ଘରୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ଥାନାର ଦ୍ବାରସ୍ଥ ହେଲେ ୧୩ଛାତ୍ରୀ, ଅଭିଯୁକ୍ତ ଫେରାର

ଜୟପୁର: ସ୍ଥାନୀୟ ଏକ ଘରୋଇ ମହାବିଦ୍ୟାଳୟର ପରିଚାଳନା କମିଟିର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଏହି ମହାବିଦ୍ୟାଳୟର ଛାତ୍ରୀନିବାସରେ ରହୁଥିବା ଅନ୍ତେବାସୀ ଛାତ୍ରୀଙ୍କୁ ଯୌନନିର୍ଯାତନା ଦେବା ସହ ଅଶୋଭନୀୟ ବ୍ୟବହାର କରୁଥିବା ଅଭିଯୋଗ ଜୟପୁର ଟାଉନ ଥାନା ପୁଲିସ ନିକଟରେ ହୋଇଛି। ଛାତ୍ରୀନିବାସରେ ରହୁଥିବା ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ୮ଜଣ ଓ ପ୍ରଥମ ବର୍ଷର ୫ଜଣ ଏଭଳି ୧୩ଜଣ ଛାତ୍ରୀ ଥାନାରେ ଅଭିଯୋଗ କରି ଏତଲା ଦେଇଛନ୍ତି। ଅଧ୍ୟକ୍ଷଙ୍କ ଏଭଳି ଅଶୋଭନୀୟ ବ୍ୟବହାରରେ ଅତିଷ୍ଟ ହୋଇ ରହିଥିଲେ ଛାତ୍ରୀ। ଛାତ୍ରୀଙ୍କୁ କୁଆଡେ ଅଧ୍ୟକ୍ଷ ଜଣକ ଭୟଭୀତ କରିବା ସହ ତାଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବି ବାଧ୍ୟ କରୁଥିବା ଛାତ୍ରୀମାନେ କହିଛନ୍ତି। ଗତକାଲି ଜଣେ ଛାତ୍ରୀଙ୍କ ମା’ ଛାତ୍ରୀଙ୍କୁ ଭେଟିବାକୁ ଆସିଥିବା ବେଳେ ଛାତ୍ରୀ ଜଣକ ଏସଂପର୍କରେ କହିଥିଲେ। ପରେ ଅନ୍ୟ ଛାତ୍ରୀମାନେ ବି ତାଙ୍କ ମା’ଙ୍କୁ ଜଣାଇଥିଲେ। ଏହାପରେ ତାଙ୍କ ମା’ ଅଧ୍ୟକ୍ଷଙ୍କୁ ପଚାରିବାରେ ତାଙ୍କୁ ବି ଆଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ସମସ୍ତ ଛାତ୍ରୀ ତାପରେ ଟାଉନ ଥାନାରେ ପହଞ୍ଚି ଲିଖିତ ଏତଲା ପୁଲିସକୁ ଦେଇଥିଲେ। ପୁଲିସ ଏତଲା ଗ୍ରହଣ କରିବା ପରେ ନିଜେ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ସବଇନସପେକ୍ଟର ମନିଷା ସାହୁ ଉକ୍ତ ଘରୋଇ ମହାବିଦ୍ୟାଳୟ ଓ ତାଙ୍କ ଘରକୁ ଯାଇଥିଲେ ହେଁ ଅଧ୍ୟକ୍ଷ ଜଣକ ଫେରାର ହୋଇଥିବା କହିଛନ୍ତି ଥାନା ଅଧିକାରୀ। ମାମଲାର ସମ୍ବେଦନଶୀଳତାକୁ ଦେଖି ସମସ୍ତ ଛାତ୍ରୀଙ୍କ ବୟାନ ନେବା ସହ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ। ଅପରପକ୍ଷରେ ଏହି ମାମଲାକୁ ନେଇ ସହରରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହେବା ସହ ଅଭିଭାବକ ମାନେ ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛନ୍ତି। ପୁଲିସ ଅଧ୍ୟକ୍ଷଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ।

ସମ୍ବନ୍ଧିତ ଖବର