ଟିକେଟରୁ ବଞ୍ଚିତ ହେଲେ ଭୂପିନ୍ଦର: ମନୋରମା ନର୍ଲାର ବିଜେଡି ପ୍ରାର୍ଥୀ

ସବୁ କଳ୍ପନାଜଳ୍ପନାର ଅବସାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ନର୍ଲା ବିଧାନସଭା ଆସନ ପାଇଁ ବିଜେଡି ଟିକେଟକୁ ନେଇ ଛକାପଞ୍ଝା ଜାରି ରହିଥିଲା। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଠାରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ନାଁ ଘୋଷଣା କରି ଏହାର ଅବସାନ ଘଟାଇଛନ୍ତି। ଫଳରେ, ବର୍ତ୍ତମାନର ବିଧାୟକ ଭୂପିନ୍ଦର ସିଂ ଟିକେଟରୁ ବଞ୍ଚିତ ହୋଇଥିବା ବେଳେ ଏହାକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ନର୍ଲା ବିଧାନସଭା ଆସନ ନିମନ୍ତେ ପୂର୍ବରୁ କଂଗ୍ରେସରୁ ହେଭିୱେଟ ନେତା ଭକ୍ତ ଚରଣ ଦାସ ଓ ବିଜେପି ପକ୍ଷରୁ ଅନିରୁଦ୍ଧ ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଭକ୍ତଙ୍କ ପ୍ରାର୍ଥିତ୍ୱ ଘୋଷଣାପରେ ନର୍ଲା ଆସନରେ ବଡ଼ ଲଢ଼େଇ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏଥିଯୋଗୁ ବିଜେଡି ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହୋଇଥିଲା।

ଶେଷରେ ବିଜେଡି ମହିଳା କାର୍ଡ ଓ ସ୍ଥାନୀୟ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ମନୋରମା ୨୦୧୭ ଓ ୨୦୨୨ ମସିହାରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ସ୍ବାମୀ ଦୁର୍ଗାପ୍ରସାଦ ମହାନ୍ତି ୨୦୧୭ ମସିହାରେ ଓ ବର୍ତ୍ତମାନ ଏହି ପଞ୍ଚାୟତ ସମିତିରେ ଉପାଧ୍ୟକ୍ଷ ରହିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଚିତ୍ତରଞ୍ଜନ ମଣ୍ଡଳ, ସାରଦା ପ୍ରସନ୍ନ ସ୍ୱାଇଁ ଓ ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ଟିକେଟ ପାଇଁ ଆଶାୟୀ ଥିଲେ।

ସମ୍ବନ୍ଧିତ ଖବର