ମାଲକାନଗିରି: କାହିଁ କେଉଁ କାଳରୁ ସଂସ୍କୃତି, ପରଂପରା ଓ ପୂଜା ପାର୍ବଣକୁ ଜାବୁଡି ଧରିଛନ୍ତି ଆଦିବାସୀ ସଂପ୍ରଦାୟ। ସେହି ପୂଜା ପାର୍ବଣ ମଧ୍ୟରୁ ଚଇତି ପରବ ଅନ୍ୟତମ।ଚୈତ୍ର ଫଗୁଣରେ ଏହା ଆମନ୍ତ୍ରିତ କରାଯାଏ। ପୂଣି ନୂଆ ଜହ୍ନ ଉଇଁବା ସହ ପ୍ରତି ଗାଁରେ ପରବ ପାଳିବାର ପ୍ରାଥମିକ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇଯାଇଥାଏ।ପରଂପରା କ୍ରମେ ପରବ ଆରମ୍ଭରୁ ଶେଷ ଯାଏଁ କୌଣସି କାର୍ଯ୍ୟ କରାନଯିବାର ନିୟମ ଥିବାରୁ ପୂର୍ବରୁ ହିଁ ଘରଦ୍ବାର ଲିପାପୋଛା, ନୂଆ ଲୁଗା କିଣା, ପୂଜା ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଡ ଜୋରସୋରରେ ଚାଲିଥିଲା। ଆଦିବାସୀ ହାଟ ବଜାରରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପରବ ଆରମ୍ଭ ହେବାକ୍ଷଣି ନିଜ ନିଜ ଗ୍ରାମଦେବୀ ବା ହୁଣ୍ଡି ଠାକୁରାଣି ନିକଟରେ ବିଧିବିଧାନ ପୂର୍ବର ପରବ ପାଳନର ଆୟଆରମ୍ଭ ହୋଇଥିଲା। ଏହା ସାଂଗକୁ ଘରେ ଘରେ ଆମ୍ବ, ମହୁଲ ନୂଆ ଖିଆ ପାଳିତ ହୋଇଥିଲା। ଚଇତି ପରବ ସହିତ ଜଡିତ ପ୍ରାଚୀନ ପରଂପରା ବେଣ୍ଟ ବା ଶିକାର ଏହି ଚଇତି ପରବର ଅନ୍ୟ ଏକ ଆକର୍ଷଣ। ଜଂଗଲ ଅଭାବରୁ ବେଣ୍ଟ ଏକ ଔପଚାରିକତା ହୋଇ ରହିଯାଇଛି। ତଥାପି ସାରା ରାତି ବେଣ୍ଟ ଯାତ୍ରା ପାଳିବାରେ ଆଦିବାସୀ ସଂପ୍ରଦାୟ ପଛଘୁଞ୍ଚା ଦେଇ ନାହାନ୍ତି। କେତେକ ଜାଗାରେ ବେଣ୍ଟ ପାଇଁ ଶିକାର କରିବାକୁ ଯାଇ ଖାଲି ହାତରେ ଫେରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।
ମାଲକାନଗିରି ଜିଲ୍ଲାର ସମସ୍ତ ଦେବାଦେବୀଙ୍କ ପୀଠରେ ଚଇତି ପରବ ଉତ୍ସାହ ଓ ଉଦ୍ଦିପନାର ସହ ପାଳିତ ହେଉଛି। ଏହି ଅବସରରେ ବିଭିନ୍ନ ଦେବାଦେବୀଙ୍କ ପୀଠରେ ହଜାର ହଜାର ଭକ୍ତ ବଳି ଦେଉଥିବା ଦେଖିବାକୁ ମିଳିଛି।ଡିସାରୀଙ୍କ ପରାମର୍ଶ ଅନୁଯାୟୀ ଭିନ୍ନ ଭିନ୍ନ ଗାଁରେ ଭିନ୍ନ ଭିନ୍ନ ସମୟରେ ଚଇତି ପରବ ପାଳନ କରାଯାଉଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯଏ ଚୈତ୍ର ପରବ ଦିନ ହିଁ ଏହି ପରବର ସମାପ୍ତ ଘଟିଥାଏ।ପ୍ରତି ଗାଁର ଛକମାନଙ୍କରେ ଏବେ ମହିଳାମାନେ ପାଜର ମଗୁଥିବାର ଦୃଶ୍ୟ ଦେଖିବାକୁ ମିଳେ।ଆମକୁ ପାଜର ଦିଆ ନହେଲେ ଆମ ବାଟ ଛାଡିବୁ ନାହିଁ ବୋଲି ଜିଦ ଧରି ବସନ୍ତି। ଏଥିରେ ସରକାରୀ ବେସରକାରୀ ବାବୁ ହୁଅନ୍ତୁ ପଛେ ଆଦିବାସୀ ମହିଳାଙ୍କୁ ପାଜର(ଟଂକା) ଦେବାକୁ ବାଧ୍ୟ ହୋଇଥାନ୍ତି। ମହିଳାମାନେ ଯାହା ଟଂକା ଆଦାୟ କରିଥାନ୍ତି,ତାହାକୁ ପୁରୁଷମାନେ ବେଣ୍ଟ ଶିକାର କରି ଯାହା ଆଣନ୍ତି ତାକୁ ନେଇ ଗାଁରେ ଏକ ବିରାଟ ଭୋଜିର ଆୟୋଜନ ହୋଇଥାଏ। ପିଲା ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହି ପରବରେ ମସଗୁଲ ଥାନ୍ତି। ଏହି ପରବ ଆଦିବାସୀଙ୍କ ବିବାହ ଓ ମିଳନର ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ।