହେବାର ଗୋଟିଏ ମିନିଟ୍‌ ପୂର୍ବରୁ ଓଡ଼ିଶାର ପ୍ୟାରି ଖାଖା (୪୪ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ସ୍ଥିତି ୧-୨ କରିଥିଲେ। ୮୨ତମ ମିନିଟ୍‌ରେ ଆଉ ଏକ ଗୋଲ୍‌ ଦେଇ ପ୍ୟାରି ଯୁଗଳ ସଫଳତା ପାଇବା ସହ ସ୍ଥିତି ବରାବର କରି ଦେଇଥିଲେ। ନିର୍ଦ୍ଧାରିତ ସମୟରେ ସ୍ଥିତି ୨-୨‌ରେ ରହିବାରୁ ପେନାଲ୍‌ଟି ଜରିଆରେ ଫଳାଫଳ ବାହାରିଥିଲା। ଏଥିରେ ଓଡ଼ିଶା ପକ୍ଷରୁ ଜୁଲି କିଷାନ, ‌ଯ‌ଶୋଦା ମୁଣ୍ଡା ଓ ସତ୍ୟବତୀ ଖଡ଼ିଆ ଗୋଲ୍‌ ଦେଇଥିଲେ। ହେଲେ ତାମିଲନାଡ଼ୁ ୩ଟି ଯାକ ସୁଯୋଗ ହାତଛଡ଼ା କରି ପରାଜୟ ବରଣ କରିଥିଲା। ଓଡ଼ିଶା ଫାଇନାଲ୍‌ରେ ମଣିପୁରକୁ ଭେଟିବ। ଅନ୍ୟ ଏକ ସେମିଫାଇନାଲ୍‌ରେ ମଣିପୁର ୫-୦ ଗୋଲ୍‌ରେ ଆସାମକୁ ହରାଇଥିଲା।

ସମ୍ବନ୍ଧିତ ଖବର