ସାକିବଙ୍କ ମାଇଲଖୁଣ୍ଟ: ୭୦୦୦ ରନ୍‌ ଓ ୩୦୦ ୱିକେଟ୍‌ରେ ତୃତୀୟ କ୍ରିକେଟର୍‌

ଜୟସୂରିଆ ଓ ଆଫ୍ରିଦିଙ୍କ କ୍ଲବ୍‌ରେ ସାମିଲ

ଜୟସୂରିଆ ଓ ଆଫ୍ରିଦିଙ୍କ କ୍ଲବ୍‌ରେ ସାମିଲ
ସିଲ୍‌ହେଟ୍‌: ବାଂଲାଦେଶ ଅଲ୍‌ରାଉଣ୍ଡର ସାକିବ ଅଲ୍‌ ହାସନ ଶନିବାର ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ ଅବସରରେ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୩୩୮/୮ କରିଥିଲା ବେଳେ ସାକିବ୍‌ ୯୩ ରନ୍‌ର ପାଳି ଖେଳିଥିଲେ। ଏହି ପାଳି ଅବସରରେ ସାକିବ୍‌ ଦିନିକିଆ ଆନ୍ତର୍ଜାତିକରେ ୭୦୦୦ ରନ୍‌ ପୂରଣ କରିଥିଲେ। ଫଳରେ ୭୦୦୦ ରନ୍‌ ଏବଂ ୩୦୦ ୱିକେଟ୍‌ ଅକ୍ତିଆର କରିବାରେ ସେ ତୃତୀୟ କ୍ରିକେଟର୍‌ ହୋଇଛନ୍ତି। ଏଥି ସହିତ ସାକିବ୍‌ ଶ୍ରୀଲଙ୍କାର ସନତ ଜୟସୂରିଆ ଏବଂ ପାକିସ୍ତାନର ସାହିଦ ଆଫ୍ରିଦିଙ୍କ କ୍ଲବ୍‌ରେ ନିଜ ନାମକୁ ଯୋଡ଼ିଛନ୍ତି। ସାକିବ ମଧ୍ୟ ତମିମ ଇକ୍‌ବାଲ (୮୧୪୬ ରନ୍‌)ଙ୍କ ପଛକୁ ବାଂଲାଦେଶର ଦ୍ବିତୀୟ ସର୍ବାଧିକ ରନ୍‌ ସ୍କୋରର୍‌ ହୋଇଛନ୍ତି। ୭୦୦୦ ରନ୍‌ ପୂରଣ କରିବା ପୂର୍ବରୁ ଚଳିତ ମାସ ପ୍ରାରମ୍ଭରେ ଇଂଲଣ୍ଡ ବିପକ୍ଷ ଚଟ୍ଟୋଗ୍ରାମ ଦିନିକିଆ ମ୍ୟାଚ୍‌ରେ ୪ ୱିକେଟ୍‌ ସହ ୩୦୦ତମ ୱିକେଟ୍‌ ପୂରଣ କରିଥିଲେ। ୩୦୦ ୱିକେଟ୍‌ ଦଖଲ କରିବାର ମାଇଲଖୁଣ୍ଟ ଛୁଇଁବାରେ ସାକିବ ମଧ୍ୟ ଜୟସୂରିଆ ଏବଂ ନ୍ୟୁଜିଲାଣ୍ଡର ଡାନିଏଲ୍‌ ଭିଟୋରିଙ୍କ ପରେ ତୃତୀୟ ବାମହାତୀ ସ୍ପିନର ବନିଯାଇଛନ୍ତି।

ବାଂଲାଦେଶ ଜିତିଲା ପ୍ରଥମ ଦିନିକିଆ
ପ୍ରଥମ ଦିନିକିଆରେ ବାଂଲାଦେଶ ୧୮୩ ରନ୍‌ରେ ଆୟର୍ଲାଣ୍ଡ୍‌କୁ ପରାସ୍ତ କରିଛି। ସାକିବ୍‌ଙ୍କ ୯୩, ତୋହ୍ବିଦ୍‌ ହ୍ରିଦୟଙ୍କ ୯୨ ରନ୍‌ ବଳରେ ବାଂଲାଦେଶ ୩୩୮/୮ କରିବା ପରେ ଏବାଦତ ହୋସେନଙ୍କ ୪/୪୨, ନାସୁମ ଅହମ୍ମଦଙ୍କ ୩/୪୩ ଏବଂ ତସ୍‌କିନ ଅହମ୍ମଦଙ୍କ ୨/୧୫ ବୋଲିଂ ସଫଳତା ବଳରେ ଆୟର୍ଲାଣ୍ଡ ପାଳିକୁ ୧୫୫ ରନ୍‌ (୩୦.୫ ଓଭର)ରେ ସଫା କରିଦେଇଥିଲା। ତୋହ୍ବିଦ ମାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର