ପୁରୀରେ ହେବ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

ଓଡ଼ିଶାରେ ପ୍ରଥମଥର ପାଇଁ ୯ଟି ଦେଶର ଚିତ୍ରକଳା ପ୍ରଦର୍ଶିତ ହେବ, ୫୬ ଶିଳ୍ପୀଙ୍କ ୬୦ରୁ ଊର୍ଧ୍ବ ଚିତ୍ରକଳା ସ୍ଥାନିତ ହେବ

ପୁରୀ : ବିଶ୍ବର ନାମୀଦାମୀ ଚିତ୍ରଶିଳ୍ପୀଙ୍କ ବଛାବଛା ଚିତ୍ରକୁ ନେଇ ହେବ ଚିତ୍ରକଳା ପ୍ରଦର୍ଶନୀ। ପୁରୀ ଲଳିତ କଳା ଆର୍ଟ ଗ୍ୟାଲେରି ପରିସରରେ ପ୍ରଦର୍ଶନୀ ଉପଭୋଗ କରିବାର ସୁଯୋଗ ପାଇବେ କଳାପ୍ରେମୀ। ରାଜ୍ୟରେ ପ୍ରଥମଥର ପାଇଁ ଏକକାଳୀନ ୯ଟି ଦେଶର ଚିତ୍ରକଳା ପ୍ରଦର୍ଶିତ ହେବ। ୫୬ ଜଣ ଚିତ୍ରଶିଳ୍ପୀଙ୍କର ୬୦ରୁ ଅଧିକ ଚିତ୍ର ଏଠାରେ ପ୍ରଦର୍ଶିତ ହେବ। କଳା ନିର୍ବାଣ ଇଣ୍ଟରନାସନାଲ ଆର୍ଟ ସେଣ୍ଟର ପକ୍ଷରୁ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କୋଣାର୍କ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀରେ ଏହି ସୁଯୋଗ ଭେଟିଦେବ।

ଚିତ୍ର ପ୍ରଦର୍ଶନୀରେ ଭାରତ ସମେତ କାନାଡ଼ା, ଫ୍ରାନ୍ସ, ମରକ୍କୋ, ଇଜିପ୍ଟ, ସ୍ବିଡେନ୍‌, ସ୍ଳୋଭେନିଆ, ସର୍ବିଆ ଓ ଟୁନିସିଆର ଚିତ୍ରଶିଳ୍ପୀଙ୍କ ଚିତ୍ର ପ୍ରଦର୍ଶିତ ହେବ। କଳା ନିର୍ବାଣ ଇଣ୍ଟରନାସନାଲ ଆର୍ଟ ସେଣ୍ଟର ପକ୍ଷରୁ ସମଗ୍ର ବିଶ୍ବରୁ ଚିତ୍ରଶିଳ୍ପୀଙ୍କଠାରୁ ଚିତ୍ର ଆହ୍ବାନ କରାଯିବା ପରେ ସେଗୁଡ଼ିକ ମଧ୍ୟରୁ ଶ୍ରେଷ୍ଠ ଚିତ୍ରଗୁଡ଼ିକ ପ୍ରଦର୍ଶିତ କରାଯିବ। ଏନେଇ କଳା ନିର୍ବାଣ ଆର୍ଟ ସେଣ୍ଟରର ନିର୍ଦ୍ଦେଶକ ଆଶିଷ ପହିଙ୍କ ସୂଚନା ମୁତାବକ, ଓଡ଼ିଶାରେ ଏକକାଳୀନ ୯ଟି ଦେଶର ଚିତ୍ରକଳାକୁ ନେଇ ପ୍ରଦର୍ଶନ ପ୍ରଥମଥର ପାଇଁ ଆୟୋଜିତ ହେଉଛି। ଏଥିରେ ବହୁ ବିଶିଷ୍ଟ କଳାକାରଙ୍କ ସୃଜନ ସ୍ଥାନିତ ହେବ।

ଜୋର୍ଡାନ ଆଣ୍ଡ୍ରିକ, ଜୋସେଫ‌୍ ନୋସ୍‌, କ୍ଲେମେନ ବ୍ରୁନ୍‌, ମହମ୍ମଦ ହେମିଦା, ଲୈଲା ଇରାକ, ମାରିଆ ହିଦ୍‌, ପ୍ରକାଶ ଯୋଶୀ, ନମ୍ରତା ମୋଥ୍ରା, ଇନ୍ଦ୍ରଜିତ ରାୟ, ଅଞ୍ଚଳି ଅଶ୍ବିନୀ, ଆତ୍ମଦୀପ ଭଟ୍ଟାଚାର୍ଯ୍ୟ, ଦୀପଙ୍କର ଚକ୍ରବର୍ତ୍ତୀ, ଗୁଲସନ ମୌର୍ଯ୍ୟ, ଗୁଞ୍ଜନ ଶର୍ମା, ନରେଶ ହାଲ୍‌ଦାର , ନେହା ଆରୋରା, ପୂର୍ଣ୍ଣିମା ମୋହନ, ପୂଜା ଦାସ, ନିକିତା ସାହୁ, ସୁବୀର ଦାସ, ଶେଲି ମଜୁମଦାରଙ୍କ ଚିତ୍ର ଦେଖିବାର ସୁଯୋଗ ମିଳିବ। ଶ୍ରୀ ପହି କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଚିତ୍ରକଳାକୁ ନେଇ ବଡ଼ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି। ଏହା ବହୁ ଲୋକପ୍ରିୟତା ମଧ୍ୟ ସାଉଁଟୁଛି। ତେବେ ଓଡ଼ିଶାରେ ଅନ୍ତର୍ଜାତୀୟ ମାନର ଚିତ୍ର ପ୍ରଦର୍ଶନୀର ଆବଶ୍ୟକତା ରହିଛି। ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ପୁରୀର ସ୍ବତନ୍ତ୍ର ସ୍ଥାନ ରହିଥିବା ବେଳେ ଐତିହ୍ୟ, କଳା, ସଂସ୍କୃତି ଓ ପରମ୍ପରାର ସହର ଭା‌ବେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧି ରହିଛି। ପର୍ଯ୍ୟଟନ ସମ୍ଭାର ଯୋଗୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକଙ୍କ ଆଗମନ ହେଉଛି। ତେଣୁ ବିଭିନ୍ନ ସମୟରେ ଏଭଳି ଚିତ୍ରକଳା ପ୍ରଦର୍ଶନୀର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶାରେ ପ୍ରଥମଥର ପାଇଁ ଏଭଳି ଏକ ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ପ୍ରଦର୍ଶନୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

ଆସନ୍ତା ଅକ୍ଟୋବର ୨୦ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲୁ ରହିବ। ପର୍ଯ୍ୟଟନ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଏହା ସହାୟକ ହେବ ବୋଲି ଲଳିତ କଳା ଆର୍ଟ ଗ୍ୟାଲେରିର କ୍ୟୁରେଟର୍‌ ସତ୍ୟନାରାୟଣ ପାଢ଼ୀ କହିଛନ୍ତି। ପ୍ରଥମଥର ପାଇଁ ଏଭଳି ଏକ ଅନ୍ତର୍ଜାତୀୟ ଚିତ୍ରକଳା ଶିବିର ଆୟୋଜନ ହେଉଥିବାରୁ ଚିତ୍ରପ୍ରେମୀମାନେ ଏହି ସୃଜନକୁ ଉପଭୋଗ କରିବାର ସୁଯୋଗ ନେବାକୁ ଶ୍ରୀ ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର