ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ଉଦ୍‌ବେଗଜନକ: ପ୍ରତି ଦେଢ଼ ଘଣ୍ଟାରେ ଜଣକର ପ୍ରାଣହାନି

୫ବର୍ଷରେ ଗଡ଼ିଲାଣି ୨୫୯୩୪ ମୁଣ୍ଡ, ସଚେତନତାରେ ଖର୍ଚ୍ଚ ୭୯କୋଟି, ସହାୟତାରେ ୧୫କୋଟି

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ଯେତେ ସଚେତନ କଲେ କି କଟକଣା ଲଗାଇଲେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ଉପରେ ଅଙ୍କୁଶ ଲଗାଇବା କାଠିକରପାଠ ହୋଇପଡ଼ିଛି। ଗତ ୫ବର୍ଷର ତଥ୍ୟ ଦେଖିଲେ ଏଥିରୁ ସ୍ପ‌ଷ୍ଟ ବାରିହେଉଛି। ୫ ବର୍ଷରେ ୫୪,୭୯୦ ଦୁର୍ଘଟଣାରେ ୨୫,୯୩୪ଜଣଙ୍କ ମୃତ୍ୟୁ ଘଟିଛି। ଯଦି ଏହା ହିସାବକୁ ନିଆଯାଏ ପ୍ରତିବର୍ଷ ହାରାହାରି୧୦ ହଜାର ୯୫୮ଟି ଦୁର୍ଘଟଣାରେ ୫ ହଜାର ୧୮୭ଜଣଙ୍କ ମୃତ୍ୟୁ ଘଟୁଛି। ଅର୍ଥାତ ପ୍ରତି ଦିନ ୩୦ଟି ଦୁର୍ଘଟଣା ଘଟୁଥିବା ବେଳେ ଦେଢ଼ ଘଣ୍ଟା ବ୍ୟବଧାନରେ ଜଣେ ବ୍ୟକ୍ତି ଆଖିବୁଜୁଛନ୍ତି। ସେହିପରି ୫ବର୍ଷରେ ୫୧,୮୭୩ଜଣ ଆହତ ହୋଇଛନ୍ତି।

ତେବେ ଗତ ୨୦୨୨ ମସିହାରେ ସର୍ବାଧିକ ୧୧୬୬୩ ଦୁର୍ଘଟଣାରେ ୫୪୬୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୩୦୨ଜଣ ଆହତ ହୋଇଛନ୍ତି। ପଛକୁ ୨୦୧୯ ମସିହାରେ ୧୧୦୬୪ ଦୁର୍ଘଟଣାରେ ୫୩୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୧୭୭ଜଣ ଆହତ ହୋଇଛନ୍ତି, ୨୦୧୮ ମସିହାରେ ୧୧୨୬୨ ଦୁର୍ଘଟଣାରେ ୫୩୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୭୯୪ଜଣ ଆହତ ହୋଇଛନ୍ତି,୨୦୨୧ ମସିହାରେ ୧୦୯୮୪ ଦୁର୍ଘଟଣାରେ ୫୦୮୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୭୮୨ ଜଣ ଆହତ ହୋଇଛନ୍ତି ଏବଂ ୨୦୨୦ ମସିହାରେ ସବୁଠୁ କମ୍‌ ୯୮୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୮୧୮ ଜଣ ଆହତ ହୋଇଛନ୍ତି।

ସେହିପରି ଅଜଣାଗାଡ଼ି ଧକ୍କାରେ ମୃତବରଣ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ବା ପରିବାରକୁ ୨ଲକ୍ଷ ଟଙ୍କା ଓ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦେବାର ନିୟମ ରହିଛି। ଏହି ୫ବର୍ଷରେ ସରକାର ଅଜଣାଗାଡ଼ି ଧକ୍କାରେ ମୃତାହତଙ୍କ ପରିବାରକୁ ୧୫କୋଟି ସାଢ଼େ ୬୮ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ୨୦୨୩ରେ ସର୍ବାଧିକ ୫କୋଟି ସାଢ଼େ ୯୩ଲକ୍ଷ ଅନୁକମ୍ପାରାଶି ପ୍ରଦାନ କରାଯାଇଥିବା ବେଳେ ପଛକୁ ୨୦୨୨ରେ ୫କୋଟି ୩୯ଲକ୍ଷ, ୨୦୨୧ରେ ୨କୋଟି ସାଢ଼େ୭୪ ଲକ୍ଷ, ୨୦୨୦ରେ ଏକ କୋଟି ସାଢ଼େ ୧୦ଲକ୍ଷ ଏବଂ ୨୦୧୯ରେ ସବୁଠୁ କମ୍‌ ୫୧ଲକ୍ଷ ଟଙ୍କା ଅନୁକମ୍ପାରାଶି ପ୍ରଦାନ କରାଯାଇଛି। ଏହାଛଡ଼ା ଲୋକଙ୍କୁ ସଚେତନତା କରାଇବା ଓ ଅନ୍ୟାନ୍ୟ ବାବଦରେ ୭୯ କୋଟି ୨୧ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ୬କୋଟି ୪୩ଲକ୍ଷ, ୧୯-୨୦ ଆର୍ଥିକ ବର୍ଷରେ ୨୭ କୋଟି ୯୨ଲକ୍ଷ, ୨୦-୨୧ ଆର୍ଥିକ ବର୍ଷରେ ୮କୋଟି ୮୯ଲକ୍ଷ, ୨୧-୨୨ ଆର୍ଥିକ ବର୍ଷରେ ୧୨କୋଟି ୩ଲକ୍ଷ ଏବଂ ୨୨-୨୩ ଆର୍ଥିକ ବର୍ଷରେ ୨୩ କୋଟି ୯୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆଜି ବିଧାନସଭାରେ ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଉତ୍ତର ରଖି ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର