ସିଇଓ କନ୍‌କ୍ଲେଭ୍‌ ୨୦୨୩: ଏଆଇ ଚାକିରି ନେବନି, ମଣିଷକୁ ସାହାଯ୍ୟ କରିବ

ପ୍ରତିଦ୍ବନ୍ଦ୍ବିତା ଉନ୍ନତି ପାଇଁ ସୁଯୋଗ ସୃଷ୍ଟି କରେ: ଭାବନା

ଭୁବନେଶ୍ବର: ସାରା ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ବ୍ୟାପକ ଚର୍ଚ୍ଚା ହେଉଛି। ବିଶେଷ କରି ଚାକିରି ଉପରେ ଏହାର ପ୍ରଭାବ ଆଲୋଚନାର ବିଷୟ ପାଲିଟିଛି। ତେବେ ସମ୍ବାଦ ସିଇଓ କନ୍‌କ୍ଲେଭ୍ ୨୦୨୩ରେ ଅନୁଷ୍ଠିତ ଏକ ପ୍ୟାନେଲ୍‌ ଆଲୋଚନାରେ ଯୋଗଦେଇଥିବା ବକ୍ତମାନେ କହିଛନ୍ତି ଯେ ଏଆଇ ‌ଚାକିରି ନେବନି, ତାହା ଲୋକମାନଙ୍କୁ ସାହାଯ୍ୟ କରିବ। ‘ଉଦ୍ୟୋଗୀ ନେତୃବୃନ୍ଦଙ୍କ ଦ୍ବାରା ପରିଚାଳିତ ଉଦୀୟମାନ ବ୍ୟବସାୟରେ ସାଧାରଣତଃ ସଫଳତା ଓ ବିଫଳତା ଦେଖିବାକୁ ମିଳିଥାଏ’ ବିଷୟବସ୍ତୁ ଆଧାରିତ ପ୍ୟାନେଲ୍‌ ଆଲୋଚନାରେ ଅଂଶଗ୍ରହଣ କରି ସିଏସ୍‌ଏମ୍ ଟେକ୍ନୋଲୋଜିସ୍‌ର ମୁଖ୍ୟ ଡିଜିଟାଲ୍ ଅଧିକାରୀ ନିଳାବ୍ଦୀ ତନୟ ସାମନ୍ତରାୟ ଏଆଇ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ୨୦୦୦ ମସିହା ଆରମ୍ଭ ‌ପୂର୍ବରୁ କମ୍ପ୍ୟୁଟରକୁ ନେଇ ମଧ୍ୟ‌ ଲୋକମାନଙ୍କ ମନରେ ଏଭଳି ଆଶଙ୍କା ସୃଷ୍ଟି ହୋଇଥିଲା। କମ୍ପ୍ୟୁଟର ଆସିଲେ ଲୋକମାନେ ଚାକିରି ହରାଇବେ ବୋଲି କୁହାଯାଇଥିଲା। କମ୍ପ୍ୟୁଟର କିନ୍ତୁ କୋଟି କୋଟି ଚାକିରି ସୃଷ୍ଟି କରିଥିଲା। ଏଆଇ କେତେକ ନିର୍ଦ୍ଦିଷ୍ଟ ଚାକିରି ନେଇପାରେ, କିନ୍ତୁ ବହୁ ନୂଆ ଚାକିରି ସୃଷ୍ଟି ମଧ୍ୟ କରିବ। ଏଆଇ ମଣିଷଙ୍କ ଚାକିରି ହେବନାହିଁ, ବରଂ କାର୍ଯ୍ୟ କରିବାରେ ସେମାନଙ୍କୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ପ୍ରତିଦ୍ବନ୍ଦ୍ବିତା ଉନ୍ନତି ପାଇଁ ସୁଯୋଗ ସୃଷ୍ଟି କରେ: ଭାବନା
ବିଫଳତାରୁ ଶିଖିଲେ ସଫଳତା ମିଳିବ: ନୀଳାବ୍ଦୀ
ମହାମାରୀ ପରେ ସ୍ବାସ୍ଥ୍ୟ ଯାଞ୍ଚ ଗୁରୁତ୍ବ ବଢ଼ିଛି: ରାଓ
ଏଆଇ ସିଧାସଳଖ ସରଳ ଭାଷାରେ ବୁଝାଉଛି: ସୁରି

କନକ ନିଉଭ୍‌ର ନିଉଜ୍ ପ୍ରଡ୍ୟୁସର ସ୍ବସ୍ତିକା ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ୟାନେଲ୍ ଆଲୋଚନାରେ ଅଂଶଗ୍ରହଣ କରି ଏଆଇ ସମ୍ପର୍କରେ ଓରିଅସ୍‌ ଭେଞ୍ଚର୍ସର ମ୍ୟାନେଜିଂ ପାର୍ଟନର ରାଜୀବ ସୁରୀ କହିଛନ୍ତି ଯେ ଏଆଇ ପ୍ରଭାବରେ ମଝିରେ ରହୁଥିବା ବ୍ୟବସ୍ଥାର ଆବଶ୍ୟକତା ଦୂର ହୋଇଛି। ମେସିନ ମଣିଷକୁ ସିଧାସଳଖ ସରଳ ଭାଷାରେ ସବୁ କିଛି ବୁଝାଇପାରୁଛି। ଉଦାହରଣ ଦେଇ ସେ କହିଛନ୍ତି କୌଣସି ସଫ୍ଟଓୟାରକୁ ବୁଝିବା ଲାଗି କୋଡିଂ ଜାଣିବା ସପ୍ଟୱେର ଇଞ୍ଜିନିୟରଙ୍କୁ ଖୋଜାପଡ଼ୁଥିଲା। ମାତ୍ର ଏଆଇ ଆସିବା ପରେ ଲୋକମାନଙ୍କୁ ଆଉ ସେଭଳି ଲୋକଙ୍କୁ ଖୋଜିବାକୁ ପଡ଼ୁନାହିଁ। ତାହା ହିଁ ଏଆଇର ସବୁଠୁ ବଡ଼ ଶକ୍ତି ବୋଲି ସେ କହିଛନ୍ତି। କରୋନା ଓ ତା’ର ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ସେବା ଦୃଶ୍ୟପଟ୍ଟରେ ଘଟିଥିବା ପରିବର୍ତ୍ତନ ସମ୍ପର୍କରେ ମେଡ୍‌ଟେଲ୍‌ ହେଲ୍‌ଥକେୟାରର ବରିଷ୍ଠ ଭିପି ଓ ବିକ୍ରି ମୁଖ୍ୟ ପୂର୍ଣ୍ଣ ରାଓ କହିଛନ୍ତି ଯେ କରୋନା ଆମ ପାଇଁ ସୁଯୋଗ ସୃଷ୍ଟି କରିଥିଲା। ଟେଲି ପରାମର୍ଶ ଓ ଟେଲି ମେଡିସିନ୍‌ର ଗ୍ରହଣୀୟତା ବଢ଼ିଥିଲା। କରୋନା ପୂର୍ବରୁ କେହି ସ୍ବାସ୍ଥ୍ୟର ନିୟମିତ ଯାଞ୍ଚ ବିଷୟରେ ଚିନ୍ତା ବି କରୁନଥିଲେ। ମାତ୍ର ଏହି ମହାମାରୀ ପରେ ସରକାରୀ ବ୍ୟବସ୍ଥାଠାରୁ ଆରମ୍ଭ କରି କର୍ପୋରେଟ୍ ଜଗତ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସ୍ବାସ୍ଥ୍ୟ ଯାଞ୍ଚକୁ ଗୁରୁତ୍ବ ପ୍ରଦାନ କରାଯାଉଛି।

ଡିଜିଟାଲ୍‌ର ଶକ୍ତିକୁ ବ୍ୟବହାର କରି ସ୍ବାସ୍ଥ୍ୟ ସେବାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଦ୍ବାରା ଅଧିକରୁ ଅଧିକ ରୋଗୀ ଉପକୃତ ହୋଇପାରିଛନ୍ତି ବୋଲି ସେ କହିଛନ୍ତି। ବ୍ୟବସାୟରେ ପ୍ରତିଯୋଗିତା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଦାବିକ୍ ଫୁଡ୍‌ ଆଣ୍ଡ୍‌ ବେଭରେଜେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା-ନିର୍ଦ୍ଦେଶକ ଡ. ଭାବନା ଗୁପ୍ତା କହିଛନ୍ତି ଯେ ପ୍ରତିଦ୍ବନ୍ଦ୍ବିତା ସବୁ କ୍ଷେତ୍ରରେ ରହିଛି। ପ୍ରତିଦ୍ବନ୍ଦ୍ବିତା ରହିବା ଭଲ, କାରଣ ନିଜ ଉତ୍ପାଦ କିମ୍ବା ସେବାରେ ଉନ୍ନତି ଆଣିବା ଲାଗି ତାହା ସୁଯୋଗ ସୃଷ୍ଟି କରେ। ପ୍ରତିଦ୍ବନ୍ଦ୍ବିତାରେ ଆଗରେ ରହିବାକୁ ହେଲେ ନିଜ ପ୍ରତିଦ୍ବନ୍ଦ୍ବୀମାନେ ଯେଉଁ ବିଷୟ ଉପରେ ଗୁରୁତ୍ବ ଦେଇନାହାନ୍ତି, ସେଥିରେ ଆଗକୁ କାମ ଆରମ୍ଭ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ବ୍ୟବସାୟରେ ସଫଳତା ଓ ବିଫଳତା ଏବଂ ଚାପ ପରିଚାଳନା ସମ୍ପର୍କରେ ନୀଳାବ୍ଦୀ କହିଥିଲେ ଯେ ଲୋକମାନେ କେବଳ ସଫଳତା ପାଇଥିବା ଲୋକଙ୍କ ପ୍ରେରଣାଦାୟୀ କାହାଣୀ ଶୁଣନ୍ତି। ପ୍ରତିଟି ସଫଳ ବ୍ୟକ୍ତି ଜଣେ ସ୍ବତନ୍ତ୍ର ମଣିଷ ଓ ତାଙ୍କ ପାଇଁ ସ୍ଥିତି ମଧ୍ୟ ଭିନ୍ନ ଥିଲା। ତାହା ପ୍ରଥମେ ବୁଝିବାକୁ ପଡ଼ିବ। ନିଜେ ସଫଳ ହେବାକୁ ହେଲେ ନିଜ ସ୍ଥିତି ଓ ଆହ୍ବାନ ଅନୁସାରେ କାମ କରିବାକୁ ପଡ଼ିବ। ବିଫଳତାରୁ ଶିକ୍ଷା ଲାଭ କରି ସଫଳତା ଆଡ଼କୁ ଅଗ୍ରସର ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର