ଅହମଦାବାଦ ଫ୍ରାଞ୍ଚାଇଜର ନାଁ ଗୁଜରାଟ ଟାଇଟନ୍ସ

ଅହମଦାବାଦ: ଆଇପିଏଲ୍‌ର ନବଗଠିତ ଦଳ ଅହମଦାବାଦ ଫ୍ରାଞ୍ଚାଇଜ ବୁଧବାର ଆନୁଷ୍ଠାନିକ ଭାବେ ତା’ ଦଳର ନାମକରଣ କରିଛି। ଆସନ୍ତା ଆଇପିଏଲ୍ ଋତୁରେ ଏହି ଦଳ ଗୁଜରାଟ ଟାଇଟନ୍ସ ନାମରେ ଖେଳିବ ବୋଲି ଘୋଷଣା କରିଛି। ସିଭିସି କ୍ୟାପିଟାଲ୍ସ ମାଲିକାନାରେ ଥିବା ଏହି ଦଳ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଆଇପିଏଲ୍ ପଦାର୍ପଣ କରିବ। ଗୁଜରାଟର ଗୌରବମୟ କ୍ରିକେଟ୍ ସଂସ୍କୃତିକୁ ସମ୍ମାନ ଜଣାଇବାକୁ ଯାଇ ଦଳର ନାଁ ଗୁଜରାଟ ଟାଇଟନ୍ସ ରଖାଯାଇଥିବା ସିଭିସି କ୍ୟାପିଟାଲ୍ସ ପକ୍ଷରୁ କୁହାଯାଇଛି। ‘‘ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ ପଦାର୍ପଣ କରିବାକୁ ଯାଉଥିବା ଗୁଜରାଟ ଟାଇଟନ୍ସ ରାଜ୍ୟର ଗୌରବମୟ କ୍ରିକେଟ୍ ସଂସ୍କୃତିକୁ ସମ୍ମାନ ଜଣାଇବ, ଯିଏ ବର୍ଷ ବର୍ଷ ଧରି ଅନେକ ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟର୍‌ ସୃଷ୍ଟି କରିପାରିଛି। ଗୁଜରାଟର କ୍ରିକେଟ୍ ପ୍ରଶଂସକଙ୍କ ଭାବନାକୁ ଆଖି ଆଗରେ ରଖି ଆମେ ଟାଇଟନ୍ସ ଶବ୍ଦକୁ ଯୋଡ଼ିଛୁ’’ ବୋଲି ଦଳର ଜଣେ ପ୍ରତିନିଧି କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆଶିଷ ନେହରା ‘ଗୁଜରାଟ ଟାଇଟନ୍ସ’ର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ଭାରତର ବିଶ୍ବକପ୍ ବିଜୟୀ ଦକ୍ଷିଣ ଆଫ୍ରିକୀୟ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ୍ ଦଳର ମାର୍ଗଦର୍ଶକ ପଦ‌ରେ ରହି‌ବେ।

ସମ୍ବନ୍ଧିତ ଖବର