ଗୋପାଳକୁ ପାଗଳ ପ୍ରମାଣ କରିବା ପାଇଁ ବିକଳ: ନରସିଂହ

ଭୁବନେଶ୍ବର : ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ଗ୍ରହଣ କରିନାହାନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗଣମାଧ୍ୟମକୁ ସେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡ‌ର ଷଡ଼ଯନ୍ତ୍ର ଦିଗକୁ ଏ ଯାଏ କ୍ରାଇମ୍‌ବ୍ରାଞ୍ଚ୍‌ର ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ ଗୋପାଳ ଦାସକୁ ହିଁ ହତ୍ୟାକାରୀ ବୋଲି ସୂଚାଇଛନ୍ତି। ଆଉ ଆମେରିକା ଏଫ୍‌ବିଆଇ ସଂସ୍ଥାର ସହଯୋଗ ମଗାଯାଇଥିବା କଥା କୁହାଯାଇଛି। ସେହି ସଂସ୍ଥାର ସହଯୋଗ ହତ୍ୟାକାଣ୍ଡର ତଦନ୍ତ ପାଇଁ ନିଆଯାଉନି। ବରଂ ଗୋପାଳଙ୍କୁ ପାଗଳ ବୋଲି ପ୍ରମାଣିତ କରିବା ପାଇଁ ଏଫ୍‌ବିଆଇର ସହଯୋଗ ମଗାଯାଇଛି। ଯଦି ସେ ପାଗଳ, ତେବେ ତାହାର ନାର୍କୋ ଟେଷ୍ଟ୍‌ ଓ ୧୬୪‌ରେ ବୟାନ ରେକର୍ଡ କରାଗଲା କେମିତି? ଗୋପାଳକୁ ପାଗଳ ପ୍ରମାଣିତ କରିବାକୁ ଏତେ ବିକଳ କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।

ନବ ଦାସ ହତ୍ୟା ମାମଲାରେ ତିନିଟି ଦିଗକୁ ତଦନ୍ତ ପରିସରଭୁକ୍ତ କରିବାର ଆବଶ୍ୟକତା ରହିଛି। ଏଏସ୍‌ଆଇ ଗୋପାଳ ଦାସ ତା’ ଝିଆରୀର ଚାକିରି ପାଇଁ ନବ ଦାସଙ୍କ ପାଖକୁ ଯାଉଥିଲା। ଗୋପାଳକୁ ନବ ଦାସ ମାଡ଼ ମାରିଥିବାର ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯଦି ଏହି ଯିବା ଆସିବା ଭିତରେ କିଛି ଅଘଟଣ ଘଟିଥିବ, ତେବେ ତାହାର ପ୍ରତିଶୋଧ ନେବାକୁ ହୁଏତ ଗୋପାଳ ଏମିତି କରିଥାଇପାରେ। ପୁଣି ହତ୍ୟାକାଣ୍ଡ ପୂର୍ବରୁ ସେ ନିଜ ବଡ଼ ଭାଇ ଓ ସ୍ତ୍ରୀକୁ ବ୍ରହ୍ମପୁର ପଠାଇ ଦେଇଥିଲା। ଦ୍ବିତୀୟ ଦିଗଟି ହେଲା ରାଜନୈତିକ ଦିଗ। ନବ ଦାସ ବିଜେଡିରେ ମିଶିଲା ପରେ ଦଳ ଭିତରେ କନ୍ଦଳ ଆରମ୍ଭ ହୋଇଥିଲା।

ବ୍ରଜରାଜନଗର ଉପନିର୍ବାଚନ ଦାୟିତ୍ବ ପ୍ରଥମରୁ ବରଗଡ଼ ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଦିଆଯାଇଥିଲା। ପରେ ନବଙ୍କୁ ଦାୟିତ୍ବ ଦିଆଗଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ଏ ସମ୍ପର୍କରେ ନିଜେ ନବ ମଧ୍ୟ ଆମକୁ କହିଥିଲେ। ସେହି ପୂର୍ବତନ ମନ୍ତ୍ରୀ ଜଣଙ୍କ ସବୁବେଳେ ନିଜ ଗୁଣ୍ଡାମାନଙ୍କୁ ସାଙ୍ଗରେ ନେଇ ବିଭିନ୍ନ ଆଡ଼କୁ ଯାଆନ୍ତି। ଏହା ପଶ୍ଚିମ ଓଡ଼ିଶାରେ ସମସ୍ତେ ଜାଣନ୍ତି। ତୃତୀୟ ଦିଗଟି ହେଲା ବ୍ୟବସାୟିକ ଦିଗ। କୋଇଲା ପରିବହନରେ ନବ ଦାସ ଓ ତାଙ୍କ ଲୋକଙ୍କ ଏକଚାଟିଆ ରାଜ୍ ଚାଲିଥିଲା। ଅନ୍ୟମାନେ ସୁଯୋଗ ପାଉ ନଥିଲେ। ପୁଣି ଏଏସ୍‌ଆଇ ଗୋପାଳ ଦାସ ଯେଉଁ କାର୍‌ ଚଳାଉଥିଲା, ତାହା ବି ଜଣେ କୋଇଲା ବ୍ୟବସାୟୀଙ୍କର। ତେଣୁ ଏ ଦିଗଟିକୁ ନିଶ୍ଚିତ ଭାବେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାର ଆବଶ୍ୟକତା ରହିଛି। ଏହି ତିନିଟି ଦିଗ ଉପରେ ଆମର ଘୋର ସନ୍ଦେହ ରହିଛି। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ୍‌ ଏ ଦିଗକୁ ନ ଯାଇ ଗୋପାଳ ପାଖରେ ଅଟକିଯାଇଛି।

ଏହି ଘଟଣାର ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏସ୍‌ଆଇଟି କରିବା ଉଚିତ। କାର୍ଯ୍ୟରତ ବିଚାରପତିଙ୍କୁ ସରକାର ପ୍ରଭାବିତ କରିପାରିବେ ନାହିଁ। ଏହି ଘଟଣା ସହ ରାଜ୍ୟର ଜନତା ଓ ଜନପ୍ରତିନିଧିଙ୍କ ସୁରକ୍ଷା ପ୍ରସଙ୍ଗ ଜଡ଼ିତ ଥିବାରୁ ସରକାର ବିରୋଧୀ ଦଳଙ୍କ ଦାବିକୁ ମାନିନେବାକୁ ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର