ସକରାରଙ୍କ ପ୍ରତିଶ୍ରୁତି ପରେ ବସ୍‌ ଧର୍ମଘଟ ପ୍ରତ୍ୟାହୃତ: ରାଜନୈତିକ ଦଳଙ୍କୁ ଦିଆଯିବନି ଘ‌ରୋଇ ବସ୍‌

କଟକ: ନଭେମ୍ବର ୧ରୁ କଳାହାଣ୍ଡି ଓ ଏହାର ଆଖପାଖ ୧୦ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ନିଷ୍ପତ୍ତିରୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଓହରି ଯାଇଛି। ବ୍ଲକ୍‌ ମୁଖ୍ୟାଳୟରୁ ଜିଲ୍ଲା ସଦର ମହକୁମାକୁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ବ୍ଲକ୍‌ରୁ ଜିଲ୍ଲା ସଦର ମହକୁମାକୁ ବସ୍ ଚଳାଚଳ କରାଯିବ ନାହିଁ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେବା ପରେ ଘ‌ରୋଇ ବସ୍ ମାଲିକ ସଂଘ ଆନ୍ଦୋଳରୁ ଓହରି ଯାଇଛି ବୋଲି ସଂଘର ସଭାପତି ଲୋକନାଥ ପାଣି ଓ ସଂପାଦକ ଦେବେନ୍ଦ୍ର ସ‌ାହୁ ଆଜି କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଫଳରେ ଆସନ୍ତାକାଲି ୧୦ଟି ଜିଲ୍ଲାରେ ପୂର୍ବଭଳି ବସ୍‌ ଚଳାଚଳ ସ୍ବାଭାବିକ ରହିବ। ଘରୋଇ ବସ୍ ମାଲିକ ସଂଘ ପଞ୍ଚାୟତରୁ ବ୍ଲକ୍‌କୁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରୁନଥିବା ବେଳେ ବ୍ଲକ୍‌ରୁ ଜିଲ୍ଲା ସଦର ମହକୁମାକୁ ବସ୍‌ ଚଳାଚଳର ବିରୋଧ କରୁଥିଲା।

ଆଜି ଦିଆଯାଇଥିବା ସୂଚନା ଅନୁଯାୟୀ, ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆସନ୍ତା ନଭେମ୍ବର ୮ ତାରିଖରେ ଭବାନୀପାଟଣାଠାରେ ଏକ ବୈଠକ ଅନୁଷ୍ଠିତ ହେବ। ସଂଘର ପୂର୍ବ ନିଷ୍ପତ୍ତି ମୁତାବକ ଲକ୍ଷ୍ମୀ ବସ୍‌ ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳର ବ୍ୟବହାର ପାଇଁ ଘ‌ରୋଇ ବସ୍ ଦିଆଯିବ ନାହିଁ ବୋଲି ଆଜି ପୁଣି ଥରେ ଘୋଷଣା କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀ‌ରେ କଟକ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ସଭାପତି ପ୍ରିୟବ୍ରତ ତ୍ରିପାଠୀ, ସଂପାଦକ ନିରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର