ବାଲେଶ୍ବର ବଡ଼ ଡାକ୍ତରଖାନା ବର୍ଣ୍ଣ ୱାର୍ଡର ବିକଳ ଚିତ୍ର: ଏସି, ପଙ୍ଖା ଅଚଳ, ଷ୍ଟୋର୍‌ ରୁମ୍‌ ପାଲଟିଛି ପାଇଖାନା

ବାଲେଶ୍ବର: ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ବର୍ଣ୍ଣ ୱାର୍ଡ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚାଲୁଛି। ଏଠାରେ ଭର୍ତ୍ତି ହେଉଥିବା ରୋଗୀମାନଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯାଉନଥିବା ବେଳେ ରୋଗୀମାନେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ମାତ୍ର ବିଡ଼ମ୍ବନାର ବିଷୟ ଏ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ କାହାରି ନିଦ ଭାଙ୍ଗୁନଥିବା ଅଭିଯୋଗ ହୋଇଛି।

ସୂଚନାଥାଉକି, ବାଲେଶ୍ବର ବଡ଼ ଡାକ୍ତରଖାନା ସର୍ଜରୀ ବିଭାଗର ଏକ ରୁମ୍‌କୁ ସ୍ବତନ୍ତ୍ର ଭାବେ ବର୍ଣ୍ଣ ୱାର୍ଡ କରାଯାଇ ତାହା ୧୩ଟି ଶଯ୍ୟା‌ ବିଶିଷ୍ଟ କରାଯାଇଛି। ଏହା ଭିତରେ ରୋଗୀଙ୍କ ପାଇଁ ୨ଟି ପାଇଖାନା, ୨ଟି ଏସି ଏବଂ ୮ଟି ପଙ୍ଖାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସମୟରେ ନିଆଁ, ବିଦ୍ୟୁତ୍‌, ଗ୍ୟାସରେ ପୋଡ଼ି ହେବା ଏବଂ ବଜ୍ରାଘାତର ଶିକାର ହେଉଥିବା ରୋଗୀଙ୍କୁ ଏଠାରେ ଭର୍ତ୍ତି କରାଯାଉଛି। ତେବେ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆ‌ଯିବା ସହ ଜଳାପୋଡ଼ା ଯନ୍ତ୍ରଣାକୁ କମାଇବା ପାଇଁ ଏସି ଓ ପଙ୍ଖା ଲଗାଯାଇଥିବା ବେଳେ ବାସ୍ତବରେ ଗୋଟିଏ ଏସି ସମ୍ପୂର୍ଣ୍ଣ ଅଚଳ ଓ ଆଉ ଗୋଟିଏ ଏସ୍‌ି ଥାଇ କି ନଥିବା ସହ ସମାନ। ସୁଇଚ୍‌ ଦବାଇଲେ ତାହା ଅନ୍‌ ହେଉଛି ‌ସିନା‌, ହେଲେ ଥଣ୍ଡା ପବନ ତ ଦୂର କଥା, ପବନ ମଧ୍ୟ ବାହାରୁନାହିଁ। ପଙ୍ଖାଗୁଡ଼ିକର ମଧ୍ୟ ସମଦଶା। କେଉଁଟା କାମ କରୁଛି ତ କେଉଁଟା ଅଚଳ ହୋଇ ପଡ଼ିଛି। ସେହିପରି ୱାର୍ଡର ପାଇଖାନା ଅବସ୍ଥା ନକହିବା ଭଲ।

ଗୋଟିଏ ପାଇଖାନା କାମଚଳାରେ ଚାଲିଥିବା ବେଳେ ଅନ୍ୟଟି ଷ୍ଟୋରରୁମ୍‌ରେ ପରିଣତ ହୋଇଛି। ଏହି ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଏ ବାବଦରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ହସ୍ପିଟାଲ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ଜାଣି ଅଜଣା ଭଳି ଅଭିନୟ କରୁଛନ୍ତି। ଏବେ ସଜାଡ଼ି ଦେବୁ, ଆଉ ଟିକେ ପରେ କରୁଛୁ, ଘଣ୍ଟେ ଭିତରେ ହୋଇଯିବ ଏମିତି ବାହାନା କରି ଆଉ ଧରାଛୁଆଁ ଦେଉନାହାନ୍ତି। ରୋଗୀଙ୍କ ସମ୍ପର୍କୀୟ ଏ ବାବଦରେ ଭେଟିବାକୁ ଗଲେ ଅନ୍ୟକାମରେ ବ୍ୟସ୍ତ ଅଛୁ କହି ଫେରାଇ ଦେଉଛନ୍ତି। ଏବେ ପରିସ୍ଥିତି ଏପରି ହୋଇଛି ରୋଗୀ ଏବଂ ତାଙ୍କ ସହ ରହୁଥିବା ସମ୍ପର୍କୀୟ ଗୋଟିଏ ପାଇଖାନା ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ବେଳେ ଏସି ଓ ପଙ୍ଖା ଅଚଳ ହୋଇଥିବାରୁ ଘରୁ ପଙ୍ଖା ଆଣି କାମ ଚଳାଉଛନ୍ତି। ସେହିପରି ଦୂରଦୂରାନ୍ତରୁ ଆସିଥିବା ରୋଗୀଙ୍କ ନିମନ୍ତେ ଘରୁ ପଙ୍ଖା ଆଣିବା ସମ୍ଭବ ହୋଇ ପାରୁନାହିଁ। ଫଳରେ ଜଳାପୋଡ଼ା ଯନ୍ତ୍ରଣାରେ ରୋଗୀମାନେ ଦିନରାତି ଛାଟିପିଟି ହେଉଥିବା ଦେଖାଯାଉଛି। ସରକାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ସବୁ ବେଳେ ଗୁରୁତ୍ବ ଦେଉଥିବା ବେଳେ ବାଲେଶ୍ବର ଜିଲ୍ଲା ବଡ଼ ଡାକ୍ତରଖାନାର ସ୍ବାସ୍ଥ୍ୟସେବାର ଏହି ବିକଳ ଚିତ୍ର ବୟାନ କରୁଛି ଏ ଦିଗରେ ‌ବିଭାଗ କେତେ ଯତ୍ନଶୀଳ। ବଡ଼ ଡାକ୍ତରଖାନାର ଏହି ଅବ୍ୟବସ୍ଥା ସମ୍ପର୍କରେ ଅଧୀକ୍ଷକ ବରରୁଚି ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଡାକ୍ତରଖାନାରେ ଏହି କାମଗୁଡ଼ିକ କରିବା ଦାୟିତ୍ବ ଜିଇଡିର। ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିବା ସତ୍ତ୍ବେ ଅବହେଳା କରାଯାଉଛି। ତେବେ ବର୍ଣ୍ଣ ୱାର୍ଡ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସେ ଡାକ୍ତରଖାନା ପରିଚାଳକଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର