ଓଡ଼ିଶା-ଗାଙ୍ଗ୍‌ପୁର କ୍ୱାର୍ଟର ଫାଇନାଲ୍‌ ମୁକାବିଲା ଆଜି

କନିଷ୍ଠ ଜାତୀୟ ବାଳିକା ହକି

ଭୁବନେଶ୍ୱର: ମଧ୍ୟପ୍ରଦେଶର ଭୋପାଳରେ ଚାଲିଥିବା କନିଷ୍ଠ ବାଳକ ଓ ବାଳିକା ଜାତୀୟ ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ର ଅଷ୍ଟମ ସଂସ୍କରଣରେ ଓଡ଼ିଶାର ଦୁଇ ଦଳ ହକି ଓଡ଼ିଶା ଏବଂ ହକି ଗାଙ୍ଗ୍‌ପୁର-ଓଡ଼ିଶା ମହିଳା ଦଳ କ୍ୱାର୍ଟର ଫାଇନାଲ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ସେମିଫାଇନାଲ୍‌ ପ୍ରବେଶ ପାଇଁ ଆସନ୍ତାକାଲି (ଶୁକ୍ରବାର) ଦୁଇ ଓଡ଼ିଶା ଦଳ ମଧ୍ୟରେ ମୁକାବିଲା ହେବ।

ମଙ୍ଗଳବାର ପୁଲ୍‌-ବି ଅନ୍ତର୍ଗତ ଅନ୍ତିିମ ମ୍ୟାଚ୍‌ରେ ଓଡ଼ିଶା ଦଳ ୧୦-୧ ଗୋଲ୍‌ରେ ତାମିଲନାଡୁକୁ ପରାସ୍ତ କରି ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନ ସହ କ୍ୱାର୍ଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଥିଲା। ଏହି ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ଇଲିମା ମିଞ୍ଜ୍‌ (୮, ୪୩, ୫୯ ଓ ୬୬ ମିନିଟ୍‌) ଏକାକି ୪ ଗୋଲ୍‌ କରିଥିଲା ବେଳେ ଅବିନାସୀ ମୁକ୍ତି ସୁରିନ୍‌ (୧୪, ୪୫, ୬୭ ମିନିଟ୍‌) ୩, ଅସୀମ କାଞ୍ଜନ ବାର୍ଲା (୪, ୫୫ ମିନିଟ୍‌) ୨ ଏବଂ ଏମ୍‌ ଜନନୀ (୩୭ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ। ଏହି ବିଜୟ ସହ ଓଡ଼ିଶା ୪ ମ୍ୟାଚ୍‌ର ୧୨ ପଏଣ୍ଟ୍‌ ପାଇଁ ପୁଲ୍‌-ବିରେ ଶୀର୍ଷ ସ୍ଥାନ ପାଇଥିଲା। ଅନ୍ୟପକ୍ଷରେ ପୁଲ୍‌-ଏ ଅନ୍ତର୍ଗତ ଅନ୍ତିମ ମ୍ୟାଚ୍‌ରେ ଗାଙ୍ଗ୍‌ପୁର ଦଳ ପ୍ରବଳ ଲଢ଼ିବା ସତ୍ତ୍ୱେ ୩-୪ ଗୋଲ୍‌ରେ ମୁମ୍ବାଇ ନିକଟରୁ ହାରିଯାଇଥିଲା। ଗାଙ୍ଗ୍‌ପୁର ପକ୍ଷରୁ ଆତେନ୍‌ ଟପ୍ନୋ (୨୦ ଓ ୬୧ ମିନିଟ୍‌) ଦୁଇଟି ଏବଂ ଅଧିନାୟିକା ଜୀବନ କିଶୋରୀ ଟପ୍ପୋ (୧୭ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲା ବେଳେ ମୁମ୍ବାଇ ପକ୍ଷରୁ ରୁଚି ଭଣ୍ଡାରୀ (୩ ମିନିଟ୍‌), ଲିନେଟେ ଲୋବୋ (୯ ମିନିଟ୍‌), ମାନସୀ ବେଲ୍‌ଗାଓଁକର (୧୮ ମିନିଟ୍‌) ଏବଂ ଅଧିନାୟିକା ରେସମ ମହାଦିକ୍‌ (୬୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଏଥି ସହିତ ମୁମ୍ବାଇ ପ୍ରତିଯୋଗିତାରେ ପ୍ରଥମ ବିଜୟ ପାଇଥିଲା। ବିଜୟ ସାତ୍ତ୍ୱେ ମୁମ୍ବାଇ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇପାରିନଥିଲା ବେଳେ ପରାଜୟ ଗାଙ୍ଗ୍‌ପୁର ଦଳକୁ ରୋକି ପାରିନଥିଲା।

ଶୁକ୍ରବାର କ୍ୱାର୍ଟର ଫାଇନାଲ୍‌ରେ ଓଡ଼ିଶା ଓ ଗାଙ୍ଗ୍‌ପୁର ମୁହାଁମୁହିଁ ବ୍ୟତୀତ ମଧ୍ୟପ୍ରଦେଶ-ହରିଆନା, ମିଜୋରାମ-ଉତ୍ତର ପ୍ରଦେଶ ଏବଂ ଝାଡ଼ଖଣ୍ଡ-ସାଇ ମୁକାବିଲା ମଧ୍ୟ ହେବ। ଗାଙ୍ଗ୍‌ପୁର ବାଳକ ବି କ୍ୱାର୍ଟରରେ ବାଳିକାଙ୍କ ଭଳି ଗାଙ୍ଗ୍‌ପୁର ବାଳକ ଦଳ ମଧ୍ୟ ଏହି ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛି। ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ଗାଙ୍ଗ୍‌ପୁର ବାଳକ ଦଳ ୫-୦ ଗୋଲ୍‌ରେ ହିମାଚଳ ପ୍ରଦେଶକୁ ପରାସ୍ତ କରି ଏହି ଯୋଗ୍ୟତା ହାସଲ କରିଛି। ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିବା ଗାଙ୍ଗ୍‌ପୁର ବାଳକ ଦଳ ପକ୍ଷରୁ ମନୀପ କେର୍‌କେଟା ଦୁଇଟି ଗୋଲ୍‌ କରିଥିଲା ବେଳେ ଅଭିଷେକ ଲାକ୍ରା, ସୁଦୀପ ଚିର୍ମାକୋ ଓ ବୀରାଜ ଟପ୍ନୋ ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ି ଏକପାଖିଆ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର