୫ ବର୍ଷ ହେଲା ଭଣ୍ଡାଉଛନ୍ତି: ରତ୍ନଭଣ୍ଡାର ଯାଞ୍ଚ ପାଇଁ କୁନ୍ଥକୁନ୍ଥ କାହିଁକି?

ମହାପ୍ରଭୁଙ୍କ ରତ୍ନ ସୁରକ୍ଷିତ ଅଛି କି ନାହିଁ ଭକ୍ତ ଦ୍ବନ୍ଦ୍ବରେ

ପୁରୀ : ଗତ ୫ ବର୍ଷ ହେଲାଣି ରତ୍ନଭଣ୍ଡାର ପ୍ରସଙ୍ଗ ଚର୍ଚ୍ଚାରେ ରହିଛି। ସାଢ଼େ ୪ କୋଟି ଓଡ଼ିଆଙ୍କ ସହ ଦେଶବିଦେଶର ଅଗଣିତ ଶ୍ରୀଜଗନ୍ନାଥ ଭକ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହେଲାଣି ଯେ ସତରେ କ’ଣ ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି? ମହାପ୍ରଭୁଙ୍କ ରତ୍ନଖଚିତ ଅଳଙ୍କାର ଅଛି ତ?

କେବଳ ଭକ୍ତ ବ୍ୟଥିତ ବା ସେମାନଙ୍କ ମନକୁ ଏ ପ୍ରଶ୍ନ ଆନ୍ଦୋଳିତ କରୁଛି ତା’ ନୁହେଁ; ଓଡ଼ିଶା ହାଇକୋର୍ଟ ମଧ୍ୟ ଏହାକୁ ନେଇ ତନାଘନା କରିଛନ୍ତି। ହାଇକୋର୍ଟ ୨୦୧୮ ମସିହାରେ ପ୍ରତ୍ନତତ୍ତ୍ବ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର ଖୋଲି ସ୍ଥିତି ଅନୁଧ୍ୟାନ ପାଇଁ ଆଦେଶ ଦେଇଥିଲେ। ହେଲେ ଏହି ଆଦେଶ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଉଭୟ ପ୍ରତ୍ନତତ୍ତ୍ବ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଛନ୍ତି। ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ପରିଚାଳନା କମିଟିର ଏ ଦିଗରେ ଅସମ୍ଭବ ନିରବତା ଅବଲମ୍ବନ କରୁଛି। ଆହୁରି ବଡ଼ କଥା ହେଲା, ହାଇକୋର୍ଟ ମଧ୍ୟ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ଠାରୁ ଜବାବ ତଲବ କରୁନାହାନ୍ତି। ଏସବୁ ମହଲର ନିରବତା ଦେଖି ଭକ୍ତମାନେ ଚକିତ। ଏଭଳି କେଉଁ ଅଦୃଶ୍ୟ ଚାପ ପଡ଼ୁଛି ଯେ ତା’ ଆଗରେ ସମସ୍ତଙ୍କ ସ୍ବର ନିରବି ଯାଇଛି?

ହାଇକୋର୍ଟଙ୍କ ନିର୍ଦେଶ ପରେ ବି ଖାତିର୍ ନାହିଁ
ଅଦୃଶ୍ୟ ଚାପ ଆଗରେ ନିରବ କି ପରିଚାଳନା କମିଟି?

ଶ୍ରୀମନ୍ଦିର ମରାମତି ସଂକ୍ରାନ୍ତ ଆଗତ ମାମଲାର ବିଚାର କରି ୨୦୧୮ ମସିହାରେ ହାଇକୋର୍ଟ ପ୍ରତ୍ନତତ୍ତ୍ବ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନକୁ ଏହାର ସବିଶେଷ ରିପୋର୍ଟ ମାଗିଥିଲେ। ପରେ ୨୦୧୮ ମାର୍ଚ୍ଚ ମାସରେ ଏହି ମାମଲାର ପୁନଃବିଚାର କରି ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ୍‌ ସରନ୍‌ ଓ ଜଷ୍ଟିସ୍‌ ବି ଆର ଷଡ଼ଙ୍ଗୀ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବାକୁ ପ୍ରତ୍ନତତ୍ତ୍ବ ବିଭାଗକୁ ଆଦେଶ ଦେଇଥିଲେ। ଏହାର ସବିଶେଷ ରିପୋର୍ଟ ୨୦୧୮ ମାର୍ଚ୍ଚ ୨୯ ତାରିଖ ସୁଦ୍ଧା ଦେବାକୁ ଆଦେଶ ଦେଇଥିଲେ। ସେହି ଅନୁଯାୟୀ ରତ୍ନଭଣ୍ଡାର ସ୍ଥିତି ଭଲ ନ ଥିବା ପ୍ରତ୍ନତତ୍ତ୍ବ ବିଭାଗ ହାଇକୋର୍ଟଙ୍କୁ ଅବଗତ କରିବା ପରେ ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ୧୭ଜଣିଆ କମିଟି ଗଠନ କରାଗଲା। ପ୍ରତ୍ନତତ୍ତ୍ବ ବିଭାଗ ବରିଷ୍ଠ ବିଶେଷଜ୍ଞ ସହ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଆଇନ ବିଭାଗ, ପୁଲିସ ପ୍ରଶାସନ ଆଦି ପ୍ରମୁଖ ବିଭାଗରୁ ବଛାବଛା ବ୍ୟକ୍ତିତ୍ବ ଏହାର ସଦସ୍ୟ ରହିଲେ। ଏହି କମିଟି ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଗଲେ ସତ, କିନ୍ତୁ ଅଧାରୁ ଫେରି ଆସିଲେ। ଚାବି ହଜିଯାଇଥିବା ଦର୍ଶାଇ ପୂରା ପ୍ରକ୍ରିୟାକୁ ଠପ୍ କରିଦିଆଗଲା। ତେବେ ସେହି ଏପ୍ରିଲ ୪ ତାରିଖରେ ଟର୍ଚ୍ଚ ଲାଇଟ୍‌ ପକାଇ ପ୍ରତ୍ନତତ୍ତ୍ବ ବିଭାଗ ଓ ଅନ୍ୟ ଅଧିକାରୀମାନେ ଆଖିରେ ଯାହା ଦେଖିଥିଲେ, ତାର ରିପୋର୍ଟ ଦେଲେ। ସେଥିରେ ବି ରତ୍ନଭଣ୍ଡାର ସ୍ଥିତି ଭଲ ନଥିବା ଦର୍ଶାଗଲା। ଏହା ମରାମତି ଆବଶ୍ୟକ ପଡ଼ୁଛି ବୋଲି କୁହାଗଲା। ରତ୍ନଭଣ୍ଡାରର ଅନେକ ସ୍ଥାନ ଫାଟି ପାଣି ଗଳୁଥିବାବେଳେ କାନ୍ଥ ଫମ୍ପାଳିଆ ଥିବା ଓ ଅନେକ ସ୍ଥାନରୁ ସିମେଣ୍ଟ ଛାଡ଼ି ଲୁହା ଦେଖାଯାଉଥିବା କୁହାଗଲା। ଏହାସତ୍ତ୍ବେ ନା ସରକାର ନା ଶ୍ରୀମନ୍ଦିର ପ୍ରଶାସନ, କେହି ବି ଏହାକୁ ଗୁରୁତ୍ବ ଦେଇନାହାନ୍ତି।

ଏ ଭିତରେ ୪ ବର୍ଷ ବିତି ୫ ବର୍ଷ ଚାଲିଲାଣି, ତଥାପି ରତ୍ନଭଣ୍ଡାର ଖୋଲିବା ଦିଗରେ ସରକାର ଆନ୍ତରିକତା ଦେଖାଉନାହାନ୍ତି। ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର ଜଷ୍ଟିସ୍ ରଘୁବୀର ଦାସ କମିସନ ବସାଇଲେ। ଏହି କମିସନ ମଧ୍ୟ ସେହିବର୍ଷ ଡିସେମ୍ବର ମାସରେ ୩୨୪ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ଦେଇସାରିଛନ୍ତି। ଏ ରିପୋର୍ଟ ଏଯାଏ ବିଧାନସଭା ଦେଖିପାରିଲା ନାହିଁ କି ଶ୍ରୀମନ୍ଦିର ଚାବି କେଉଁଠି ଓ କାହା ପାଖରେ ଅଛି? ମହାପ୍ରଭୁଙ୍କର କୋଟି କୋଟି ଟଙ୍କାର ସଂପତ୍ତି ସୁରକ୍ଷିତ ଅଛି କି ନାହିଁ ସେ ନେଇ ରାଜ୍ୟବାସୀ ଜାଣିପାରିଲେ ନାହିଁ। ରତ୍ନଭଣ୍ଡାର ଅସୁରକ୍ଷିତ ରହିବା ଭଳି ଭିତରେ ରତ୍ନ ଅଛି କି ନାହିଁ ତାହା ବି ରହସ୍ୟରେ ରହିଯାଇଛି। ଗୋଟିଏପଟେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିରକୁ ସର୍ବାଧିକ ଗୁରୁତ୍ବ ଦେଉଥିବା କହୁଛନ୍ତି। ଅନ୍ୟପକ୍ଷରେ କାହିଁକି ଓ କାହାକୁ ସୁରକ୍ଷା ଦେବା ଲାଗି ଏହି ପ୍ରସଙ୍ଗରେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉଛି, ତାହା କେହି ବୁଝିପାରୁନାହାନ୍ତି।

ଆହୁରି କୌତୂହଳ କଥା ହେଉଛି, ଗତ ଅଗଷ୍ଟ ୬ ତାରିଖ ବୈଠକ ପରେ ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତି ଆମିକସକ୍ୟୁରି ଏନ୍‌ କେ ମହାନ୍ତି ଶ୍ରୀମନ୍ଦିର ମରାମତି ଅନୁଧ୍ୟାନ ପାଇଁ ଆସିଥିଲେ। ସେସମୟରେ ସେ ପରବର୍ତ୍ତୀ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠିବ ବୋଲି ମତ ଦେଇଥିଲେ। ଗତ ଅଗଷ୍ଟ ୭ ତାରିଖରେ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଚିଠି ଲେଖିଲା। ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ଦେବାକୁ ଏଥିରେ ଅନୁରୋଧ କରାଯାଇଥିଲା। ଏହାସତ୍ତ୍ବେ ଶ୍ରୀମନ୍ଦିର ପ୍ରଶାସନ ନିରବ ବସିରହିଛି। ଏପରିକି ଶ୍ରୀମନ୍ଦିର ପରିଚାଳନା କମିଟି ବି ବୈଠକରେ ଏହି ପ୍ରସଙ୍ଗ ପ୍ରାଥମିକତା ପାଇପାରିଲା ନାହିଁ। ଏହି ପ୍ରସଙ୍ଗ ଏଜେଣ୍ଡାରେ ନାହିଁ କହି ଏକପ୍ରକାର ଚାପି ଦିଆଗଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କାର୍ଯ୍ୟସୂଚୀ ବହିର୍ଭୂତ ପ୍ରସଙ୍ଗ କହି ରତ୍ନଭଣ୍ଡାର ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଏଡ଼ାଇ ଦେଲେ।

ରତ୍ନ ଅଳଙ୍କାର ଓ ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗରେ ଯଦି ପ୍ରଶାସନ, ରାଜ୍ୟ ସରକାର ଏଭଳି ଉଦାସୀନ ମନୋଭାବ ଆଚରଣ କରନ୍ତି, ଏଥିରୁ ଯେ କେହିବୁଝିପାରିବ ଯେ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ସରକାରଙ୍କ ପ୍ରାଥମିକତାରେ ଅଛନ୍ତି ନା ନାହିଁ?

ସମ୍ବନ୍ଧିତ ଖବର