ତାଳଚେରରେ ବ୍ରଜଙ୍କୁ ଭରସା

ଅନୁଗୁଳ: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ପୁଣି ଭରସା କରିଛି ବିଜେଡି। ତାଳଚେର ଆସନ ପାଇଁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି। ଏହାସହ ଲଗାତାର ତୃତୀୟଥର ପାଇଁ ବିଜେଡି ଟିକେଟରେ ଲଢ଼ିବାକୁ ଯାଉଛନ୍ତି ବ୍ରଜ। ବିଜେପିର କାଳନ୍ଦୀ ସାମଲଙ୍କ ସହ ତାଙ୍କର ଲଢ଼େଇ ହେବ। ପ୍ରଥମ ୩ଟି ପର୍ଯ୍ୟାୟରେ ତାଳଚେର ଆସନ ପାଇଁ ପ୍ରାର୍ଥୀ ଘୋଷଣା ନ ହେବାରୁ ଏହାକୁ ନେଇ ଦ୍ବନ୍ଦ୍ବ ବଢ଼ିଥିଲା। ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ଅନୁଗୁଳରୁ ପ୍ରାର୍ଥୀ କରି ତାଳଚେରରେ ବିଜେଡି ଜଣେ ନୂଆମୁହଁ ଦେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା। ସାଂସଦ ମହେଶ ସାହୁଙ୍କ ନାମକୁ ଜୋର୍‌ଦାର୍‌ ଆଲୋଚନା ଚାଲିଥିଲାବେଳେ ପବିତ୍ର ମୋହନ ପ୍ରଧାନଙ୍କ ଜଣେ ସଂପର୍କୀୟ ଟିକେଟ ପାଉଥିବା ନେଇ ମଧ୍ୟ କୁହାଯାଉଥିଲା। ହେଲେ ବ୍ରଜ ତାଳଚେର ଛାଡ଼ିବାକୁ ଚାହୁଁ ନ ଥିଲେ। ଏକଥା ଦଳକୁ ସଫାସଫା ଜଣାଇଦେବା ପରେ ଦଳ ନିଷ୍ପତ୍ତି ବଦଳାଇଛି। ଏଠାରେ ପୁଣି ବ୍ରଜଙ୍କୁ ଦଳ ଟିକେଟ ଦେବାକୁ ଆଜି ଘୋଷଣା କରିଛି।

ବିଜେଡି ପ୍ରାର୍ଥୀ ଘୋଷଣା କରିବା ସହ ତାଳଚେର ବିଜେଡି ଶିବିର ପୁଣି ଚଳଚଞ୍ଚଳ ହୋଇଛି। ପୂର୍ବରୁ ବିଜେପି କାଳନ୍ଦୀ ସାମଲଙ୍କ ନାମ ଘୋଷଣା କରିଥିଲା। ଫଳରେ ବ୍ରଜ ଓ କାଳନ୍ଦୀଙ୍କ ଭିତରେ ଲଗାତାର ଚତୁର୍ଥ ଥର ପାଇଁ ମୁକାବିଲା ହେବାକୁ ଯାଉଛି। ଅନ୍ୟପକ୍ଷରେ, ପୁରୁଣା ନେତାଙ୍କ ଭିତରେ ନୂଆ ଲଢ଼େଇ ପାଇଁ ତାଳଚେର ପ୍ରସ୍ତୁତ ହେଉଥିଲାବେଳେ ବ୍ରଜଙ୍କ ନାମ ଘୋଷଣ‌ା ପରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଭବିଷ୍ୟତ ନେଇ ପୁଣି ପ୍ରଶ୍ନ ସୃଷ୍ଟି ହୋଇଛି। ତାଙ୍କୁ ଏଥର ସାଂସଦ ଟିକେଟ ମିଳି ନ ଥିବା ବେଳେ ତାଳଚେରରେ ବିଧାୟକ ଟିକେଟ ମିଳିବ ବୋଲି ତାଙ୍କ ସମର୍ଥକ କହୁଥିଲେ। ହେଲେ ଏଠାରେ ଆଶା ମଉଳିଯିବା ପରେ ଏବେ ହିନ୍ଦୋଳରୁ ତାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର