ମାମଲାରୁ ନାଁ କାଟିବାକୁ ୧୦ ହଜାର ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ ଏଏସ୍‌ଆଇ

ବାଲେଶ୍ବର: ଭଦ୍ରକ ଜିଲ୍ଲା ବନ୍ତ ଥାନା ଏଏସ୍‌ଆଇ ମାନସ ପରିଡ଼ା ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହାପରେ ଭିଜିଲାନ୍ସ ପକ୍ଷରୁ ୧୯/୨୦୨୩ରେ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଗିରଫ କରାଯାଇଥିବା ବାଲେଶ୍ବର ଭିଜିଲାନ୍ସ ଏସ୍‌ପି ନରହରି ନାୟକ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏକ ଜମିଜମା ବିବାଦକୁ କେନ୍ଦ୍ର କରି ସ୍ଥାନୀୟ ଟିଲୋ ଗ୍ରାମର କୈଳାସ ଚନ୍ଦ୍ର ନାଥ ଏବଂ ତାଙ୍କ ମା’ଙ୍କ ବିରୋଧରେ ବନ୍ତ ଥାନାରେ ମାମଲା ରୁଜୁ ହୋଇଥିଲା। ଏଥିରେ ଥାନାର ଏସ୍‌ଆଇ ମାନସ କୁମାର ପରିଡ଼ା ତଦନ୍ତ ଦାୟିତ୍ବରେ ଥିଲେ। ତେବେ ଏଏସ୍‌ଆଇ ପରିଡ଼ା ଗତକାଲି କୈଳାସଙ୍କୁ ସହ ଯୋଗାଯୋଗ କରି ଉକ୍ତ ମାମଲାରୁ ତାଙ୍କ ନାଁ ହଟାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସେ ଭିଜିଲାନ୍ସରେ ଦ୍ବାରସ୍ଥ ହୋଇ ଘଟଣା ସମ୍ପର୍କରେ ଜଣାଇଥିଲେ। ଆଜି ଏଏସ୍‌ଆଇ ଶ୍ରୀ ପରିଡ଼ା ଥାନା ନିକଟରେ ଥିବା ଅମରେଶ୍ବର ନାୟକଙ୍କ ଜେରକ୍ସ ଦୋକାନକୁ କୈଳାସଙ୍କୁ ଡକାଇ ତାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ଏବଂ ଉକ୍ତ ଟଙ୍କାକୁ ସାଙ୍ଗେ ସାଙ୍ଗେ ଜେରକ୍ସ ଦୋକାନୀ ଶ୍ରୀ ନାୟକଙ୍କୁ ଦେଇ ଦେଇଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍‌ ପହଞ୍ଚି ଉକ୍ତ ଟଙ୍କା ଜବତ କରିବା ସହ ଏଏସ୍‌ଆଇ ଶ୍ରୀ ପରିଡ଼ାଙ୍କୁ ଗିରଫ କରିଥିଲେ। ଏସ୍‌ପି ନରହରି ନାୟକଙ୍କ ​ନିର୍ଦ୍ଦେଶରେ ଗଠିତ ଟିମ୍‌ ଏହି ଚଢ଼ାଉରେ ସାମିଲ ଥିଲେ। ଗିରଫ ପରେ ପରବର୍ତ୍ତୀ ତଦନ୍ତ ଜାରି ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର