୨ ବିଜେଡି ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼, କଳାପତାକା ପ୍ରଦର୍ଶନ: ପୁଲିସ୍ ସହ ଧସ୍ତାଧସ୍ତି

ଗୁରୁ ଦିବସ କାର୍ଯ୍ୟକ୍ରମକୁ ଯାଉଥିବା, ବେଳେ କଂଗ୍ରେସର ବିରୋଧ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଜ ଜିଲ୍ଲାରେ ପୁଣି ହଟହଟା ହେବାକୁ ପଡ଼ିଛି। କେବଳ ଜୁନାଗଡ଼ ବିଧାୟକ ଶ୍ରୀ ମିଶ୍ର ନୁହନ୍ତି, ତାଙ୍କ ସାଙ୍ଗରେ ଥିବା ନର୍ଲା ବିଧାୟକ ଭୂପିନ୍ଦର ସିଂହ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି। ନର୍ଲା ତହସିଲ ଅଫିସ ନିକଟରେ ଆଜି ଏକ ନୂତନ ପ୍ରାଥମିକ ଶିକ୍ଷକ ଭବନ ଉଦ୍‌ଘାଟନ ଓ ଜିଲ୍ଲାସ୍ତରୀୟ ଗୁରୁ ଦିବସ କାର୍ଯ୍ୟକ୍ରମ ଥିଲା।

ଉଭୟ ବିଧାୟକ ଶ୍ରୀ ମିଶ୍ର ଓ ଶ୍ରୀ ସିଂହ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଯୁବ କଂଗ୍ରେସ କର୍ମକର୍ତ୍ତା ଗାଡ଼ିକୁ ଅଟକାଇବା ସହ ବିରୋଧ କରିଛନ୍ତି। ବହୁଚର୍ଚ୍ଚିତ ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ, ୫-ଟି ଯୋଜନାରେ ରୂପାନ୍ତରଣ କାର୍ଯ୍ୟରେ ହରିଲୁଟ ଓ ବ୍ଲକରେ ଶିକ୍ଷକ ସମସ୍ୟା ନେଇ ନର୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଉଭୟ ବିଧାୟକଙ୍କୁ ବିରୋଧ କରିଥିବା ଜଣାପଡ଼ିଛି। ବିଧାୟକ ଦ୍ବୟ ସଭାସ୍ଥଳରେ ପହଞ୍ଚିବା ପୂର୍ବରୁ ଗାଡ଼ିକୁ ଅଣ୍ଡାମାଡ଼ କରିବା ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ କର୍ମକର୍ତ୍ତା ଦୀର୍ଘ ସମୟ ପର୍ଯ୍ୟନ୍ତ ଦିବ୍ୟଶଙ୍କର ମିଶ୍ର ଗୋ ବ୍ୟାକ୍‌ ନାରା ଦେଇଥିଲେ। ବର୍ଷାରେ ଭିଜିଭିଜି ବିରୋଧ ପ୍ରଦର୍ଶନ କରିବା ସହ ଦିବ୍ୟଶଙ୍କରଙ୍କ ଗାଡ଼ି ସମ୍ମୁଖରେ ଶୋଇ ପଡ଼ିଥିଲେ। ଏଥିପାଇଁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଥିଲା।

ଶେଷରେ ପୁଲିସ୍‌ ସହ ଯୁବ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଶେଷରେ ପୁଲିସ୍‌ ଯୁବ କଂଗ୍ରେସ କର୍ମୀଙ୍କୁ କାବୁ କରି ଥାନାରେ ଅଟକ ରଖିଥିଲା। ତେବେ ଦୀର୍ଘ ଦିନ ପରେ ମମିତା ମେହେର ମୃତ୍ୟୁ ଘଟଣା ନେଇ ଜୁନାଗଡ଼ ବିଧାୟକଙ୍କୁ ପୁଣି ବିରୋଧ କରାଯାଇଥିବାରୁ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ମମିତା ମେହେର ଭଳି ଜଣେ ଶିକ୍ଷୟିତ୍ରୀଙ୍କ ହତ୍ୟାକାଣ୍ଡରେ ବିବାଦୀୟ ବିଧାୟକ ଗୁରୁ ଦିବସ ପାଳନ କରିବାକୁ ନର୍ଲା ଆସିଥିବାରୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ଗତ କିଛି ଦିନ ତଳେ ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ନର୍ଲା ନିର୍ବାଚନ ମଣ୍ଡଳୀର ବହୁ ଛାମୁଆ ନେତାଙ୍କୁ ଡାକି ଏକ ଜରୁରୀ ବୈଠକ କରିଥିଲେ। ଭକ୍ତ ଦାସ କଂଗ୍ରେସରୁ ନର୍ଲା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପରେ କଂଗ୍ରେସ କର୍ମୀ ନର୍ଲା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହୋଇଛନ୍ତି। ଆଜିର ଏହି ବିରୋଧ କଂଗ୍ରେସର ଟ୍ରେଲର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର