ରାଜ୍ୟ ବାଳକ ହକି ଜିତିଲା ଆର୍‌ଏସ୍‌ପି

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ଉପକନିଷ୍ଠ ବାଳକ ହକିରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆର୍‌ଏସ୍‌ପି) ବିଜେତା ହୋଇଛି। ଶନିବାର ଫାଇନାଲ୍‌ରେ ଏହି ଦଳ ୨-୧ (୩-୩) ସୁଟ୍‌ଆଉଟ୍‌ରେ ସୁନ୍ଦରଗଡ଼କୁ ପରାସ୍ତ କରିଛି। ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ୩-୩ ସାମନସ୍ତରରେ ସରିବାରୁ ସୁଟ୍‌ଆଉଟ୍‌ରେ ଫଳାଫଳ ବାହାରି ଥିଲା। ତୃତୀୟ ସ୍ଥାନ ଲାଗି ହୋଇଥିବା ମ୍ୟାଚ୍‌ରେ କିଟ୍‌ ଓ କିସ୍‌ ୫-୨ ଗୋଲ୍‌ରେ ଦେବଗଡ଼କୁ ହରାଇ ଦେଇଛି। ଦେବଗଡ଼ର ସଲମାନ ଲାକ୍ରା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଆର୍‌ଏସ୍‌ପିର ଜଗଦୀପ ବାର୍ଲା (ଗୋଲି), ସୁନ୍ଦରଗଡ଼ର ବିମଳ ଲାକ୍ରା (ଡିଫେଣ୍ଡର), କିଟ୍‌ ଓ କିସ୍‌ର ସଂଜୀବ ମାଝି (ମିଡ୍‌ଫିଲ୍ଡର), ଖୋର୍ଦ୍ଧାର ଆଲୋକ କୁଜୁର (ଷ୍ଟ୍ରାଇକର) ପୁରସ୍କାର ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ କ୍ରୀଡ଼ା ନିର୍ଦେଶକ ସିଦ୍ଧାର୍ଥ ଦାସ, ଆଇନଜୀବୀ ମନୋଜ କୁମାର ଖୁଣ୍ଟିଆ, ଏସ୍‌ବିଆଇ ଡିଜିଏମ୍‌ ସିଡିଓ ମନୋଜ କୁମାର ସିଂହ, ଡିଜିଏମ୍‌ ସିସିଓ ରାଜୀବ ରମନ, ହକି ଏଚ୍‌ପିସି ପକଳ୍ପ ନିର୍ଦେଶକ ରାଜୀବ ସେଠ୍‌, କଳିଙ୍ଗ ଷ୍ଟାଡିୟମ ବୈଷୟିକ ନିର୍ଦେଶକ ଏ ରାଜେଶ, ହକି ଓଡ଼ିଶା ସମ୍ପାଦକ ସନାତନ ସାହୁ, ଦୌଡ଼ଖୁଦ ସିଓଓ ଦୀନେଶ ସୁରି ଓ ଓଡ଼ିଶା ଭାରୋତ୍ତୋଳନ ସଂଘ ସମ୍ପାଦକ ରବି କୁମାର ପ୍ରମୁଖ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥି‌ଲେ। ଚୟନକର୍ତ୍ତା ମୁଖ୍ୟ ଲୁସେଲା ଏକ୍କା, ହକି ଓଡ଼ିଶା ଯୁଗ୍ମ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଏବଂ ହକି ଏଚ୍‌ପିସି ମୁଖ୍ୟ ପ୍ରଶିକ୍ଷକ ପିନ୍‌ହାସ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର